ରାଜ୍ୟ

ଭୁବନେଶ୍ୱର ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କ ପ୍ରସଙ୍ଗ: ଟଙ୍କା ଫେରିପାଇବେ ୯୫୩୭ ଜମାକାରୀ

ଭୁବନେଶ୍ବର: ବହୁ ବର୍ଷର ଲଢ଼େଇ ପରେ ଭୁବନେଶ୍ବର ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କର ୯୫୩୭ ଜଣ ଜମାକାରୀଙ୍କୁ ରାଜ୍ୟ ସରକାର ସଂପୂର୍ଣ୍ଣ ଟଙ୍କା ଫେରାଇବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ମେ’ ୧୫, ୨୦୧୫ରେ ଭୁବନେଶ୍ବର ଅର୍ବାନ କୋଅପରେଟିଭ୍ ବ୍ୟାଙ୍କର ସମାପନ ହୋଇ ଯାଇଥିବାରୁ ଏହି ତାରିଖ ସୁଦ୍ଧା ଯେଉଁ ଜମାକାରୀଙ୍କର ବ୍ୟାଙ୍କରେ ‌ସୁଧ ମୂଳ ମିଶାଇ ଯେତିକି ଟଙ୍କା ଥିଲା ସେତିକି ଟଙ୍କା ଫେରାଯିବ ବୋଲି ନିଷ୍ପତ୍ତି ହୋଇଛି। ଅର୍ଥାତ୍ ମେ’ ୧୫, ୨୦୧୫ରୁ ଆଜି ପର୍ଯ୍ୟନ୍ତ (ପ୍ରାୟ ୧୦ବର୍ଷ) ବ୍ୟାଙ୍କରେ ଥିବା ଟଙ୍କା ଉପରେ ଜମାକାରୀଙ୍କୁ କୌଣସି ସୁଧ ମିଳିବନି। ଓଡ଼ିଶାରେ ସମବାୟ ଆନ୍ଦୋଳନର ଆଦ୍ୟ ପ୍ରବକ୍ତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ରାଜ୍ୟ ସରକାର ଜମାକାରୀଙ୍କୁ ଟଙ୍କା ଫେରସ୍ତ ଅଭିଯାନ ଆରମ୍ଭ କରିଛନ୍ତି। ଆଜି ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୯ଜଣ ଜମାକାରୀଙ୍କୁ ପ୍ରତୀକାତ୍ମକ ଚେକ୍ ପ୍ରଦାନ କରିଥିଲେ। ପ୍ରଥମ ଦିନରେ ୧୧୭ଜଣ ଜମାକାରୀଙ୍କୁ ୨କୋଟି ୮୦ଲକ୍ଷ ଟଙ୍କା ଫେରସ୍ତ କରାଯାଇଛି। ବ୍ୟାଙ୍କର ଜମା ଅର୍ଥ ବାବଦକୁ ସମବାୟ ବିଭାଗ ପାଖରେ ଏବେ ପ୍ରାୟ ୧୩କୋଟି ଟଙ୍କା ଥିବାରୁ ପର୍ଯ୍ୟାୟକ୍ରମେ ମୋଟ୍ ୯୫୩୭ ଜଣ ଜମାକାରୀଙ୍କୁ ୨୦କୋଟି ୯୬ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏହାସହ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଖୁବ୍ ଶୀଘ୍ର ଢେଙ୍କାନାଳ, ଛତ୍ରପୁର, ଆସ୍କା ଓ ଭଞ୍ଜନଗର ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କଗୁଡ଼ିକର ମଧ୍ୟ ଜମାକାରୀଙ୍କ ଅର୍ଥ ଫେରସ୍ତ କରାଯିବ। ଏହି ୪ଟି ବ୍ୟାଙ୍କର ୧୭,୮୫୯ ଜଣ ଜମାକାରୀଙ୍କୁ ୬ କୋଟିରୁ ଅଧିକ ଟଙ୍କା ଫେରସ୍ତ କରାଯିବ।

Leave a Reply

Your email address will not be published. Required fields are marked *