ପୁନେରେ ଓଡ଼ିଆଙ୍କ ଦ୍ୱାରା ରକ୍ତଦାନ 🩸
ପୁନେରେ ଓଡ଼ିଆଙ୍କ ଦ୍ୱାରା ରକ୍ତଦାନ 🩸
ପୁନେ(20/3) : ରକ୍ତ ଦାନ ମହାପୂଣ୍ୟ , ଏହି ମହତ ଦାନ ସମାଜ ପ୍ରତି ବହୁତ ଗୁରୁତ୍ତ୍ୱପୂର୍ଣ୍ଣ ଓ ଅତୁଳନୀୟ ଅବଦାନ । ବିନ୍ଦୁଏ ରକ୍ତର ଦାନ ଅନ୍ୟକାହାର ଜୀବନ ବଞ୍ଚାଇପାରେ । ଏହି ପରିପ୍ରେକ୍ଷିରେ ପ୍ରବାସୀ ଓଡ଼ିଆ ସଂଗଠନ ସ୍ପ୍ରେଡ୍ ହେପିନେସ୍ ଫାଉଣ୍ଡେସନ୍ ଆନୁକୂଲ୍ଯରେ ଛତ୍ରପତି ଶିବାଜୀ ମହାରାଜଙ୍କ ଜନ୍ମତିଥି ଅବସରରେ ମାର୍ଚ୍ଚ ୧୯ ତାରିଖ ରବିବାର ଦିନ ମହାରାଷ୍ଟ୍ରର ପୁନେ ଜିଲ୍ଲାର ଶିକ୍ରାପୁର ଠାରେ ଏକ ଭବ୍ୟ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ପ୍ରେଡ୍ ହେପିନେସର ମୁଖ୍ୟ ସଞ୍ଚାଳକ ଓ ଅଧକ୍ଷ ସୌମ୍ୟ ରଞନ ମହାପାତ୍ର , ସ୍ଥାନୀୟ ସରପଞ୍ଚ ରାମଦାସ୍ ସାସ୍ୱଡେ, ସମାଜସେବୀ ୟସକୀର୍ତ୍ତି ଫାଉଣ୍ଡେସନର ଅଧକ୍ଷା ମଙ୍ଗଳା ସାସ୍ୱଡେ ଓ କେ.ଇ.ଏମ୍. ବ୍ଲଡ୍ ବ୍ୟାଙ୍କର କର୍ତ୍ତୁପକ୍ଷ ଏହାକୁ ଉଦଘାଟନ କରିଥିଲେ । ବହୁ ପ୍ରତିଷ୍ଠିତ ବ୍ୟକ୍ତି ମାନେ ଉପସ୍ଥିତ ରହି ଏହି ରକ୍ତଦାନ ସମାରୋହକୁ ସାଫଲ୍ୟମଣ୍ଡିତ କରିଥିଲେ ଓ ଶିବାଜୀ ମହାରାଜଙ୍କ ମୂଳମନ୍ତ୍ର- ଏକତ୍ରିତଭାବେ ସଂଗଠିତ ହୋଇ ଅନ୍ୟାୟ ବିରୋଧରେ ସଂଗ୍ରାମ କରିବା ଓ ତାଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସମସ୍ତେ ଏକତାବଦ୍ଧ ହୋଇ ଅଗ୍ରସର ହେବାର ସଂକଳ୍ପ ନେଇଥିଲେ ।
ସଂଗଠନର ମୂଖ୍ୟ ସୌମ୍ୟ ରଞ୍ଜନ ମହାପାତ୍ର ଏହାର ଅଧ୍ୟକ୍ଷତା କରିଥିଲେ । ଅନ୍ୟ ସଦସ୍ୟ ଆନନ୍ଦ ମହାପାତ୍ର, ସୋରଜ ରାଉଳ, ଦେବୀପ୍ରସାଦ ମହାନ୍ତି, ସତ୍ୟପ୍ରକାଶ ଦାସ୍ ଓ ଗଣେଶ ମହାନ୍ତି ପ୍ରମୁଖ ଭୂମିକା ଲିଭାଇଥିଲେ ଓ ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସୁବ୍ୟବସ୍ଥିତ ଭାବରେ ପରିଚାଳିତ କରିଥିଲେ । ଅଭିଜିତ ଦାସ୍ ଓ ନବୀନ ନାୟକ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ଏଥିରେ ସହୋଯଗ କରିଥିଲେ ।ପ୍ରାରମ୍ଭରେ ଶିବିରରେ ରକ୍ତ ଦାନର ମହତ୍ତ୍ୱ ଓ ଫାଇଦାକୁ ଅବଗତ କରାଇ ସମସ୍ତଙ୍କୁ ଉତ୍ସାହିତ କରାଯାଇଥିଲା । ରକ୍ତ ଦାନ ପରି ମହତ ଦାନ କରୁଥିବା ଦାତାଙ୍କୁ ସ୍ୱାଗତ ଜଣାଇ ସେମାନଙ୍କ ମାନବିକତାକୁ ଧନ୍ୟମନେ କରି ସସମ୍ମାନର ସହିତ ମାନପତ୍ର ପ୍ରଦାନ କରାଯାଇଥିଲା । ସମସ୍ତଙ୍କ ହେତୁ ଉତ୍ତମ ଜଳପାନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।
ସ୍ପ୍ରେଡ୍ ହେପିନେସ୍ ଫାଉଣ୍ଡେସନ୍ ମହାରାଷ୍ଟ୍ର ସରକାରଙ୍କ ଦ୍ୱାର ପଞ୍ଜିକୃତ ଏକ ସ୍ୱେଚ୍ଛାସେବୀ ସଂଗଠନ । ବିଗତ ଦିନରୁ ପ୍ରବାସୀ ଓଡ଼ିଆ ଓ ଅଣ ଓଡ଼ିଆଙ୍କ ସର୍ବାଙ୍ଗୀନ ହିତ ଓ ସମାଜ କଲ୍ୟାଣ ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାର ମଙ୍ଗଳକର କାର୍ଯ୍ୟମାନ କରିଆସୁଅଛି । ସଂଗଠନର ସମାଜ ପ୍ରତି ନିସ୍ୱାର୍ଥପୂର୍ଣ୍ଣ ସେବା ଓ ଜନହିତକର କାର୍ଯ୍ୟକଳାପକୁ ଦର୍ଶାଇ ପ୍ରବାସୀ ଓଡ଼ିଆଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଓ ଜୀବନ ବୀମାର ଆବଶ୍ୟକତାକୁ ବିସ୍ତୃତ ଭାବରେ ପର୍ଯ୍ୟାଲୋଚନା କରି ସମସ୍ତଙ୍କୁ ସୁଲଭ ପାରିବାରିକ ସ୍ୱାସ୍ଥ୍ୟ ଓ ଜୀବନ ବୀମା ଯୋଗାଇଦେବାର ପ୍ରୟାସ ସ୍ପ୍ରେଡ୍ ହେପିନେସ୍ ସଂଗଠନ ଦ୍ୱାରା କରାଯାଉଛି ବୋଲି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତଙ୍କୁ ଅବଗତ କରାଯାଇଅଛି । ସମସ୍ତ ସଦସ୍ୟଙ୍କ ଉଦ୍ୟମ ଏବଂ କେ.ଇ.ଏମ ହସ୍ପିଟାଲର ସହୋଯଗରେ ସଫଳ ରକ୍ତଦାନ ସମ୍ପନ୍ନ ହୋଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ୍ ରାମଦାସ ସାସ୍ୱଡେ ଓ ୟସକ୍ରିତି ଫାଉଣ୍ଡେସନର ମୁଖ୍ୟ ମଙ୍ଗଳା ସାସ୍ୱଡେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ଣ୍ଣ ସହୋଯଗ କରିଥିଲେ ଓ ସ୍ପ୍ରେଡ୍ ହେପିନେସର ସ୍ୱଚ୍ଛଳ ମନଭାବ, କାର୍ଯ୍ୟଶୈଳି, ସଦଭାବନା ଓ ଜନସ୍ୱାର୍ଥ ଉଦ୍ଦେଶ୍ୟରେ ସମସ୍ତପ୍ରକାର କାର୍ଯ୍ୟକଳାପକୁ ପ୍ରଶଂସିତ କରିବା ସହିତ ଧନ୍ୟବାଦର ପାତ୍ର ବୋଲି ସମ୍ବୋଧିତ କରିଥିଲେ । ସ୍ଥାନୀୟ ଜନସାଧାରଣ ଓ ବିଭିନ୍ନ ସଂସ୍ଥାନ ମାନେ ସ୍ପ୍ରେଡ୍ ହେପିନେସର ସମାଜପ୍ରତି ହିତ ସାଧନା ଉଦ୍ଦେଶ୍ୟରେ ସମସ୍ତ ସଦସ୍ୟ ମାନଙ୍କର ଆଗ୍ରହ ଓ ସ୍ପୃହାରେ ସନ୍ତୁଷ୍ଟିତ ହୋଇ ବହୁତ ପ୍ରଶଂସା ପ୍ରାଦାନ କରିଥିଲେ ।
ପ୍ରତ୍ୟେକ ନାଗରିକ ନିଜ ଭିତରେ ଥିବା ମାନବିକତାକୁ ପ୍ରକଟ କରି ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଯଥାସମ୍ଭବ କିଛିନା କିଛି କାର୍ଯ୍ୟ କରିବା ଉଚିତ । ଏଥିପାଇଁ ସଂଗଠନ ତରଫରୁ ସମସ୍ତଙ୍କୁ ଆଗ୍ରହର ସହିତ ଆହ୍ୱାନ କରାଯାଇଥିଲା ଓ ପରିଶେଷରେ ଗଣେଶ ବେହେରା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।