ମୋ ବାପା ସମ୍ପୂର୍ଣ୍ଣ ସୁସ୍ଥ, ୨୦୧୦ ଅପେକ୍ଷା ଅଧିକ ବହୁମତରେ ଜିତିବୁ: ନୀତିଶଙ୍କ ପୁଅ ନିଶାନ୍ତଙ୍କ ଦାବି
ପାଟନା: ବିଧାନସଭା ନିର୍ବାଚନ ପୂର୍ବରୁ ବିହାରରେ ରାଜନୈତିକ ସ୍ଥିତି ଉଷ୍ଣ ହେବାରେ ଲାଗିଛି। ରାଜନୈତିକ ଦଳଗୁଡ଼ିକ ନିଜସ୍ୱ ସମୀକରଣ ସ୍ଥିର କରିବାରେ ବ୍ୟସ୍ତ। ଏହି ସମୟରେ, ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାରଙ୍କ ରାଜନୀତିରେ ଯୋଗଦାନ ବିଷୟରେ ବହୁତ ଚର୍ଚ୍ଚା ହେଉଛି, ଯଦିଓ ସେ ଏ ବିଷୟରେ କିଛି ସ୍ପଷ୍ଟ କରିନାହାନ୍ତି। ଆସନ୍ତା ବିଧାନସଭା ନିର୍ବାଚନ ସମ୍ପର୍କରେ ସେ କହିଛନ୍ତି ଯେ, ଜନତା ମୋ ବାପାଙ୍କୁ ପୁଣି ଥରେ ନିର୍ବାଚନରେ ଜିତାଇ ମୁଖ୍ୟମନ୍ତ୍ରୀ କରିବେ।
ରାଜ୍ୟ ରାଜନୀତିରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସବୁବେଳେ ପ୍ରଶ୍ନ ଉଠାଯାଉଛି, ଏହା ଉପରେ ନିଶାନ୍ତ କୁମାର କହିଛନ୍ତି, ମୋ ବାପା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ସେ ଆଶା ପ୍ରକଟ କରିଛନ୍ତି, ବିହାରର ଲୋକମାନେ ମୋ ବାପାଙ୍କୁ ୨୦୧୦ ବର୍ଷ ଅପେକ୍ଷା ଅଧିକ ବହୁମତରେ ବିଜୟୀ କରାଇବେ।
ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ ବିଷୟରେ ପ୍ରଶ୍ନ ନେଇ ନିଶାନ୍ତ ସ୍ପଷ୍ଟ କରିଛନ୍ତି ଯେ, ନୀତିଶ ମୁଖ୍ୟମନ୍ତ୍ରୀ ହେବେ। ସେ କହିଛନ୍ତି, କାକା ଅମିତ ଶାହ ଏବଂ ସମ୍ରାଟ ଚୌଧୁରୀ ମଧ୍ୟ ସ୍ପଷ୍ଟ କରିସାରିଛନ୍ତି ଯେ, ନୀତିଶ କୁମାର ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। କିନ୍ତୁ ମୁଁ ଜାଣି ପାରୁନାହିଁ, ବିରୋଧୀ କାହିଁକି ଏହା ଉପରେ ପ୍ରଶ୍ନ ଉଠାଉଛନ୍ତି। ସେ ପୁଣି ଥରେ ବିହାରର ଲୋକମାନଙ୍କୁ ଅପିଲ୍ କରିଛନ୍ତି, ମୋ ବାପାଙ୍କୁ ବହୁମତରେ ବିଜୟୀ କରାନ୍ତୁ।