ରାଜ୍ୟ

ଲକ୍ଷପତି ଦିଦି ସୃଷ୍ଟି କରିବାରେ ସମଗ୍ର ଦେଶରେ ପ୍ରଥମ ହେଲା ଓଡ଼ିଶା

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ଗ୍ରାମୀଣ ମହିଳାମାନଙ୍କୁ ସ୍ଥାୟୀ ଜୀବିକା ଯୋଗାଇ ଦେଇ ବାର୍ଷିକ ୧ ଲକ୍ଷ କିମ୍ବା ଅଧିକ ରୋଜଗାର କରିବାକୁ ସଶକ୍ତ କରୁଥିବା ‘ଲକ୍ଷପତି ଦିଦି’ ଯୋଜନାରେ ଓଡ଼ିଶା ଆଜି ଭାରତରେ ପ୍ରଥମ ସ୍ଥାନ ହାସଲ କରିଛି। ୨୦୨୫ ଏପ୍ରିଲ ୧୩  ସୁଦ୍ଧା ଓଡ଼ିଶାରେ ଚିହ୍ନଟ କରାଯାଇଥିବା ୧୭.୫୯ ଲକ୍ଷ ସମ୍ଭାବ୍ୟ ଲକ୍ଷପତି ଦିଦିଙ୍କ ମଧ୍ୟରୁ ୧୪ ଲକ୍ଷରୁ ଊର୍ଦ୍ଧ୍ଵ ମହିଳା ଏଯାବତ ଲକ୍ଷପତି ଦିଦିରେ ପରିଣତ ହୋଇସାରିଛନ୍ତି। ଅନୁମୋଦିତ ଲକ୍ଷ୍ୟର ୮୨% ପୂରଣ କରି ଓଡିଶା ଦେଶର ଅନ୍ୟ ସମସ୍ତ ରାଜ୍ୟକୁ ଅତିକ୍ରମ କରିଛି। ଏହି ପ୍ରୟାସକୁ ଓଡିଶାରେ ମିସନ ଶକ୍ତି ବିଭାଗ ଅଧୀନରେ ଓଡିଶା ଜୀବିକା ମିଶନ (ଓଏଲଏମ) ଦ୍ୱାରା କାର୍ଯ୍ୟକାରୀ କରାଯାଇଛି ଏବଂ କେନ୍ଦ୍ର ପ୍ରାୟୋଜିତ ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଏନଆରଏଲଏମ)ର ଲକ୍ଷ୍ୟ ସହିତ କାର୍ଯ୍ୟକାରୀ କରାଯାଇଛି। ମିସନ-ମୋଡ୍ ରେ ଆରମ୍ଭ ହୋଇ ଏହି କାର୍ଯ୍ୟକ୍ରମ ରାଜ୍ୟରେ ବିଭାଗୀୟ ସହଭାଗିତା, ଆଞ୍ଚଳିକ ସ୍ତରରେ ନେତୃତ୍ୱ, ଏବଂ  ଜୀବନ ଜୀବିକାକୁ ସୃଦୃଢ କରି ଏକ ଶକ୍ତିଶାଳୀ ମଡେଲ ଭାବେ ଉଭା ହୋଇଛି।

ଏହି ପରିବର୍ତ୍ତନର ଆରମ୍ଭ ତୃଣମୂଳ ସ୍ତରରୁ ସମ୍ଭାବ୍ୟ ଲକ୍ଷପତି ଦିଦି (ପିଏଲଡି) ଙ୍କୁ ଘର-ଘର ବୁଲି ଚିହ୍ନଟ ଅଭିଯାନ ମାଧ୍ୟମରେ ଆରମ୍ଭ ହୋଇଥିଲା। କମ୍ୟୁନିଟି ସପୋର୍ଟ ସ୍ଟାଫ୍ (ସିଏସ୍‌ଏସ୍‌), ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ନେତ୍ରୀବୃନ୍ଦ ତଥା ଓଏଲଏମ ଅଧିକାରୀମାନେ ଘରକୁ ଘର ସର୍ବେକ୍ଷଣ କରି, ଆୟ ସ୍ତର, ଦକ୍ଷତା, ଏବଂ ଆର୍ଥିକ ସ୍ୱାଧୀନତାର ଆକାଂକ୍ଷାକୁ ତର୍ଜମା କରିଥିଲେ। ଏହି ମହିଳାମାନଙ୍କୁ କେବଳ ଚିହ୍ନଟ କରାଯାଇନଥିଲା, ସେମାନଙ୍କୁ ପ୍ରଶିକ୍ଷଣ, ସମସ୍ତ ଆବଶ୍ୟକୀୟ ସହାୟତା ଏବଂ ମାର୍ଗଦର୍ଶନ ମଧ୍ୟ ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *