ଋଷ-ୟୁକ୍ରେନ୍ ଯୁଦ୍ଧରେ ପଡିବ ଯବନିକା ! ଯୁଦ୍ଧ ବିରତି ପାଇଁ ମିଳିଲା ସଙ୍କେତ…
ୱାସିଙ୍ଗଟନ୍ ଡିସି: ଖୁବଶୀଘ୍ର ଲାଗିପାରେ ଯୁଦ୍ଧରେ ବିରାମ୍ । ଦୀର୍ଘଦିନ ଧରି ଜାରି ରହିଥିବା ଋଷ-ୟୁକ୍ରେନ୍ ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପଡିପାରେ । ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜୋରଦାର ପ୍ରୟାସ କରୁଛନ୍ତି । ଚଳିତ ସପ୍ତାହରେ ଯୁଦ୍ଧ ବନ୍ଦ ନେଇ ଭଲ ଖବର ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି । କାହିଁକି ନା ଯୁଦ୍ଧ ବନ୍ଦ ନେଇ ଖୁବଶୀଘ୍ର ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ ଫୋନରେ ଆଲୋଚନା କରିପାରନ୍ତି ଡୋନାଲ୍ଡ ଟ୍ରମ୍ପ ।
ହ୍ୱାଇଟ୍ ହାଉସର ଜଣେ ସ୍ୱତନ୍ତ୍ର ପ୍ରତିନିଧି ଷ୍ଟିଭ୍ ୱିଟକଫ ରବିବାର କହିଛନ୍ତି ଯେ ଆମେରିକା ମଧ୍ୟ ୟୁକ୍ରେନ ସହିତ ନିରନ୍ତର ଯୋଗାଯୋଗରେ ଅଛି । ପୂର୍ବରୁ ଆମେରିକା ଉଭୟ ଦେଶକୁ ୩୦ ଦିନିଆ ଅସ୍ତ୍ରବିରତି ପ୍ରସ୍ତାବ ଦେଇଥିଲା । ୟୁକ୍ରେନ ପ୍ରସ୍ତାବକୁ ଗ୍ରହଣ କରିଥିବାବେଳେ, ପୁଟିନଙ୍କ ଠାରୁ ଏପର୍ଯ୍ୟନ୍ତ କୌଣସି ସମ୍ମତି ମିଳିନାହିଁ ।
ଟ୍ରମ୍ପଙ୍କୁ ଭେଟିବେ ପୁଟିନ୍
ଷ୍ଟିଭ୍ ୱିଟକଫ ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ ତାଙ୍କର ଆଲୋଚନାକୁ ସକାରାତ୍ମକ ଆଲୋଚନା ବୋଲି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି, ‘ଏହା ଏକ ସମାଧାନ-ଭିତ୍ତିକ ଆଲୋଚନା ଥିଲା ।’ ୱିଟକଫଙ୍କ ଅନୁସାରେ, ପୁଟିନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବାକୁ ପ୍ରସ୍ତୁତ ଏବଂ ଉଭୟ ନେତା ଯୁଦ୍ଧ ସମାପ୍ତ କରିବାକୁ ଚାହୁଁଛନ୍ତି । ସେ ଏହା ମଧ୍ୟ ଦୋହରାଇଲେ ଯେ ଟ୍ରମ୍ପ ଆଶାବାଦୀ ଅଛନ୍ତି ଯେ ଆଗାମୀ ସପ୍ତାହ ମଧ୍ୟରେ କୌଣସି ପ୍ରକାରର ଚୁକ୍ତି ହୋଇପାରିବ ।
କଣ ସର୍ତ୍ତ ରଖିଛି ଋଷ ?
ଯୁଦ୍ଧ ବିରତିକୁ ନେଇ ବଡ ସର୍ତ୍ତ ରଖିଛି ୟୁକ୍ରେନ୍ । ଜେଲେନସ୍କି କହିଛନ୍ତି, ମତେ ଏକ ପ୍ରତିଶ୍ରୁତି ଦିଆଯାଉ, ଯଦି ଭବିଷ୍ୟତରେ ଋଷ ପୁଣି ୟୁକ୍ରେନ୍ ଉପରେ ଆକ୍ରମଣ କରେ ତେବେ ଆମେରିକା ଏବଂ ତାର ଅନ୍ୟ ସହଯୋଗୀ ରାଷ୍ଟ୍ର ୟୁକ୍ରେନର ସାଥ ଦେବେ । କିନ୍ତୁ ୟୁକ୍ରେନର ଏହି ସର୍ତ୍ତ ଉପରେ କୌଣସି ପ୍ରତିକ୍ରିୟା ରଖିନି ଆମେରିକା । ଅନ୍ୟପଟେ, ଋଷ ସ୍ପଷ୍ଟ କରି କହିଛି, କୌଣସି ପରିସ୍ଥିତିରେ ଅସ୍ଥାୟୀ ଯୁଦ୍ଧବିରତି ଚାହେଁ ନାହିଁ ।