ରୁଷ୍ରେ ଅଟକ ଆମେରିକୀୟ ସାମ୍ବାଦିକଙ୍କ କଥା ଅଦାଲତ ସ୍ଥିର କରିବେ: ଆମେରିକାର ବ୍ଲିଙ୍କେନ୍ଙ୍କୁ କହିଲେ ରୁଷ୍ର ଲାଭ୍ରୋଭ୍
ମସ୍କୋ: ଅଟକ ଥିବା ଆମେରିକୀୟ ସମ୍ବାଦପତ୍ର ‘ଦି ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍’ର ସାମ୍ବାଦିକଙ୍କ କଥା ଅଦାଲତ ସ୍ଥିର କରିବେ ବୋଲି ଟେଲିଫୋନ୍ ବାର୍ତ୍ତାଳାପ ବେଳେ ରୁଷ୍ର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ୍ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ଙ୍କୁ କହିଥିବା କଥା ‘ଟାସ୍ ନିଉଜ୍ ଏଜେନ୍ସି’ ରିପୋର୍ଟ କରିଛି।
ରୁଷ୍ର ବୈଦେଶିକ ମନ୍ତ୍ରାଳୟ କହିଛି, ଉକ୍ତ ଆମେରିକୀୟ ନାଗରିକଙ୍କ କାର୍ଯ୍ୟକଳାପର ପ୍ରମାଣକୁ ଆଧାର କରି ଅଦାଲତ ଯାହାକିଛି ନିଷ୍ପତ୍ତି ନେବେ। ତାଙ୍କ ଅଟକ ସଂକ୍ରାନ୍ତରେ ମସ୍କୋସ୍ଥିତ ଆମେରିକୀୟ ଦୂତାବାସକୁ ବିଧିବଦ୍ଧ ସୂଚନା ଦିଆଯାଇଛି।ଗୁପ୍ତଚରଗିରି ଅଭିଯୋଗରେ ‘ଦି ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍’ର ଆମେରିକୀୟ ସାମ୍ବାଦିକ ଇଭାନ୍ ଗେର୍ସ୍କୋଭିଚ୍ଙ୍କୁ ଗୁରୁବାର ଦିନ ରୁଷ୍ରେ ଗିରଫ କରାଯାଇଛି ବୋଲି ‘ଅଲ୍-ଜଜୀରା’ ରିପୋର୍ଟ କରିଥିଲା।
ରୁଷ୍ ବୈଦେଶିକ ମନ୍ତ୍ରାଳୟର ବିବୃତିରୁ ଉଦ୍ଧାର କରି ‘ଟାସ୍ ଏଜେନ୍ସି’ ଆହୁରି ମଧ୍ୟ ଲେଖିଛି ଯେ, ଜଣେ ସାମ୍ବାଦିକ ଭଳି ଅଭିନୟ କରି ରାଜ୍ୟ ବିଷୟରେ ଗୁପ୍ତ ତଥ୍ୟ ସଂଗ୍ରହ ଓ ଗ୍ରହଣ କରୁଥିବା ବେଳେ ଗେର୍ସ୍କୋଭିଚ୍ଙ୍କୁ ଗିରଫ କରାଯାଇଥିବା ଉପରେ ଲାଭ୍ରୋଭ୍ ଗୁରୁତ୍ବାରୋପ କରିଛନ୍ତି।
ତେଣୁ, ଏହି ମାମଲାକୁ ରାଜନୈତିକ ରୂପ ଦେବା ପାଇଁ ଆମେରିକୀୟ ସରକାରୀ ଅଧିକାରୀ ଓ ପାଶ୍ଚାତ୍ୟ ଗଣମାଧ୍ୟମଙ୍କ ଉଦ୍ୟମ ଅନୁଚିତ କାର୍ଯ୍ୟ ବୋଲି ରୁଷ୍ ବୈଦେଶିକ ମନ୍ତ୍ରାଳୟ କହିଛି।
ସୂଚନାଯୋଗ୍ୟ, ଆମେରିକୀୟ ନାଗରିକ ତଥା ସାମ୍ବାଦିକ ଇଭାନ୍ ଗେର୍ସ୍କୋଭିଜ୍ଙ୍କୁ ଅଟକ ରଖାଯିବା ଘଟଣାରେ ଆମେରିକା ଚିନ୍ତା ପ୍ରକଟ କରି ତାଙ୍କୁ ତୁରନ୍ତ ଛାଡ଼ି ଦେବା ପାଇଁ ରୁଷ୍କୁ କହିଛି।