ପିଠିରେ ଆଘାତ ହେତୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଓଡିଆଇ ସିରିଜ ଖେଳିବେନି ଶ୍ରେୟସ
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ମଧ୍ୟକ୍ରମ ବ୍ୟାଟର ଶ୍ରେୟସ୍ ଅୟର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଓଡିଆଇ ସିରିଜରୁ ବାଦ ପଡିଛନ୍ତି। ପିଠିରେ ଆଘାତ ହେତୁ ସେ ଓଡିଆଇ ସିରିଜ୍ ଖେଳି ପାରିବେ ନାହିଁ ବୋଲି ଜଣାପଡ଼ିଛି। ତାଙ୍କ ସ୍ଥାନରେ ବିସିସିଆଇ ମଧ୍ୟପ୍ରଦେଶର ରଜତ ପାଟିଦାରଙ୍କୁ ଦଳରେ ସ୍ଥାନ ଦେଇଛି। ବୁଧବାର ହାଇଦ୍ରାବାଦରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତକୁ ପ୍ରଥମ ଓଡିଆଇ ଖେଳିବାକୁ ପଡିବ। ଏଥିରେ ଭାରତୀୟ କ୍ରିକେଟ ଟିମ୍ ସହ ରଜତ ପାଟିଦାର ପଡ଼ିଆକୁ ଓହ୍ଲାଇବେ।
ଇନ୍ଦୋରର ବାସିନ୍ଦା ରଜତ ପାଟିଦାର ମଧ୍ୟପ୍ରଦେଶରୁ ଘରୋଇ କ୍ରିକେଟ୍ ଖେଳନ୍ତି। ଏହା ସହ ଆଇପିଏଲରେ ବିରାଟ କୋହଲିଙ୍କ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ସେ ସାମିଲ ହୋଇଛନ୍ତି। ସେ ନଭେମ୍ବର ୨୦୨୨ରେ ବାଂଲାଦେଶ ବିପକ୍ଷରେ ଓଡିଆଇ ଦଳରେ ସାମିଲ ହୋଇଥିଲେ, କିନ୍ତୁ ଡେବ୍ୟୁ କରିବାର ସୁଯୋଗ ପାଇପାରିନଥିଲେ। ବର୍ତ୍ତମାନ ଅୟରଙ୍କ ଆଘାତ ପରେ ତାଙ୍କୁ ପୁଣି ଦଳରେ ସାମିଲ କରାଯାଇଛି।
ତେବେ ଶ୍ରେୟସ ଅୟର ନିକଟରେ ଶ୍ରୀଲଙ୍କା ବିପକ୍ଷ ଓଡିଆଇ ସିରିଜର ଅଂଶ ହୋଇଥିଲେ। ସିରିଜର ୩ଟି ଓଡିଆଇରେ ସେ ୯୪ରନ୍ ସ୍କୋର କରିଥିଲେ। ଏବେ ଆହତ ଅୟର ଚିକିତ୍ସା କରାଇବା ତଥା ଫିଟ ହେବା ପାଇଁ ବେଙ୍ଗାଲୁରୁର ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ) ରେ ପହଞ୍ଚିଛନ୍ତି। ଏନସିଏ ଭାରତର ଘରୋଇ ତଥା ଆନ୍ତର୍ଜାତୀୟ କ୍ରିକେଟରଙ୍କ ସ୍ୱାସ୍ଥ୍ୟ ଏବଂ ଫିଟନେସର ଯତ୍ନ ନିଏ।