ମୁଖ୍ୟ ଖବର

ଶନିବାର ଦିନ ସ୍ବଳ୍ପ ସମୟ ପାଇଁ ଲଢୁଆ ବିମାନ ସୁଖୋଇ-୩୦ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଶନିବାର ଦିନ ଆସାମର ତେଜପୁର ଏୟାର୍‌ଫୋର୍ସ ଷ୍ଟେସନ୍‌ରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ବଳ୍ପ ସମୟ ପାଇଁ ‘ସୁଖୋଇ-୩୦ ଏମ୍‌କେଆଇ’ ଲଢୁଆ ବିମାନ ଉଡ଼ାଇବେ ବୋଲି ଜଣେ ସରକାରୀ ମୁଖପାତ୍ର କହିଛନ୍ତି।

ମୁଖପାତ୍ରଜଣକ କହିଛନ୍ତି, ଏପ୍ରିଲ୍‌ ୬ରୁ ୮ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ମୁର୍ମୁ ଆସାମ ଗସ୍ତରେ ଯିବେ। ଏପ୍ରିଲ୍‌ ୭ ତାରିଖ ଦିନ ସେ କାଜିରଙ୍ଗା ଜାତୀୟ ଉଦ୍ୟାନରେ ‘ଗଜ ଉତ୍ସବ-୨୦୨୩’ ଉଦ୍‌ଘାଟନ କରିବେ। ପରେ ସେଦିନ ସେ ଗ‌ୌହାଟିରେ ‘ମାଉଣ୍ଟ୍‌ କାଞ୍ଚନଜଙ୍ଗା ଏକ୍ସପେଡିସନ୍‌-୨୦୨୩’ର ଶୁଭାରମ୍ଭ କରିବେ। ସେହିଦିନ ମଧ୍ୟ ଗୌହାଟିରେ ସେ ଗୌହାଟି ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଉତ୍ସବରେ ଯୋଗ ଦେବେ।ଏବଂ ୨୦୨୩, ଏପ୍ରିଲ୍‌ ୮ ତାରିଖ ଦିନ ରାଷ୍ଟ୍ରପତି ତେଜପୁର ଏୟାର୍‌ଫୋର୍ସ ଷ୍ଟେସନ୍‌ରୁ ସ୍ବଳ୍ପ ସମୟ ପାଇଁ ‘ସୁଖୋଇ ୩୦ ଏମ୍‌କେଆଇ’ ଲଢୁଆ ବିମାନ ଉଡ଼ାଇବେ ବୋଲି ମୁଖପାତ୍ରଜଣକ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ପାଟିଲ୍‌ ମଧ୍ୟ ୨୦୦୯ ନଭେମ୍ବର ୨୫ ତାରିଖ ଦିନ ପୁଣେରେ ୩୦ ମିନିଟ୍‌ ଧରି ‘ସୁଖୋଇ ୩୦ ଏମ୍‌କେଆଇ’ ଉଡ଼ାଇଥିଲେ।

ତାଙ୍କ ପୂର୍ବରୁ ରାଷ୍ଟ୍ରପତି ଏପିଜେ ଅବ୍ଦୁଲ୍‌ କଲାମ୍‌ ୨୦୦୬ ଜୁନ୍‌ ୮ ତାରିଖ ଦିନ ପୁଣେ ବାୟୁସେନା ବିମାନ ଘାଟିରୁ ‘ସୁଖୋଇ-୩୦ଏମ୍‌କେଆଇ’ ଲଢୁଆ ବିମାନ ଉଡ଼ାଇ ଥିଲେ। ଲଢୁଆ ବିମାନ ଚଳାଇବାରେ ସେ ଥିଲେ ଭାରତର ପ୍ରଥମ ରାଷ୍ଟ୍ରପତି।

ସେତେବେଳେ ଡକ୍ଟର୍‌ କଲାମ୍‌ କହିଥିଲେ, ବାୟୁସେନା ପାଇଲଟ୍‌ ହେବା ପାଇଁ ତାଙ୍କର ଖୁବ୍‌ ଆଗ୍ରହ ଥିବାରୁ ସେ ଏହି ଜେଟ୍‌ ବିମାନ ଚଳାଇଲେ। ପାଇଲଟ୍‌ ଭାବେ ବାୟୁସେନାରେ ଭର୍ତ୍ତି ହେବା ପାଇଁ ସେ ଆବେଦନ କରିଥିଲେ। କିନ୍ତୁ, ୧୯୫୮ରେ ଏଥିପାଇଁ ତାଙ୍କୁ ମନୋନୀତ କରା ନ ଯିବାରୁ ସେ ବୈଜ୍ଞାନିକ ହୋଇଥିଲେ।

ବାୟୁସେନା ଅଧିକାରୀମାନେ କହିଛନ୍ତି ଯେ, ଅଧିକ ସ୍ଥାନ ଥିବା ସୁନ୍ଦର ‘ଟୁଇନ୍‌-କକ୍‌ପିଟ୍‌’ ‘ଭିଭିଆଇପି’ମାନଙ୍କ ପାଇଁ ଅପେକ୍ଷାକୃତ ଆରାମଦାୟକ ହୋଇଥିବାରୁ ବୋଧହୁଏ ରାଷ୍ଟ୍ରପତି ମୁର୍ମୁ ‘ସୁଖୋଇ-୩୦ଏମ୍‌କେଆଇ’ ଚଳାଇବାକୁ ପସନ୍ଦ କରିଥାଇ ପାରନ୍ତି।

ସୂଚନାଯୋଗ୍ୟ, ଭାରତର ରାଷ୍ଟ୍ରପତି ହେଉଛନ୍ତି ୩ ସେନା ଯଥା:- ପଦାତିକ ସେନା, ନୌସେନା ଓ ବାୟୁସେନାର ‘ସୁପ୍ରିମ୍‌ କମାଣ୍ଡର୍‌’।

Leave a Reply

Your email address will not be published. Required fields are marked *