ରାଜ୍ୟ

ମାଲକାନଗିରି ଜିଲ୍ଲାରେ ସୁଟିଂ ହେବ ସାଉଥ ସିନେମା ପୁଷ୍ପାର ୨ୟ ଭାଗ

ମାଲକାନଗିରି Iତା:୯/୪
ତତ୍କାଳିନ ସମୟର ମାଲକାନଗିରି ଜିଲ୍ଲା ଦୁର୍ଗମର ମାଓଗଡ଼ ଭାବେ ପରିଚିତ ବିଛିନ୍ନାଞ୍ଚଳ ଆଜି ସ୍ୱାଭିମାନ ଅଞ୍ଚଳ ରୂପେ ଆତ୍ମ ପରିଚୟ ବହନ କରିଛି। ଏହି ଅଞ୍ଚଳକୁ ଏବେ ଫିଲ୍ମ ନିର୍ମାଣ ସଂସ୍ଥା ଓ ଚଳଚ୍ଚିତ୍ର ନିର୍ଦ୍ଦେଶଙ୍କ ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟରେ ବିମୁଗ୍ଧ ହୋଇ ଚଳଚ୍ଚିତ୍ର ସୁଟିଂ କରିବା ପାଇଁ ମନସ୍ଥ କରିଛନ୍ତି। ଏହା ପର୍ବରୁ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳକୁ ନେଇ ଓଡ଼ିଆ ଚଳଚ୍ଚିତ୍ର ଦମନର ସଫଳତା ପରେ ଦକ୍ଷିଣ ଭାରତର ପ୍ରସିଦ୍ଧ ସିନେମା ସଂସ୍ଥା ମୈତ୍ରି ପ୍ରଡକ୍ସନର ସୁପରହିଟ ପୁଷ୍ପା ଚଳଚ୍ଚିତ୍ରର ଦ୍ବିତୀୟ ଭାଗ ସ୍ୱାଭିମାନ ଅଞ୍ଚଳରେ ଖୁବଶୀଘ୍ର ସୁଟିଂ ହେବାକୁ ଯାଉଛି । ଏ ନେଇ ଗତ ଦୁଇଦିନ ହେବ ଫିଲ୍ମ ନିର୍ମାଣ ସଂସ୍ଥାର କର୍ମକର୍ତ୍ତାମାନେ ସ୍ୱାଭିମାନ ଅଞ୍ଚଳ, ଗୋବିନ୍ଦପାଲି ଘାଟି ଗସ୍ତ କରି ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି । ଚଳଚ୍ଚିତ୍ରର କିଛି ଭାଗ ସ୍ୱାଭିମାନ ଅଞ୍ଚଳରେ ସୁଟିଂ କରିବା ପାଇଁ ମାଲକାନଗିରି ଜିଲ୍ଲାପାଳ ଓ ଏସପିଙ୍କୁ ଆବେଦନ କରିଛନ୍ତି।
ସାରା ଦେଶରେ ଚହଳ ସୃଷ୍ଟି କରିଥିବା ଦକ୍ଷିଣ ଭାରତର ସୁପ୍ରସିଦ୍ଧ ସିନେମା ପୁଷ୍ପାର ଦ୍ବିତୀୟ ଭାଗ ସୁଟିଂ ପାଇଁ ମାଲକାନଗିରି ଜିଲ୍ଲାକୁ ମନୋନିତ କରିଛନ୍ତି। ପ୍ରଯୋଜକ ସଂସ୍ଥା ମୈତ୍ରୀ ମୁଭି ମେକର ପକ୍ଷରୁ ପୁଷ୍ପାର ଅପୂର୍ବ ସଫଳତା ହାସଲ କରିଥିବା ବେଳେ ପୁଷ୍ପା -୨ୟ ଭାଗ ଚଳଚ୍ଚିତ୍ର ନିମନ୍ତେ ଏହି ପ୍ରଯୋଜନା ସଂସ୍ଥା ପକ୍ଷରୁ ଅନ୍ୟ ସ୍ଥାନରେ ସୁଟିଂ କାର୍ଯ୍ୟ ଚାଲୁ ରହିଛି । ଏହି ସଂସ୍ଥା ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳ ଓ ଗୋବିନ୍ଦପାଲି ଘାଟି, ସପ୍ତଧାରା ନଦୀର ବିଭିନ୍ନ ଜାଗାରେ ସୁଟିଂ କରିବା ନିମନ୍ତେ ଆଗ୍ରହ ପ୍ରକାଶ କରିଛନ୍ତି । ଏ ନେଇ ପ୍ରଯୋଜନା ଟିମ୍ ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ ଓ ଏସପି ନିତେଶ ୱାଧୁନୀଙ୍କ ଠାରୁ ସୁଟିଂ ଅନୁମତି ପାଇଁ ଆବେଦନ କରିଛନ୍ତି । ଚଳଚ୍ଚିତ୍ର ନିର୍ମାଣ ସଂସ୍କାର ଏକ ଟିମ୍ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନ ଭ୍ରମଣ କରିଥିବା ବେଳେ ଶେଷରେ ସ୍ବାଭିମାନ ଅଞ୍ଚଳର ଝୁଲା ପୋଲ, ହନ୍ତାଳଗୁଡା ଘାଟିର ଭିୟୁ ପଏଣ୍ଟ ଓ ଚିତ୍ରକୋଣ୍ଡାର ନିର୍ମାଣାଧିନ ପୋଲ, ଜାନବାଇର ଗୁରୁପ୍ରିୟା ସେତୁ, ଗୋବିନ୍ଦପଲ୍ଲୀ ଘାଟି, ସପ୍ତଧାରା ଝରଣା ନିକଟରେ ସୁଟିଂ କରିବା ନିମନ୍ତେ ସ୍ଥାନ ନିରୂପଣ ହୋଇଛି ।
ମୈତ୍ରି ମୁଭି ମେକର ସଂସ୍ଥା ପକ୍ଷରୁ ଫାଇଟ୍ ମାଷ୍ଟର ପିଟର ହାଇନସ୍, କଳା ନିର୍ଦ୍ଦେଶକ ରାମକ୍ରିଷ୍ଣା, ଫାଇଟ ମାଷ୍ଟର ଡ୍ରାଗନ ପ୍ରକାଶ, ସହକାରୀ ପ୍ରଯୋଜକ ସୁଭ୍ରମଣ୍ୟମ୍, ସହ ନିର୍ଦ୍ଦେଶକ ପ୍ରସାଦ ମାରିସେଟି, କ୍ୟାମେରା ମ୍ୟାନ ଦେବରାଜ ପ୍ରମୁଖ ସ୍ଵାଭିମାନ ଅଞ୍ଚଳ ବୁଲି ଦେଖିଛନ୍ତି Iଆଗାମୀ ମଇ ମାସରେ ଚଳଚ୍ଚିତ୍ର ସୁଟିଂ ହେବାର ଲକ୍ଷ୍ଯ ରଖା ଯାଇଥିବା ବେଳେ ସମଗ୍ର ମାଲକାନଗିରି ଜିଲ୍ଲାରେ ଆନନ୍ଦ ଲହରୀ ଖେଳି ଯାଇଛି I

Leave a Reply

Your email address will not be published. Required fields are marked *