ରାଜ୍ୟ

କାମାକ୍ଷା ଏକ୍ସପ୍ରେସର ୧୧ଟି ବଗି ଲାଇନଚ୍ୟୁତ: ଟ୍ରାକ୍ ମରାମତି କାମ ସରିଲା, ରେଳ ଚଳାଚଳ ହେବ ସ୍ୱାଭାବିକ

ଟାଙ୍ଗୀ: ଗତକାଲି ବେଙ୍ଗାଲୁରୁରୁ ଗୌହାଟୀ ଯାଉଥିବା କାମାକ୍ଷା ଏକ୍ସପ୍ରେସର ୧୧ଟି ବଗି  ମଙ୍ଗୁଳି ରେଳଷ୍ଟେସନ୍ ନିକଟରେ ଲାଇନ୍ଚ୍ୟୁତ ହେବା ପରେ ଏଠାରେ ୪ଟା ବେଳେ ଟ୍ରାକ୍ ମରାମତି କାମ ଆରମ୍ଭ ହୋଇଥିଲା। ରେଲବାଇ ସେଫ୍ଟି କମିସନର୍ ଘଟଣାର ସରଜମିନ ତଦନ୍ତ କରିଥିଲେ। ଆଜି ସକାଳ ୭ଟା ୧୫ ବେଳକୁ ଏହି ମରାମତି କାମ ଶେଷ ହୋଇଛି। ଏନେଇ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ରେଳ ଚଳାଚଳ ଏବେ ସ୍ୱାଭାବିକ ହେବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ, ଗତକାଲି ପୂର୍ବାହ୍ଣ ୧୧ଟା ୫୦ରେ ବେଙ୍ଗାଲୁରୁରୁ ଗୌହାଟୀ ଯାଉଥିବା କାମାକ୍ଷା ଏକ୍ସପ୍ରେସ୍ର ୧୧ଟି ବଗି ମଙ୍ଗୁଳି ରେଳଷ୍ଟେସନ୍ ନିକଟରେ ଲାଇନ୍ଚ୍ୟୁତ ହୋଇଥିଲା। ଏଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୧୬ ଜଣ ଆହତ ହୋଇଥିଲେ। ମୃତକ ହେଉଛନ୍ତି ପଶ୍ଚିମବଙ୍ଗର ଶୁଭଙ୍କର ରାୟ(୨୩)। ମା’ଙ୍କ ଚିକିତ୍ସା ପାଇଁ ବେଙ୍ଗାଲୁରୁରୁ ଫେରୁଥିବା ବେଳେ ଟ୍ରେନ୍ ଦୁର୍ଘଟଣାରେ ତାଙ୍କ ଜୀବନ ଯାଇଛି। ଅନ୍ୟପଟେ ୧୬ ଆହତଙ୍କୁ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ଅନ୍ୟ ଦୁଇ ଜଣ ନ୍ୟୁରୋ ଓ ପେଡିଆଟ୍ରିକ୍ ବିଭାଗରେ ଚିକିତ୍ସାଧୀନ ଅଛନ୍ତି। 
ଦୁର୍ଘଟଣାଗ୍ରସ୍ତ ବଗିରେ ଥିବା ଯାତ୍ରୀଙ୍କ କହିବାନୁଯାୟୀ, କଟକ ବିରୂପା ସେତୁ ଅତିକ୍ରମ କରିବା ପରେ ବିକଟାଳ ଶବ୍ଦ କରି ଟ୍ରେନ୍ଟି ଗୋଟିଏ ପାଖକୁ ଢଳି ପଡ଼ିଥିଲା। ଯାତ୍ରୀମାନେ ପରସ୍ପର ଉପରେ ପଡ଼ି ଖଣ୍ଡିଆ ଖାବରା ହୋଇଥିଲେ। କିଛି ଯାତ୍ରୀ ଶୋଇଥିବା ଅବସ୍ଥାରେ ତଳକୁ ଖସି ଆହତ ହୋଇଥିଲେ। ତେବେ ବଗିର ଦୁଆରମୁହଁରେ ଠିଆ ହୋଇଥିବା ଯୁବକ ଜଣକ ବାହାରକୁ ଖସିପଡ଼ିବାରୁ ମୁଣ୍ଡରେ ଗଭୀର ଆଘାତ ଲାଗି ମୃତ୍ୟୁ ଘଟିଥିଲା। ଟ୍ରେନ୍ଟି ଲାଇନ୍ଚ୍ୟୁତ ହେବା ପରେ କିଛି ଯାତ୍ରୀ ଭୟଭୀତ ହୋଇ ତଳକୁ ଡେଇଁ ପଡ଼ିଥିଲେ। ଦୁର୍ଘଟଣା ପରେ ଡାଉନ୍ଲାଇନ୍ରେ ଯିବାକୁ ଥିବା ସମସ୍ତ ଟ୍ରେନ୍ର ଗତିପଥକୁ ପରିବର୍ତ୍ତନ କରାଯାଇଥିଲା। ଅଫ୍ଲାଇନ୍ରେ ସମସ୍ତ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଥିଲା। ତେବେ ଅଫ୍ଲାଇନରେ କୋଲକାତାରୁ ପୁରୀ ଅଭିମୁଖେ ଆସୁଥିବା ଆନନ୍ଦବିହାର ଟର୍ମିନାଲ୍ ଟ୍ରେନ୍ ମଙ୍ଗୁଳି ଷ୍ଟେସନ୍ ନିକଟରେ ଅଟକି ରହିଥିଲା। ଦୁର୍ଘଟଣାସ୍ଥଳରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା।
ଦୁର୍ଘଟଣା ଘଟିବାର ଘଣ୍ଟାଏରୁ ଅଧିକ ସମୟ ପର୍ଯ୍ୟନ୍ତ କୌଣସି ଅଧିକାରୀ ପହଞ୍ଚି ନଥିଲେ। ବିଶେଷକରି ପ୍ରବଳ ଖରା ସମୟରେ ଯାତ୍ରୀମାନେ ପାଣି ଓ ଖାଦ୍ୟ ପାଇଁ ଡହଳବିକଳ ହୋଇଥିଲେ। ପରେ ଜିଲ୍ଲାପାଳ ଭାଉସାହେବ ଦତ୍ତାତ୍ରେୟ ସିନ୍ଦେ, ସଦର ବିଧାୟକ ଇଂ. ପ୍ରକାଶ ସେଠୀଙ୍କ ସମେତ ରେଳବିଭାଗର ଉଚ୍ଚ ଅଧିକାରୀ ଓ ପୁଲିସ ଅଧିକାରୀ ପହଞ୍ଚିଥିଲେ। ଏନ୍ଡିଆର୍ଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଯାତ୍ରୀଙ୍କୁ ଉଦ୍ଧାର କରି କଟକ ବଡ଼ଡାକ୍ତରଖାନା ପଠାଇଥିଲେ।  ଅପରାହ୍ଣ ପ୍ରାୟ ୪ଟା ବେଳେ ପୂର୍ବତଟ ରେଳବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ୨୧୫୧୪୮/ସି  ମଙ୍ଗୁଳି ଷ୍ଟେସନ୍ ନିକଟକୁ ଆସି ଯାତ୍ରୀଙ୍କୁ ନେଇ ଗୌହାଟୀ ଅଭିମୁଖେ ଯାତ୍ରା କରିଥିଲା।

Leave a Reply

Your email address will not be published. Required fields are marked *