ଆକ୍ରମଣ ପାଇଁ ଯୋଜନା: ପ୍ରତିରକ୍ଷା ସଂସଦୀୟ କମିଟିର ବୈଠକ ଅନୁଷ୍ଠିତ
ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ଜଣ ଭାରତୀୟଙ୍କ ମୃତ୍ୟୁ ପରେ ସୀମାରେ ଉତ୍ତେଜନା ଲାଗି ରହିଛି। ଆତଙ୍କବାଦୀଙ୍କୁ ଖୋଜିବା ଲାଗି ସେନା ଓ ପୁଲିସ ବାହିନୀ ପକ୍ଷରୁ ଜୋରଦାର୍ ତଲାସି ଅଭିଯାନ ଚାଲିଛି। ଗତ କିଛିଦିନ ମଧ୍ୟରେ ଜମ୍ମୁ କାଶ୍ମୀରରେ ପ୍ରାୟ ୧୦ ଜଣ ଆତଙ୍କବାଦୀଙ୍କ ଘରକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି। ଆତଙ୍କବାଦୀମାନଙ୍କ ଆଡ୍ଡାସ୍ଥଳରେ ପରିଣତ ହୋଇଥିବା ପାକିସ୍ତାନ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରେ ଦାବି ହେଉଛି। ଏଭଳି ସ୍ଥିତିରେ ସରକାର ଓ ସେନା ମଧ୍ୟରେ ଘନଘନ ବୈଠକ ବସୁଛି। ଆତଙ୍କବାଦୀ ଏବଂ ଆତଙ୍କବାଦକୁ ସମର୍ଥନ କରୁଥିବା ଶକ୍ତି ଉପରେ ଆକ୍ରମଣ ନେଇ ଯୋଜନା ପ୍ରସ୍ତୁତ ହେଉଛି। ଏହି ମର୍ମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ୭, ଲୋକକଲ୍ୟାଣ ମାର୍ଗସ୍ଥିତ ବାସଭବନରେ ପୂର୍ବାହ୍ଣ ୧୧ଟାରେ ଭେଟି ଆଲୋଚନା କରିଛନ୍ତି। ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲ ମଧ୍ୟ ଉପସ୍ଥିତ ଥିଲେ। ସବୁଠୁ ବଡ଼ କଥା ହେଉଛି, ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ସିଡିଏସ୍ ଅନୀଲ ଚୌହାନଙ୍କ ସହିତ ମଧ୍ୟ ଆଲୋଚନା କରିସାରିଛନ୍ତି।