ଏକାଠି ଦେଖାଗଲେ ଉଦ୍ଧବ ଠାକରେ-ଦେବେନ୍ଦ୍ର ଫଡନାଭିସ୍ : ନୂଆ ସମୀକରଣର ସଂକେତ କି ?
ମୁମ୍ବାଇ : ମହାରାଷ୍ଟ୍ରରେ ଦିନେ ବିଜେପି ଓ ଶିବସେନା ଥିଲେ ପରସ୍ପରର ଘନିଷ୍ଠ ସହଯୋଗୀ । କିନ୍ତୁ ଏବେ ପରସ୍ପରର ଚରମ ଶତ୍ରୁ ପାଲଟି ଯାଇଛନ୍ତି । ଉଦ୍ଧବଠାକରେ ଏପରିଭାବେ ବିଜେପିର ଚକ୍ରବ୍ୟୁହରେ ଫସିଯାଇଛନ୍ତି ଯେ ତାଙ୍କ ହାତରୁ କେବଳ ସରକାର ନୁହେଁ, ନିଜ ଦଳ ବି ଚାଲିଯାଇଛି ।ରାଜନୈତିକ ଦୃଷ୍ଟିରୁ ବିଜେପି ଶିବସେନାକୁ ଏତେ ବଡ଼ କ୍ଷତି ପହଞ୍ଚାଇଛି ଯେ ତାହା ସବୁବେଳେ ଉଦ୍ଧବ ଠାକରେଙ୍କ ମନରେ ରହିବ। ଶିବସେନାର ଏହି ବିଭାଜନ ପଛରେ ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଭୂମିକା ଥିବା ଅନୁମାନ କରାଯାଉଛି, କିନ୍ତୁ ଗୁରୁବାର ମହାରାଷ୍ଟ୍ର ବିଧାନସଭାରୁ ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଉଦ୍ଧବ ଠାକରେ ଏବଂ ଦେବେନ୍ଦ୍ର ଫଡନାଭିସ ବିଧାନସଭା ପରିସରରେ ପରସ୍ପର ସହ ହସଖୁସିରେ ଗପ କରୁଥିଲେ । ଉଦ୍ଧବଙ୍କ ସହ ତାଙ୍କ ପୁଅ ଆଦିତ୍ୟ ଠାକରେ ମଧ୍ୟ ଉପସ୍ଥିତ ଥିଲେ। ଉଦ୍ଧବ ଏବଂ ଫଡନାଭିସଙ୍କ ମଧ୍ୟରେ ଥିବା ପୁରୁଣା କେମେଷ୍ଟ୍ରି ପୁଣି ଦେଖାଯାଉଥିଲା । ଦୁଇ ନେତା ପରସ୍ପର ସହ କଥା ବାର୍ତ୍ତା କରି ଆଗକୁ ବଢ଼ିଥିଲେ । ଏହି ସମୟରେ ଉଦ୍ଧବ ଏବଂ ଫଡନାଭିସଙ୍କ ସହ ଥିବା ଅନ୍ୟନେତାମାନଙ୍କ ମୁହଁ ମଧ୍ୟ ଉଜ୍ଜଳ ଦେଖାଯାଉଥିଲା । ଦୁଇ ନେତାଙ୍କ ଏହି ବିରଳ ଭିଡିଓ ସାମ୍ନାକୁ ଆସିବା ପରେ ଉଦ୍ଧବ ଠାକରେ ପୁଣି ଥରେ ବିଜେପିରେ ଯୋଗ ଦେବେ କି ନାହିଁ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।