ରାଜ୍ୟ

ସ୍ଵାଧୀନତା ସଂଗ୍ରାମୀ ବୀର ଲକ୍ଷ୍ମଣ ନାୟକଙ୍କ ଶହୀଦ ଦିବସ AIDSO ପକ୍ଷରୁ ଯଥାଯୋଗ୍ୟ ମର୍ଯ୍ୟଦାର ସହିତ ପାଳିତ ।

ବ୍ରହ୍ମପୁର, ତା-୨୯ ମାର୍ଚ୍ଚ ୨୦୨୩, ଆଜି ବୀର ସ୍ଵାଧୀନତା ସଂଗ୍ରାମୀ ଲକ୍ଷ୍ମଣ ନାୟକଙ୍କ ଶହୀଦ ଦିବସ ଉପଲକ୍ଷେ AlDSO ଗଂଜାମ ଜିଲ୍ଲା କମିଟି ପକ୍ଷରୁ ବ୍ରହ୍ମପୁର ଜେଲ ହତା ଭିତରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଶହୀଦ ଲକ୍ଷ୍ମଣ ନାୟକ ଦେଶପ୍ରେମର ବଳିଷ୍ଠ ପ୍ରତୀକ | ୧୮୯୯ ମସିହା ନଭେମ୍ବର ୨୨ ତାରିଖରେ ଆଜିର ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ତେନ୍ତୁଳିଗୁମ୍ମା ଗ୍ରାମରେ ଏହି ବୀରପୁତ୍ର ଜନ୍ମ ନେଇଥିଲେ । ତାଙ୍କର ପିଲାଦିନ ଜଙ୍ଗଲରେ କଟିଥିଲା । ଆଦିବାସୀଙ୍କ ଉପରେ ଇଂରେଜଙ୍କ ଅତ୍ୟାଚାର ଦେଖି ସେ ବଡ଼ ହୋଇଥିଲେ । ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ହେବା ପରେ ଅବିଭକ୍ତ କୋରାପୁଟର ଲୋକଙ୍କ ଦୁର୍ଦ୍ଦଶା ଆହୁରି ବଢିଲା । ଏତିକି ବେଳେ ଲକ୍ଷ୍ମଣ ନାୟକ ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେଇ ଟିକସ ନ ଦେବା ପାଇଁ ଇଂରେଜ ସରକାରଙ୍କ ବିରୁଦ୍ଧରେ ପ୍ରଚାର କରିବାକୁ ଲାଗିଲେ । ଲୋକଙ୍କୁ ଟିକସ ନ ଦେବାକୁ ଆହ୍ବାନ କରିଥିବାରୁ ଲକ୍ଷ୍ମଣଙ୍କୁ ରାଜଦ୍ରୋହୀ ଘୋଷଣା କରି ତାଙ୍କର ପଦ ଓ ଜମି ଛଡ଼ାଇ ନିଆଯାଇଥିଲା। ୧୯୪୨ରେ ଭାରତ ଛାଡ଼ ଆନ୍ଦୋଳନ ବେଳେ ଲକ୍ଷ୍ମଣ ନାୟକ ଗାଁ ଗାଁ ବୁଲି ଲୋକଙ୍କୁ ଅତ୍ୟାଚାରୀ ଇଂରେଜଙ୍କ ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ ଆହ୍ୱାନ କରିଥିଲେ | ସେହି ବର୍ଷ ଅଗଷ୍ଟ ୨୧ରେ ଲକ୍ଷ୍ମଣଙ୍କ ନେତୃତ୍ବରେ ମାଥିଲି ଥାନା ଘେରାଉ କରାଯାଇଥିଲା। ଲକ୍ଷ୍ୟ ଥିଲା ଥାନା ଉପରେ ତ୍ରିରଙ୍ଗା ଉଡ଼ାଇବା। କିନ୍ତୁ ପୁଲିସ ମାଡ଼ରେ ଲକ୍ଷ୍ମଣ ନାୟକ ଅଚେତ ହୋଇପଡ଼ିଥିଲେ। ଏହା ଦେଖି ଆନ୍ଦୋଳନକାରୀମାନେ ଉତ୍ତେଜିତ ହୋଇଉଠିଥିଲେ ଏବଂ ସେମାନଙ୍କ ଉପରେ ଇଂରେଜ ପୋଲିସ ପକ୍ଷରୁ ଗୁଳି ଚଳାଯାଇଥିଲା । ସରକାରୀ ରିପୋର୍ଟ ଅନୁସାରେ ଏଥିରେ ପାଞ୍ଚ ଜଣ ଆନ୍ଦୋଳନକାରୀ ଓ ନିଶାସକ୍ତ ଫରେଷ୍ଟ ଗାର୍ଡ ଜି. ରାମେୟାର ମୃତ୍ୟୁ ଘଟିଥିଲା । ଲକ୍ଷ୍ମଣଙ୍କୁ ମୃତ ଭାବି ନାଳରେ ଫିଙ୍ଗି ଦିଆଯାଇଥିଲା। ତେବେ ସେ ଚେତା ପାଇ ସେହି ରାତିରେ ଭିଷଣ ପିଡ଼ାର ଜଙ୍ଗଲ ରାସ୍ତାରେ ୩୫ କିଲୋମିଟର ଚାଲି ଚାଲି ଜୟପୁର ପହଞ୍ଚିଲେ ଆଗାମି କାର୍ଯ୍ୟକ୍ରମ ବିଷୟରେ ଜାଣିବା ପାଇଁ । ଲକ୍ଷ୍ମଣ ନାୟକ ଓ ବଳରାମ ପୂଜାରୀଙ୍କ ଲାଠି ମାଡ଼ରେ ରାମେୟାର ମୃତ୍ୟୁ ହୋଇଛି ବୋଲି ପୁଲିସ ମିଛ ରିପୋର୍ଟ ଲେଖି ତାଙ୍କୁ ଗାଁରୁ କିଛି ଦିନ ପରେ ଗିରଫ କରିଥିଲା। କୋର୍ଟରେ ଲକ୍ଷ୍ମଣଙ୍କୁ ମୃତ୍ୟୁ ଦଣ୍ଡ ମିଳିଲା। ଆଜକୁ ୮୧ ବର୍ଷ ପୂର୍ବେ ୧୯୪୩ ମାର୍ଚ୍ଚ ଆଜିର ଦିନରେ ତାଙ୍କୁ ବ୍ରହ୍ମପୁର ଜେଲରେ ଫାଶୀ ଦିଆଯାଇଥିଲା । ସେ ସ୍ଵପ୍ନ ଦେଖିଥିଲେ ସ୍ଵାଧୀନତା ପରେ ଖାଦ୍ୟ, ବସ୍ତ୍ର, ବାସଗୃହ, ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ଆଦି ମୌଳିକ ଆବଶ୍ୟକତା ପୂରଣ ସମେତ ସମସ୍ତଙ୍କୁ ସମାନ ଅଧୀକାର ଓ ସୁଯୋଗ ମିଳିବ । ଶୋଷଣ, ଅତ୍ୟାଚାରର ଅବସାନ ଘଟିବ । ଆଜିବି ତାଙ୍କ ସ୍ୱପ୍ନ ଅପୁରିତ । ତେଣୁ ତାଙ୍କର ଅପୁରିତ ସ୍ୱପ୍ନକୁ ସାକାର କରିବାର ଶପଥ ନେଇ AlDSO ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ସ୍ଵାଧୀନତା ସଂଗ୍ରାମୀ ଲକ୍ଷ୍ମଣ ନାୟକଙ୍କ ଶହୀଦ ଦିବସ ବ୍ରହ୍ମପୁର ଜେଲ ହତା ମଧ୍ୟରେ ତାଙ୍କ ଫାଶୀ ସ୍ଥଳରେ ଯଥା ଯୋଗ୍ୟ ମର୍ଯ୍ୟାଦାର ସହ ପାଳନ କରାଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ AlDSO ରାଜ୍ୟ ସଭାପତି ସୋମନାଥ ବେହେରା, ଜିଲ୍ଲା ସଭାପତି ନିମାଇଁ ଚରଣ ସାହୁ, ସମ୍ପାଦକ ନାରାୟଣ ସାହୁ, ଉପସଭାପତି ପପୁନ ସାହୁଙ୍କ ସମେତ କାମରାଜ ସାହୁ, ଶୁଭସ୍ମିତା ପାଣିଗ୍ରାହି ଆଦି ସଂଗଠନର କର୍ମକର୍ତ୍ତା ଏବଂ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *