ମହାଶୂନ୍ୟରୁ ପୃଥିବୀ… ସୁନୀତାଙ୍କୁ ସ୍ବାଗତ କଲା ସମୁଦ୍ର, ଭାରତରେ ବାଣ ଫୁଟାଇ ବିଜୟ ସେଲିବ୍ରେସନ
ନୂଆଦିଲ୍ଲୀ: ସେହି ସମୟକୁ ସମସ୍ତଙ୍କର ଅପେକ୍ଷା ଥିଲା… ଯେତେବେଳେ ମହାକାଶରୁ ଆସି ପୃଥିବୀରେ ପାଦ ଦେଇଥିଲେ ସୁନୀତା । ଆଉ ପଡିଥିଲା ଦୀର୍ଘ ୯ ମାସର ଯାତ୍ରାରେ ଯବନିକା । ଭାରତୀୟ ସମୟ ଭୋର୍ ୩ଟା ୨୭ ମିନିଟ୍ । ସମୁଦ୍ରରେ ଲ୍ୟାଣ୍ଡି କଲା ନାସାର ସ୍ବତନ୍ତ୍ର ସ୍ପେସକ୍ରାଫ୍ଟ । ପରେ ପରେ ସମୁଦ୍ରରୁ ବାହାରିରେ ମହାକାଶରେ ଜୀବନ ବଞ୍ଚାଇବାକୁ ୯ ମାସ ସଂଗ୍ରାମ କରିଥିବା ସଂଗ୍ରାମୀ ।
ସମୁଦ୍ରରେ ସ୍ପେସକ୍ରାଫ୍ଟ ଅବତରଣ ପରେ ସେଥିରୁ ହସି ହସି ବାହାରିଥିଲେ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର୍ । ମହାକାଶରୁ ଆସି ମାଟି ଛୁଇଁବା ପରେ ସୁନୀତାଙ୍କ ମୁହଁରେ ହସ ଖେଳି ଯାଇଥିଲା । ସମୁଦ୍ରରୁ ଉଦ୍ଧାର ହେବା ପରେ ସୁନୀତାଙ୍କୁ ଯିଏ ଦେଖୁଥିଲା ସିଏ କହୁଥିଲା ଇଏ ମହାକାଶଚାରୀ ନୁହେଁ ମ ଇଏ ମହାକାଶର ପରୀ… କାରଣ ମହାକାଶରେ ଏତେ ଦିନ ଧରି ତିଷ୍ଟିବା ସହଜ ନୁହେଁ ।
ମହାକାଶରୁ ସୁନୀତାଙ୍କୁ ପ୍ରଥମେ ସ୍ବାଗତ କରିଥିଲା ସମୁଦ୍ର । ନୀଳ ଜଳରାଶିର ଏ ଢେଉ ସୁନୀତାଙ୍କୁ ଅଭିନନ୍ଦନ ଜଣାଉଥିଲା ଆଉ ଅଥଳ ଜଳର ଗର୍ଜନ ସୁନା ଝିଅକୁ ସଲାମ୍ କରୁଥିଲା । ଖାଲି ଆମେରିକା କାହିଁକି ସୁନୀତାଙ୍କ ପୃଥିବୀ ପ୍ରତ୍ୟାବର୍ତ୍ତନ ଖୁସିରେ ଝୁମିଛି ବିଶ୍ବ । ସାରା ଦୁନିଆରେ ସୁନୀତାଙ୍କୁ ନେଇ ଚର୍ଚ୍ଚା, ଖୁସି ଆଉ ସେଲିବ୍ରେସନ ।
ସୁନୀତା ଭାରତୀୟ ବଂଶୋଦ୍ଭବ ହୋଇଥିବାରୁ ଗୁଜୁରାଟରେ ବାଣ ଫୁଟାଇ ଲୋକେ ସୁନୀତାଙ୍କ ଫେରିବା ବିଜୟକୁ ସେଲିବ୍ରେସନ କରିଛନ୍ତି । ବାରଣାସୀରେ ସୁନୀତାଙ୍କ ପାଇଁ ହୋମଯଜ୍ଞ ହୋଇଛି, ଠାକୁରଙ୍କ ପାଖରେ ପୂଜାର୍ଚ୍ଚନା ହୋଇଛି । ତେବେ ଭାରତ ସମେତ ଅନେକ ଦେଶରେ ସୁନୀତାଙ୍କ ବିଜୟକୁ ବାଣ ଫୁଟାଇ ସେଲିବ୍ରେସନ କରାଯାଉଥିବା ବେଳେ ଚିତ୍ରଶିଳ୍ପୀ ନିଜ ଚିତ୍ର ମାଧ୍ୟମରେ ତାଙ୍କୁ ସ୍ବଗତ ଜଣାଇଛି । ଆଉ ସୁନୀତା ଫେରିବାର ସେହି ମୁହୂର୍ତ୍ତକୁ ଲୋକେ ଟିଭିରେ ଲାଇଭ ଦେଖିଛନ୍ତି ।