ମମତାଙ୍କୁ ସମର୍ଥନ କଲେ ରାହୁଲ: ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ
ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପୁଣି ଥରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମର୍ଥନରେ ବାହାରିଛନ୍ତି। ସୁପ୍ରିମକୋର୍ଟଙ୍କ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ରଦ୍ଦ ରାୟ ପରେ ହଜାର ହଜାର ଶିକ୍ଷକଙ୍କ ଚାକିରି ବଞ୍ଚାଇବା ପାଇଁ ସେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାହୁଲ ଗାନ୍ଧୀ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଚିଠି ଲେଖି ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି। ଚିଠିରେ ସେ ସେହି ଶିକ୍ଷକମାନଙ୍କ ପାଇଁ ନ୍ୟାୟ ଲାଗି ଆବେଦନ କରିଛନ୍ତି। ରାହୁଲ କହିଛନ୍ତି ଯେ, ଏହି ଲୋକମାନେ ଚୟନ ପ୍ରକ୍ରିୟାକୁ ନିରପେକ୍ଷ ଭାବରେ ପାସ୍ କରିଥିଲେ। କିନ୍ତୁ ସୁପ୍ରିମକୋର୍ଟଙ୍କ ରାୟ ପରେ ସେମାନେ ଚାକିରି ହରାଇଲେ।
ରାହୁଲ ଗାନ୍ଧୀ ତାଙ୍କ ଅଫିସିଆଲ୍ ସୋସିଆଲ ମିଡିଆ ଏକ୍ସ ହ୍ୟାଣ୍ଡେଲରେ ଏହି ସୂଚନା ଦେଇ ଲେଖିଛନ୍ତି, ମୁଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଚିଠି ଲେଖିଛି। ନ୍ୟାୟପାଳିକା ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ରଦ୍ଦ କରିବା ପରେ ପଶ୍ଚିମବଙ୍ଗର ହଜାର ହଜାର ଯୋଗ୍ୟ ସ୍କୁଲ ଶିକ୍ଷକଙ୍କ ଚାକିରି ହରାଇଥିବା କ୍ଷେତ୍ରରେ ଦ୍ରୌପଦୀ ମୁର୍ମୁ ଜୀଙ୍କଠାର ତାଙ୍କର ଦୟାର ହସ୍ତକ୍ଷେପ ମୁଁ ଲୋଡ଼ିଛି। ନିରପେକ୍ଷ ଭାବରେ ମନୋନୀତ ପ୍ରାର୍ଥୀମାନଙ୍କୁ ସେମାନଙ୍କର ଚାକିରି ବଜାୟ ରଖିବା ପାଇଁ ଅନୁମତି ଦେବା ପାଇଁ ମୁଁ ଦ୍ରୌପଦୀ ମୁର୍ମୁଙ୍କୁ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛି।
୨୦୧୬ ମସିହାରେ ପଶ୍ଚିମବଙ୍ଗରେ ସ୍କୁଲ ସେବା ଆୟୋଗ (ଏସଏସସି) ଦ୍ୱାରା ପରିଚାଳିତ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଆସିବା ପରେ କୋଲକାତା ହାଇକୋର୍ଟ ଏହାକୁ ରଦ୍ଦ କରିଦେଇଥିଲେ। ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ସମ୍ପ୍ରତି କାଏମ୍ ରଖିଛନ୍ତି। ଯାହା ପରେ ୨୫,୭୫୩ ଜଣ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତି ରଦ୍ଦ କରାଯାଇଛି।