ଅଗ୍ନିକାଣ୍ଡ ଯୋଗୁଁ ତିନି ବଖରା ଘର ଧ୍ବଂସ
ମାଲକାନଗିରି Iତା:୦୪/୦୪
ମାଲକାନଗିରି ଜିଲ୍ଲା ମୋଟୁ ତହସିଲ ଅନ୍ତର୍ଗତ ପେଟା ଗ୍ରାମରେ ଅଗ୍ନିକାଣ୍ଡ ଘଟି ତିନି ବଖରା ଘର ସହ ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଛି I ବିଦ୍ୟୁତ ସଟ୍ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଇଛି । ମୋଟୁ ଥାନା ସ୍ଥିତ ପୁସୁଗୁଡା ପଞ୍ଚାୟତ ଅନ୍ତର୍ଗତ ପେଟା ଗ୍ରାମର ଲାଚ୍ଛା କୁଞ୍ଜଙ୍କ ତିନି ବଖରା ଘର ପୋଡି ପାଉଁଶ ହୋଇଯାଇଛି I
ଆଜି ଦିନ ୧୧.୩୦ ମିନିଟରେ ପେଟା ଗ୍ରାମର ଲାଚ୍ଛା କୁଞ୍ଜଙ୍କ ଘର ଉପର ଦେଇ ଯାଇଥିବା ବିଦ୍ୟୁତ୍ ତାରରୁ ସଟ୍ ସର୍କିଟ ହୋଇଥିଲା I ଏଠାରୁ ନିର୍ଗତ ଅଗ୍ନି ଚାଳ ଛପର ଘରକୁ ନିମିଷକ ମଧ୍ଯରେ ଜାଳି ପୋଡି ଛାରଖାର କରି ଦେଇଇଥିଲା I ନିଆଁର ପ୍ରକୋପ ଏତେ ପ୍ରଖର ଥିଲା ଯେ, ଗ୍ରାମବାସୀ ଆୟତ୍ତ କରିବାକୁ ବହୁ ଚେଷ୍ଟା କରି ବିଫଳ ହୋଇଥିଲେ I ଗ୍ରାମବାସୀଙ୍କ ପକ୍ଷରୁ କାଲିମେଳା ଅଗ୍ନିଶମ ବାହିନୀକୁ ସୂଚନା ଦିଆଯାଇଥିଲା । ଖବର ପାଇବା ଅଗ୍ନିଶମ ବାହିନୀର କର୍ମଚାରୀମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଅନେକ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ I
ଅଗ୍ନିଶମ ବାହିନୀ ଅଧିକାରୀ ଗୁପ୍ତେଶ୍ୱର ଦାସଙ୍କ କହିବା ଅନୁସାରେ, ୩ ବଖରା ଚାଳ ଘର ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇ ଯାଇଛି। ବର୍ଷକ ପାଇଁ ରଖିଥିବା ତିରିଶି ବସ୍ତା ଧାନ, ବିହନ, ଚାଉଳ, ଘରର ଆସବା ପତ୍ର ,ବସନ କୁସନ,ଲୁଗାପଟା ସହ ଅନ୍ଯାନ୍ଯ ସାମଗ୍ରୀ ଜଳି ପୋଡି ପାଉଁଶ ହୋଇ ଯାଇଥିଲା I ପ୍ରାୟ ଲକ୍ଷାଧିକ ଟଙ୍କାର ସଂପତ୍ତି ଲାଚ୍ଛାଙ୍କର ପୋଡି ପାଉଁଶ ହୋଇ ଯାଇଛି ।