ବାଂଲାଦେଶୀ ତସ୍କରଙ୍କ ଆକ୍ରମଣରେ ବିଏସଏଫ ଯବାନ ଗୁରୁତର, ଛଡ଼ାଇ ନେଲେ ଅସ୍ତ୍ର
କୋଲକାତା : ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାରେ ଜଣେ ବିଏସଏଫ ଯବାନଙ୍କୁ ବାଂଲାଦେଶୀ ତସ୍କରମାନେ ଆକ୍ରମଣ କରି ଗୁରୁତର ଆହତ କରିଛନ୍ତି । ଏହା ସହିତ ସେମାନେ ଆହତ ଯବାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଛଡାଇ ନେଇ ଫେରାର ହୋଇଯାଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, କୃଷ୍ଣନଗର ସେକ୍ଟର ଅଧୀନରେ ଥିବା ସୀମା ଆଉଟପୋଷ୍ଟ ସିକାରା ଅଞ୍ଚଳରେ ଡ୍ୟୁଟିରେ ଥିବା ବିଏସଏଫ ଯବାନ ବେଆଇନ ଭାବେ ଭାରତୀୟ ସୀମା ମଧ୍ୟରେ ଅନୁପ୍ରବେଶ କରୁଥିବା ୪ ଜଣ ତସ୍କରଙ୍କୁ ଅଟକାଇବାରୁ ସେମାନେ ମିଳିତଭାବେ ତାଙ୍କୁ ଆକ୍ରମଣ କରିଥିଲେ । ତସ୍କରମାନେ ଯବାନଙ୍କୁ ତୀକ୍ଷ୍ଣ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଯବାନ କିଛି ବୁଝିବା ବେଳକୁ ଚୋରା ଚାଲାଣକାରୀମାନେ ଆହତ ଯବାନଙ୍କଠାରୁ ତାଙ୍କ ସର୍ଭିସ ରାଇଫଲ ଛଡ଼ାଇ ନେଇ ବାଂଲାଦେଶ ଅଭିମୁଖେ ପଳାଇଥିଲେ ।
ଏ ସଂପର୍କରେ ଖବର ପାଇଁ ଅନ୍ୟ ବିଏସଏଫ ଯବାନମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ସହ ଆହତ ଯବାନଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରିଥିଲେ । ଅନ୍ୟପକ୍ଷରେ ଫେରାର ତସ୍କରମାନଙ୍କୁ ଧରିବାରୁ ବିଏସଏଫ ପକ୍ଷରୁ ବାଂଲାଦେଶର ସୀମା ସୁରକ୍ଷା ବାହିନୀ ସହ ଏକ ଫ୍ଲାଗ ମିଟିଂ କରି ସହଯୋଗ ମଗାଯାଇଛି । ଫେରାର ତସ୍କରମାନଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ବାଂଲାଦେଶ ପକ୍ଷରୁ ଆଶ୍ବାସନା ଦିଆଯାଇଛି ।
ଆଞ୍ଚଳିକ ମୁଖ୍ୟାଳୟ କୃଷ୍ଣନଗରର ଡେପୁଟି ଇନ୍ସପେକ୍ଟର ଜେନେରାଲ ସଞ୍ଜୟ କୁମାର କହିଛନ୍ତି ଯେ ଯେତେବେଳେ ଚୋରା ଚାଲାଣକାରୀ ଏବଂ ଅପରାଧିମାନେ ସୀମା ପାର ହୋଇ ସେମାନଙ୍କର ବେଆଇନ କାର୍ଯ୍ୟକଳାପରେ ସଫଳ ହୁଅନ୍ତି ନାହିଁ, ସେମାନେ ଯବାନମାନଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ କରନ୍ତି। କିନ୍ତୁ ତଥାପି ଆମର ସୈନିକମାନେ ସେମାନଙ୍କର ଯୋଜନାକୁ ସଫଳ ହେବାକୁ ଦେଉ ନାହାନ୍ତି ।