ଛାତ୍ରୀ ମୃତ୍ୟୁକୁ ବିଶ୍ୱାସ କରିପାରୁନାହାନ୍ତି ସ୍ଥାନୀୟ ଲୋକେ; ସାଇଣ୍ଟିଫିକ ଟିମ୍ର ତନାଘନା ଜାରି
ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ପଦ୍ମନାଭପୁର ଗ୍ରାମରେ ବୁଧବାର ପଞ୍ଚମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣାକୁ ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ୧୦ ବର୍ଷ ବୟସର ଝିଅ ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ରରେ ଲାଗିଥିବା ଏକ ଦଉଡ଼ି ବେକରେ ଲଗେଇ ଝୁଲି ପଡ଼ିଥିଲା ନା ତାକୁ ହତ୍ୟା କରାଯାଇ ଏଭଳି ରୂପ ଦିଆଯାଇଛି ସେନେଇ ମଧ୍ୟ ଚର୍ଚ୍ଚା ହେଉଛିl ସମସ୍ତଙ୍କ ମୁହଁରେ ଗୋଟିଏ କଥା ହାତ ପାଉନଥିବା ଦଉଡ଼ି ବେକରେ କେମିତି ଲଗେଇ ଜୀବନ ହାରିଲା?
ସୂଚନା ଅନୁଯାଇ ଗଣ୍ଡର୍ଦା ଗ୍ରାମର ଲକ୍ଷ୍ମୀଧର ସାହୁ ତାଙ୍କ ସ୍ତ୍ରୀ ଫୁଲମଣୀଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା। ଏହି କାରଣରୁ ଫୁଲମଣୀ ତାଙ୍କ ଗୋଟେ ପୁଅ ଓ ସାନ ଝିଅକୁ ଧରି ପଦ୍ମନାଭପୁରସ୍ଥିତ ଲକ୍ଷ୍ମୀଧରଙ୍କ ମାଉସୀ ବିଜୟଲକ୍ଷ୍ମୀଙ୍କ ଘରେ ଦୀର୍ଘ ଦିନରୁ ରହି ଆସୁଥିଲେl ଫୁଲମଣୀ ଘରେ ନରହି ପରିବାର ପ୍ରତିପୋଷଣ ପାଇଁ ପ୍ରାୟତଃ ଇଟାଭାଟିରେ କାମ କରିବାକୁ ଚାଲିଯାଏl ଲକ୍ଷ୍ମୀଧରର ମାଉସୀ ବିଜୟଲକ୍ଷ୍ମୀ ଜଣେ ଅଙ୍ଗନବାଡି ସହକର୍ମୀ ହୋଇଥିବାବେଳେ ଘରେ ଏକୁଟିଆ କେବଳ ନିଜ ୧୬ବର୍ଷର ନାତି ଓ ୧୦ବର୍ଷର ନାତୁଣୀ ଅମ୍ରିତାକୁ ନେଇ ରୁହେl
ଅମ୍ରିତା ସେଠାରେ ରହି ପାଠ ନପଢିବା କାରଣରୁ ଗାତବର୍ଷ ତାର ମା ତାକୁ ନେଇ ବାଲେଶ୍ୱର ଜିଲ୍ଲା କାଠସିଙ୍ଗଡ଼ାସ୍ଥିତ ମାମୁଁ ଘରେ ଛାଡି ଦେଇ ଆସିଥିଲାl ସେଠାରେ ସେ ଟିଉସନ ଓ ସ୍କୁଲ ଯିବା ସହିତ ଚଳିତ ବର୍ଷ ୫ମ ଶ୍ରେଣୀ ପରୀକ୍ଷା ଦେଇ ଉତୀର୍ଣ୍ଣ ହୋଇଥିଲା। ବୈଶିଙ୍ଗା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଉଡ଼ା ପର୍ବ ଚାଲିଥିବାବେଳେ ସେ କିଛି ଦିନ ପୂର୍ବରୁ ପଦ୍ମନାଭପୁରସ୍ଥିତ ନିଜ ଜେଜେମା ପାଖକୁ ପଳିଆସିଥିଲାl ମଙ୍ଗଳବାର ସନ୍ଧ୍ୟାରେ ଅମ୍ରିତାର ମାମୁଁ ତାଙ୍କ ପରିବାର ସହିତ ମଧ୍ୟ ମହୁରୀ ଉଡ଼ା ବୁଲିବାକୁ ଆସିଥିଲେ ଓ ଫେରିବାବେଳେ ଅମ୍ରିତାଙ୍କୁ ସାଙ୍ଗରେ ନେଇଯିବା ପାଇଁ କହିଥିଲେl କିନ୍ତୁ ଅମ୍ରିତା ଯିବ ନାହିଁ ବୋଲି ଜିଦ ଧରିବାରୁ ତାର ଜେଜେମା ଓ ମାମୁଁ ତାକୁ ଟିଉସନ ଓ ସ୍କୁଲ ଯିବ କହି ମାମୁଁ ଘରକୁ ବାଧ୍ୟ କରି ପଠାଇ ଦେଇଥିଲେl