ପୁନେରେ ଓଡ଼ିଆ ସଂଗଠନ ସ୍ପ୍ରେଡ୍ ହେପିନେସ୍ ଫାଉଣ୍ଡେସନ୍ ଦ୍ୱାରା ସ୍ୱାସ୍ଥ୍ୟ ଦିବସ ପାଳିତ
ସ୍ୱାସ୍ଥ୍ୟ ହିଁ ଜୀବନ
ସ୍ୱାସ୍ଥ୍ୟ ହିଁ ଅମୂଲ୍ୟ ସମ୍ପଦ
ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ଗଠିତ ପଞ୍ଜିକୃତ ଓଡ଼ିଆ ଅନୁଷ୍ଠାନ ସ୍ପ୍ରେଡ୍ ହେପିନେସ୍ ଫାଉଣ୍ଡେସନ୍ ଦ୍ୱାରା ପୁନେରେ ଏଉଲେବାଡ଼ି ସ୍ଥିତ ଲେପ୍ରସି ହସ୍ପିଟାଲରେ ୮ ଏପ୍ରିଲ୍ ଶନିବାର ଦିନ କୁଷ୍ଠ ରୋଗୀଙ୍କ ସହିତ ଅତି ଆମୋଦ ପ୍ରମୋଦ ଓ ଉଲ୍ଲାସିତ ଭାବରେ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଛି । ସମସ୍ତ ରୋଗୀ ମାନଙ୍କୁ ଉପଯୁକ୍ତ ଜୀବନଶୈଳୀ ଓ ସ୍ୱଚ୍ଛତା ଉପରେ ଅବଗତ କରାଇ ଉପଯୁକ୍ତ ଖାଦ୍ୟପେୟ ସହିତ ୨୦୦ ଲୋକଙ୍କୁ ମାଲ୍ଟି ଭିଟାମିନ୍, ଫଳ, ବିସ୍କୁଟ୍ ଓ ଡ୍ରାୟଫୁଡ୍ ଇତ୍ୟାଦି ପ୍ରଦାନ କରାଯାଇଥିଲା । ସଙ୍ଘଟନ ମୁଖ୍ୟ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସହିତ ଆନନ୍ଦ ମହାପାତ୍ର, ଇଶା ମିଶ୍ର, ସରୋଜ ରାଉଳ, ସାମ୍ଭାବୀ ମହାପାତ୍ର ଗୁଜରାତ ର ଦର୍ଶିତ ରବାଡିଆ ଆଦି ସଦସ୍ୟମାନେ ଉପସ୍ଥିତ ହୋଇ ରୋଗୀମାନଙ୍କ ସହିତ କିଛି ଅନ୍ତରଙ୍ଗ ମୁହୁର୍ତ୍ତ ବିତାଇଥିଲେ ଓ ସମସ୍ତଙ୍କ ମନରେ ଖୁସି ସଞ୍ଚାରିତ କରିବାର ପ୍ରୟାସ କରିବା ସହିତ ସୁଦୀର୍ଘ ସୁସ୍ଥ ସ୍ୱାସ୍ଥ୍ୟ କାମନା କରିଥିଲେ । ନିରବଚ୍ଛିନ୍ନ ସେବା ଓ ପ୍ରେରଣାରେ ପ୍ରେରିତ ହୋଇ ସମସ୍ତେ ପ୍ରଫୁଲ୍ଲିତ ମନରେ ସ୍ପ୍ରେଡ୍ ହେପିନେସ୍ ସଦସ୍ୟ ମାନଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ ।
ସମାଜ ସେବାର ଅନନ୍ୟ ଅନୁଷ୍ଠାନ ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନ୍ ; ଏକ ଜନ ହିତକର ଓ ସମାଜ କଲ୍ୟାଣକାରୀ ସଂଗଠନ । ସମାଜ ସେବା ହେଉ ବା ସାହିତ୍ୟ ଆସର, ପରିବେଶ ସୁରକ୍ଷା ହେଉ ଅବା ପ୍ରାକୃତିକ ବିପର୍ଯୟ ଜନିତ ଦୁର୍ଦ୍ଦଶାର ମୁକାବିଲା କିମ୍ବା ମହାମାରୀ ଜନିତ ଲଢ଼େଇ, ସ୍ୱାସ୍ଥ୍ୟ ଜନିତ ସଚେତନତା, ରକ୍ତଦାନ, ଭିନ୍ନକ୍ଷମ, ଅନାଥାଶ୍ରମ ଓ ବୃଦ୍ଧାଶ୍ରମ ପ୍ରତି ସହାନୁଭାବ ଇତ୍ୟାଦି ସବୁଥିରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ସ୍ଵେଚ୍ଛାସେବୀ ସଂଗଠନ ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନ୍ I ଏହି ସଂଗଠନ ଗଠନ ହେବା ପରଠାରୁ ବହୁ ଜନହିତକର କାର୍ଯ୍ୟକ୍ରମ ହାତକୁ ନେଇ ବେଶ୍ ଜନାଦୃତ ହୋଇପାରିଛି I ଏହି ସଂଗଠନ ଗଠିତ ହେବା ପରେ ମହାରାଷ୍ଟ୍ରର ପୁନେରେ ବସବାସ କରୁ୍ଥିବା ପ୍ରବାସୀ ଓଡ଼ିଆ ଓ ଅଣ ଓଡ଼ିଆଙ୍କ ବିଭିନ୍ନ ସମସ୍ୟା ସମାଧାନ କରିବା ସହ କରୋନା ସମୟରେ ଜନ ସଚେତନତା ଏବଂ କରୋନା କିଟ୍ ବଣ୍ଟନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା I ସଂଗଠନର ଏହି କାର୍ଯ୍ୟକ୍ରମ ଧିରେ ଧିରେ ପୁନେରୁ ଭାରତର ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟକୁ ମଧ୍ୟ ପ୍ରସାରିତ ହୋଇଥିଲା I ଏହି ସଂଗଠନ ଓଡ଼ିଶାରେ କରୋନା ସଚେତନତା, ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ କରିବା ସହିତ ଓଡ଼ିଶା ଏବଂ ଓଡ଼ିଶା ବାହାରେ ଶିଶୁ ମାନଙ୍କ ଦକ୍ଷତା ବୃଦ୍ଧି ଓ ପ୍ରବାସୀ ମାନଙ୍କ ହେତୁ ସ୍ୱାସ୍ଥ୍ୟ ଓ ଜୀବନ ସୁରକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି I ଏହା ସହ ବିଭିନ୍ନ କୁଷ୍ଠାଶ୍ରମରେ ହାଇଜିନ୍ କିଟ୍ ବଣ୍ଟନ ଏବଂ ଓଡ଼ିଶାରେ ପ୍ରଥମ ଥର ପାଇଁ ବ୍ଲଡ୍ ଷ୍ଟେମ୍ ସେଲ୍ ସଂଗ୍ରହ ଅଭିଯାନ ଆରମ୍ଭ କରି ଏହି ସଂଗଠନ ଚର୍ଚ୍ଚାର ପରିଧି ମଧ୍ୟକୁ ଆସି ପାରିଛି I ଏହାରି ଭିତରେ ଏହି ସଂଗଠନ ଏକ ବର୍ଷ ମଧ୍ୟରେ ଏକାଧିକ ଦାଦନ ଶ୍ରମିକଙ୍କ ମୃତ ଦେହକୁ ନିଜ ଭିଟା ମାଟିରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରି ନିଜର ଅନ୍ୟ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି I