ମିଆଁମାର ଚୁରମାର୍ ! ଧ୍ୱଂସର ତାଣ୍ଡବଲୀଳା, କେଇ ସେକେଣ୍ଡରେ ଶବ ପାଲଟିଗଲେ ଶତାଧିକ ମଣିଷ…
ମିଆଁମାର: ଦୁଇ ଦୁଇଟି ବିରାଟ୍ ଭୂକମ୍ପ ଝଟକାରେ ଦୋହଲି ଯାଇଛି ମିଆଁମାର ଓ ଥାଇଲାଣ୍ଡ । ପ୍ରକୃତି ରଚିଛି ତାଣ୍ଡବଲୀଳା । ଧ୍ୱଂସର ଏହି ଭୟଙ୍କର ଝଟକା ପରେ ମିଆଁମାରଠୁ ଥାଇଲାଣ୍ଡ ସବୁଠି ହାହାକାର, ସବୁଠି ଜୀବନ ପାଇଁ ସଂଘର୍ଷ ଏବଂ ସବୁଠି ଜୀବନ-ମୃତ୍ୟୁ ଭିତରେ ଟଣାଓଟରା । କେଉଁଠି ବଡ ବଡ କୋଠାରେ ଶହଶହ ଜୀବନ ନିଖୋଜ ତ କେଉଁଠି ସୁଉଚ୍ଚ ଅଟ୍ଟାଳିକା ତଳେ ଚାପି ହୋଇ ରହି ଛଟପଟ ହେଉଛି ଜୀବନ । ଭୁଶୁଡି ପଡିଛି ମଲ୍, ଭାଙ୍ଗିଯାଇଛି ଘର, ଫାଟିଯାଇଛି ରାସ୍ତା, ଗଡି ପଡିଛି ଗଛ… ସବୁଠି ମୃତ୍ୟୁର ତାଣ୍ଡବଲୀଳା ଆଉ ସବୁଠି ଜୀବନର ଆର୍ତ୍ତ ଚିତ୍କାର… ବଞ୍ଚାଅ ବଞ୍ଚାଅର ଡାକ । କିଏ ଶୁଣିବ, କିଏ କାହାକୁ ଉଦ୍ଧାର କରିବ । ସମସ୍ତେ ତ ଏଠି ନିଜ ନିଜ ଜୀବନକୁ ନେଇ ଧାଇଁଛନ୍ତି । କେଉଁଠି ଆଗେ ଆଗେ ମୃତ୍ୟୁ ତ କେଉଁଠି ପଛେ ପଛେ ମୃତ୍ୟୁ ଧାଉଁଥିବା ଦେଖିବାକୁ ମିଳିଛି ।
ମିଆଁମାରରେ ବିଭିନ୍ନ ସ୍ଥାନରେ ଭୂକମ୍ପ କାରଣରୁ ବଡ ବଡ କୋଠା ଭୁଶୁଡି ପଡିଛି ଏବଂ ସେହି କୋଠା ତଳୁ ବୁଲଡୋଜର ଜରିଆରେ ନିଖୋଜ ମଣିଷଙ୍କୁ ଖୋଜା ଚାଲିଛି । ବ୍ୟାଙ୍କକକେ ଏକ ନିର୍ମାଣାଧୀନ ଅଟ୍ଟାଳିକା ଭୁଶୁଡୁଥିବାରୁ ଭିଡିଓ ଭାଇରାଲ ହେଉଛି । ଯେଉଁଠି ପ୍ରାୟ ୯୦ ଜଣ ଶ୍ରମିକ କାମ କରୁଥିବା କୁହାଯାଉଛି । ଯେଉଁମାନଙ୍କର କୌଣସି ପତ୍ତା ବି ମିଳୁନି ।ଖାଲି କୋଠା କି ରାସ୍ତା ନୁହେଁ ମଲ୍, ହସ୍ପିଟାଲ, ରେଳ ଷ୍ଟେସନ, ବିମାନବନ୍ଦର, ସ୍କୁଲ, କଲେଜ, ବଜାରରେ ଏମିତି ଅନେକ ସ୍ଥାନରେ ଲୋକେ ଭୂକମ୍ପ ଦ୍ବାରା ପ୍ରଭାବିତ ହୋଇଛନ୍ତି ଆଉ ମୃତାହତ ବି ହୋଇଛନ୍ତି । ଯଦିଓ ସରକାରୀ ସ୍ତରରେ କୌଣସି ସୂଚନା ମିଳିନି ତେବେ ଭୂକମ୍ପରେ ମୃତକଙ୍କ ସଂଖ୍ୟା ଶତାଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।