ମଧ୍ୟପ୍ରଦେଶରେ ହେଲା ଗୁଜୁରାଟ ବାଣ ବିସ୍ଫୋରଣରେ ପ୍ରାଣ ହରାଇଥିବା ୧୮ ଶ୍ରମିକଙ୍କ ଅନ୍ତିମ ସଂସ୍କାର, ଲୁହରେ ଭିଜିଲା ପରିବେଶ..
ଭୋପାଳ: ଏକାଠି ଜଳିଲା ୧୮ ଜଣଙ୍କ ଜୁଇ । ନର୍ମଦା ନଦୀ କୂଳରେ ଅନ୍ତିମ ସଂସ୍କାର । ଭିଜିଗଲା ଆଖି, ବତୁରିଗଲା ହୃଦୟ । ସମସ୍ତେ କାନ୍ଦ କାନ୍ଦ, ସମସ୍ତଙ୍କ ଆଖିରେ ଲୁହ ଛାତିରେ କୋହ । କିଏ ପୁଅକୁ ହରାଇଛି ତ କିଏ ସ୍ବାମୀଙ୍କୁ ତ ପୁଣି କିଏ ପ୍ରିୟଜନଙ୍କୁ ହରାଇ ନର୍ମଦା କୂଳରେ ନିଗାଡୁଛନ୍ତି ଲୁହ । ଏପଟେ ଜୁଇ ଜଳୁଛି, ସେପଟେ ଆଖିରୁ ଲୁହର ନଈ ବହିଯାଉଛି । ମୃତକଙ୍କ ପରିବାର ଲୋକଙ୍କ ଅବସ୍ଥା ଦେଖିଲେ ଲାଗୁଥିଲା ସତେକି ନର୍ମଦା ସାମ୍ନାରେ ନୁହେଁ ବରଂ ସେମାନଙ୍କ ଆଖିରେ ହିଁ ବହି ଯାଉଛି ନଦୀଟେ ହୋଇ ।
ଗୁଜୁରାଟ ବାଣ ଗୋଦାମରେ ବିସ୍ଫୋରଣ ଯୋଗୁଁ ୨୦ ଜଣଙ୍କ ପ୍ରାଣ ବାୟୁ ଉଡିଯାଇଥିବା ବେଳେ ଏବେ ମଧ୍ୟପ୍ରଦେଶରୁ ଆସିଛି ଲୁହଭିଜା କାହାଣୀ । ଯେତେବେଳେ ୧୮ ଜଣଙ୍କ ଶବ ଏକାଠି ଜଳୁଛି ସେତେବେଳେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
ତେବେ ଗୁଜୁରାଟ ବାଣ ବିସ୍ଫୋରଣର ୨୦ ଜଣଙ୍କ ମୃତ୍ୟୁ ହୋଇଥିଲା । ହେଲେ ସେମାନଙ୍କ ଭିତରୁ ୧୮ ଜଣ ମଧ୍ୟପ୍ରଦେଶର ହରଦା ଜିଲ୍ଲା ଏବଂ ଦେବାସ ଜିଲ୍ଲାର ଥିଲେ ଏବଂ ସମସ୍ତ ଶ୍ରମିକଙ୍କ ଶବ ଦେବାସ ଜିଲ୍ଲାର ନର୍ମଦା ନଦୀ କୂଳରେ ସଂସ୍କାର କରାଯାଇଛି । ପ୍ରଶାସନ ପକ୍ଷରୁ ଅନ୍ତିମ ସଂସ୍କାରର ବ୍ୟବସ୍ଥା କରାଯାଇଥିବା ବେଳେ ସ୍ଥାନୀୟ ଜନ ପ୍ରତିନିଧି ସାମିଲ ଥିଲେ । ଏହି ସମୟରେ ମୃତକଙ୍କ ପରିବାର ଲୋକେ ନ୍ୟାୟ ମାଗିଥିଲେ ।