ରାମ ନବମୀରେ ଭଦ୍ରକ-ନୟାଗଡ଼ ଟାଉନ-ଭଦ୍ରକ ମେମୁ ଶୁଭାରମ୍ଭ :
ମାନ୍ୟବର କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ତଥା ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମାନ୍ୟବର କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ 30 ମାର୍ଚ୍ଚ 2023 ଶ୍ରୀରାମ ନବମୀ ଦିବସରେ ଭଦ୍ରକ-ନୟାଗଡ଼ ଟାଉନ-ଭଦ୍ରକ ମେମୁ ଟ୍ରେନର ଶୁଭାରମ୍ଭ ଅବସରରେ କଟକ ରେଳ ଷ୍ଟେସନ ଠାରେ ସବୁଜ ପତାକା ପ୍ରଦର୍ଶନ କରାଇ ଶୁଭାରମ୍ଭ କରିବେ | ଶୁଭାରମ୍ଭ ଦିବସରେ ଏହି ଟ୍ରେନ୍ କଟକ ଷ୍ଟେସନରୁ ଛାଡିବ କିନ୍ତୁ ଏହି ଟ୍ରେନ ର ନିୟମିତ ସେବା 31 ମାର୍ଚ୍ଚ 2023 ରୁ ଉଭୟ ପାର୍ଶ୍ୱରୁ ପ୍ରାରମ୍ଭ କରାଯିବ |
ଏହି ଟ୍ରେନ ର ପ୍ରଚଳନ ଉଭୟ ଭଦ୍ରକ ଏବଂ ନୟାଗଡ଼ ଜିଲ୍ଲାର ଲୋକଙ୍କ ଆକାଂକ୍ଷାକୁ ପୂରଣ କରିପାରିବ | ମାନ୍ୟବର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରେଳ ଷ୍ଟେସନର ପୁନଃ ବିକାଶର ଭିତ୍ତିପ୍ରସ୍ତର ସମାରୋହରେ ଭଦ୍ରକରୁ ଭୁବନେଶ୍ୱର ଅଭିମୁଖେ ଏକ ନୂତନ ଟ୍ରେନ୍ ଚଳାଚଳ କରାଇବାକୁ ଘୋଷଣା କରିଥିଲେ | ଏହି ଅଞ୍ଚଳର ଯାତ୍ରୀମାନଙ୍କ ଆରାମ ତଥା ସୁବିଧା ପାଇଁ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନିରନ୍ତର ପ୍ରଚେଷ୍ଟାର ଏହା ହେଉଛି ଫଳାଫଳ | ମଧ୍ୟବର୍ତ୍ତୀ ଷ୍ଟେସନ ମାନଙ୍କରେ ଟ୍ରେନ ବଦଳାଇବା ପରିବର୍ତ୍ତେ ଏହି ଟ୍ରେନ ସିଧା ସଳଖ ଭାବେ ଯାତ୍ରା ପାଇଁ ସମ୍ପୃକ୍ତ ଅଞ୍ଚଳର ଜନସାଧାରଣଙ୍କୁ ସୁବିଧା ଯୋଗାଇବ | ଏହି ନୂତନ ଟ୍ରେନ୍ ଏହାର ଶୁଭାରମ୍ଭ ଦିନରେ ଅର୍ଥାତ୍ 30 ମାର୍ଚ୍ଚ 2023 ରେ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ଚଳାଚଳ କରିବ |