‘ହିଜାବ୍’ ଖୋଲିଥିବା ମହିଳାଙ୍କୁ ଚିହ୍ନଟ କରି ଶାସ୍ତି ଦେବାକୁ ସର୍ବସାଧାରଣ ସ୍ଥାନରେ କ୍ୟାମେରା ଲଗାଇଲା ଇରାନ୍
ତେହେରାନ୍: ବାଧ୍ୟତାମୂଳକ ‘ଡ୍ରେସ୍ କୋଡ୍’ ବ୍ୟବସ୍ଥାକୁ ଅମାନ୍ୟ କରୁଥିବା ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଇରାନ୍ର ସରକାରୀ କର୍ତ୍ତୃପକ୍ଷମାନେ ସର୍ବସାଧାରଣ ସ୍ଥାନ ଏବଂ ବାଟଘାଟରେ କ୍ୟାମେରା ଲଗାଉଛନ୍ତି। ଏହାଦ୍ବାରା ମୁହଁ ଢାଙ୍କୁ ନ ଥିବା ମହିଳାମାନଙ୍କୁ ଚିହ୍ନଟ କରି ଶାସ୍ତି ଦିଆଯିବ ବୋଲି ଶନିବାର ଦିନ ଇରାନ୍ ପୁଲିସ ଘୋଷଣା କରିଛି।
ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ପୁଲିସ କହିଛି, ଚିହ୍ନଟ କରାଯିବା ପରେ ଉଲ୍ଲଂଘନକାରୀ ମହିଳାମାନଙ୍କୁ ସାବଧାନ କରିବା ଲାଗି ‘ଡ୍ରେସ୍ କୋଡ୍’ ଉଲ୍ଲଂଘନର ପରିଣାମ ବିଷୟରେ ମେସେଜ୍ ଦିଆଯିବ। ଏହାଛଡ଼ା, ସେଥିରେ କେଉଁଠି ଏବଂ କେତେବେଳେ ଆଇନ ଉଲ୍ଲଂଘନ କରିଥିଲେ ସେ ସୂଚନା ବି ଥିବ।
ହିଜାବ୍ ଆଇନ ବିରୋଧରେ ଚାଲିଥିବା ପ୍ରତିବାଦ ପ୍ରତିହତ କରିବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମଧ୍ୟ ଉକ୍ତ ବିବୃତିରେ ଉଲ୍ଲେଖ କରାଯାଇଛି।
ସ୍ମରଣଯୋଗ୍ୟ, ଗତବର୍ଷ ସେପ୍ଟେମ୍ବର ମାସରେ ମୋରାଲିଟି ପୋଲିସ୍ ହାଜତରେ ଜଣେ ୨୨ ବର୍ଷୀୟ କୁର୍ଦିଶ୍ ଯୁବତୀଙ୍କ ମୃତ୍ୟୁ ଘଟଣାକୁ ବିରୋଧ କରି ବହୁସଂଖ୍ୟକ ଇରାନୀୟ ମହିଳା ମୁହଁରୁ ହିଜାବ୍ କାଢ଼ି ପକାଉଛନ୍ତି। ଗିରଫଦାରି ସତ୍ତ୍ବେ ଇରାନୀୟ ମହିଳାମାନେ ମଲ୍, ରେସ୍ତୋରାଁ, ଦୋକାନ ଓ ଦେଶରେ ଥିବା ବାଟଘାଟରେ ବିନା ହିଜାବରେ ଚଳପ୍ରଚଳ ହେଉଥିବା ଦେଖାଯାଉଛି। ମୋରାଲିଟି ପୋଲିସ୍ ବିରୋଧ ହିଜାବ୍ ଖୋଲି ମହିଳାମାନେ ପ୍ରତିବାଦ କରୁଥିବାର ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଛି।