ରାଜ୍ୟ

ହକି ବିଶ୍ବକପ୍‌: ଜର୍ମାନି-ବେଲଜିୟମ୍‌ ମ୍ୟାଚ୍‌ ୨-୨ରେ ଡ୍ର, ପଏଣ୍ଟ ବାଣ୍ଟିଲେ ଦୁଇ ଦଳ

ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ୍‌-୨୦୨୩ରେ ମଙ୍ଗଳବାର ଜର୍ମାନି ଓ ବେଲଜିୟମ ମଧ୍ୟରେ ଖେଳାଯାଇଥିବା ଅନ୍ୟ ଏକ ଲିଗ୍‌ ମ୍ୟାଚ୍‌ରେ ଦମଦାର ଲଢ଼େଇ ଦେଖିବାକୁ ମିଳିଛି। ଉଭୟ ଦଳର ଖେଳାଳି ଭଲ ପ୍ରଦର୍ଶନ କରିଛନ୍ତି। ଉଭୟ ଦଳ ପକ୍ଷରୁ ୨-୨ ଟି ଗୋଲ୍‌ ଦିଆଯାଇଥିବାରୁ ମ୍ୟାଚ୍‌ ଡ୍ର’ ହୋଇଛି ଏବଂ ପଏଣ୍ଟ ଭାଗ ହୋଇଛି।

ପ୍ରଥମ କ୍ବାର୍ଟରରେ ବେଲଜିୟମ ପ୍ରଥମ ଗୋଲ ଦେଇଥିଲା। ଚାର୍ଲିଅର କେଡରିକ ୯ ମିନିଟରେ ଏକ ଫିଲ୍ଡ ଗୋଲ୍‌ ଦେଇଥିଲେ। ଜାବ‌ବରେ ୨ୟ କ୍ବାର୍ଟରରେ ଜର୍ମାନିର ୱେଲ୍‌ନେଲ ନିକଲାସ ୨୨ମିନିଟରେ ଏକ ଗୋଲ ଦେଇ ଖେଳକୁ ସମାନ ସ୍ତରକୁ ଆଣିଥିଲେ। କ୍ବାର୍ଟର-୩ରେ ଜର୍ମାନି ୫୨ ମିନିଟରେ ଗୋଲ‌ ଦେଇ ୨-୧ରେ ଅଗ୍ରଣୀ ରହିଥିଲା। କିନ୍ତୁ ୫୪ ମିନିଟରେ ବେଲଜିୟମ ଏକ ଫିଲ୍ଡ ଗୋଲ ଦେଇ ମ୍ୟାଚକୁ ୨-୨ ସ୍ତରକୁ ଆଣିଥିଲା। ଶେଷରେ ମ୍ୟାଚ ଡ୍ର’ରେ ଶେଷ ହୋଇଥିଲା। ଜର୍ମାନିକୁ ଆଦୌ ପେନାଲ୍ଟି ଗୋଲ୍‌ ସୁଯୋଗ ମିଳି ନଥିଲା ବେଳେ ବେଲଜିୟମକୁ ୨ ଥର ସୁଯୋଗ ମିଳିଥିଲା। କିନ୍ତୁ ବେଲଜିୟମ ଏଥିରୁ ଫାଇଦା ଉଠାଇ ପାରି ନଥିଲେ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଜର୍ମାନି ଓ ବେଲଜିୟମ ମଧ୍ୟରେ ଏପର୍ଯ୍ୟନ୍ତ ୩୪ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଇଛି। ଏଥିରୁ ବେଲଜିୟମ ୧୫ଟି ମ୍ୟାଚ ଜିତିଥିଲା ବେଳେ ଜର୍ମାନି ୧୩ଟି ମ୍ୟାଚ ଜିତିଥିଲା। ୬ଟି ମ୍ୟାଚ ଡ୍ର’ ହୋଇଥିଲା।

ଆଜିର ପ୍ରଥମ ମ୍ୟାଚରେ କୋରିଆ ୨-୧ ଗୋଲ୍‌ରେ ଜାପାନକୁ ହରାଇଥିଲା। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଉଭୟ ଦଳର ଖେଳାଳି ଭଲ ଖେଳିଥିଲେ। ପ୍ରଥମ କ୍ବାର୍ଟରରେ ଉଭୟ କୋରିଆ ଓ ଜାପାନ ଗୋଲ୍‌ ଦେଇଥିଲେ। ଜାପାନ ତରଫରୁ ନାଗାୟୋଶି କେନ୍‌ ପ୍ରଥମ ମିନିଟରେ ପେନାଲ୍ଟି‌ ଗୋଲ ଦେଇଥିଲେ। ଜବାବରେ ଲି ଜୁଙ୍ଗ୍‌ଜୁନ୍‌ ୮ ମିନିଟରେ ଫିଲ୍ଡ ଗୋଲ୍‌ ଦେଇଥିଲେ। ଦ୍ବିତୀୟ କ୍ବାର୍ଟରରେ ଲି ପୁଣି ଅନ୍ୟ ଏକ ଗୋଲ ଦେଇ କୋରିଆକୁ ୨-୧ରେ ଅଗ୍ରଣୀ କରାଇଥିଲେ।

୩ୟ କ୍ବାର୍ଟରରେ ଉଭୟ କୋରିଆ ଓ ଜାପାନର ଖେଳାଳିଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। କୋରିଆକୁ ଏକାଧିକ ଥର ପେନାଲ୍ଟି ଗୋଲ୍‌ ଦେବାର ସୁଯୋଗ ମିଳିଥିଲେ ମଧ୍ୟ ଏହା କାର୍ଯ୍ୟରେ ପରିଣତ ହୋଇପାରି ନଥିଲା। କୋରିଆକୁ ମୋଟ ୮ ଥର ପେନାଲ୍ଟି ଗୋଲ୍‌ ଦେବାପାଇଁ ସୁଯୋଗ ମିଳିଥିଲା। ଅପରପକ୍ଷେ ଜାପାନକୁ ୬ ଥର ସୁଯୋଗ ମିଳିଥିଲେ ହେଁ ଏଥିରୁ ଗୋଟିଏ ଥର ସଫଳତା ମିଳିଥିଲା।

Leave a Reply

Your email address will not be published. Required fields are marked *