ଦେଶ- ବିଦେଶ

‘ଟୁଇଟର୍‌’ କହିଲା ‘ବିବିସି’ ସରକାରୀ ଅନୁଦାନପ୍ରାପ୍ତ ଗଣମାଧ୍ୟମ; ଖଣ୍ଡନ କଲା ‘ବିବିସି’

ୱାସିଂଟନ୍: ‘ବିବିସି’କୁ ସରକାରୀ ଅନୁଦାନପ୍ରାପ୍ତ ଗଣମାଧ୍ୟମ ସଂସ୍ଥାନ କହି ‘ଟୁଇଟର୍‌’ ମାଲିକ ଏଲନ୍‌ ମସ୍କ୍‌ ନୂଆ ବିବାଦର ସୂତ୍ରପାତ କରିଛନ୍ତି।

ସେପଟେ, ‘ବିବିସି’ ମଧ୍ୟ ଏଭଳି ବର୍ଗୀକରଣ ଉପରେ ତୁରନ୍ତ ପ୍ରତିକ୍ରିୟା ବ୍ୟକ୍ତ କରି ଏହାକୁ ଖଣ୍ଡନ କରିଛି। ‘ସିଏନ୍‌ଏନ୍‌’କୁ ଦେଇଥିବା ବିବୃତିରେ ‘ବିବିସି’ କହିଛି, କାହିଁକି ଆମକୁ ସରକାରୀ ଅନୁଦାନପ୍ରାପ୍ତ ଗଣମାଧ୍ୟମ ବୋଲି ବିଚାର କରୁଛି, ସେ ବିଷୟରେ ‘ଟୁଇଟର୍‌’ କୌଣସି କାରଣ ଦର୍ଶାଇ ନାହିଁ। ଯଥାଶୀଘ୍ର ସମ୍ଭବ ଏହି ମାମଲାର ସମାଧନା କରିବାକୁ ଆମେ ‘ଟୁଇଟର୍‌’ ସହିତ କଥାବାର୍ତ୍ତା କରୁଛୁ। ‘ବିବିସି’ ସ୍ବାଧୀନ ଅଛି ଓ ଆଗରୁ ବି ସ୍ବାଧୀନ ଥିଲା। ‘ଲାଇସେନ୍‌ସ୍‌ ଫି’ ଜରିଆରେ ଆମେ ବ୍ରିଟିସ୍‌ ଜନସାଧାରଣଙ୍କଠାରୁ ଅନୁଦାନ ସଂଗ୍ରହ କରୁ।ଉଲ୍ଲେଖଯୋଗ୍ୟ, ମସ୍କ୍‌ ଏବଂ ଆମେରିକୀୟ ‘ଏନ୍‌ପିଆର୍‌’ ନେଟ୍‌ୱାର୍କ ମଧ୍ୟର ସୃଷ୍ଟି ହୋଇଥିବା ବିବାଦ ଯୋଗୁଁ ‘ବିବିସି’କୁ ସରକାରୀ ଅନୁଦାନ ଶ୍ରେଣୀଭୁକ୍ତ ଗଣମାଧ୍ୟମ ବୋଲି ‘ଟୁଇଟର୍‌’ କହିଛି। ‘ଏନ୍‌ପିଆର୍‌’କୁ ମସ୍କ୍‌ ‘ରାଷ୍ଟ୍ର-ସମର୍ଥିତ ଗଣମାଧ୍ୟମ’ ବୋଲି କହିବାରୁ ଦୁହିଁଙ୍କ ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା। ‘ରାଷ୍ଟ୍ର-ସମର୍ଥିତ ଗଣମାଧ୍ୟମ’ କହିବା ଅର୍ଥ ଏହାର ସମ୍ପାଦକୀୟ ନୀତିକୁ ଆମେରିକୀୟ ସରକାର ପ୍ରଭାବିତ କରିପାରିବେ ବୋଲି ମସ୍କ୍‌ ପରୋକ୍ଷରେ ସୂଚାଇ ଥିଲେ। ଉଦାହରଣ ଭାବେ ସେ କ୍ରେମ୍‌ଲିନ୍‌ ଅନୁଦାନ ପ୍ରାପ୍ତ ‘ରଷା ଟୁଡେ’ ସମ୍ବାଦପତ୍ର କଥା ଉଲ୍ଲେଖ କରିଥିଲେ।

‘ଏନ୍‌ପିଆର୍‌’ ଉପରେ ‘ଟୁଇଟର୍‌’ ଦେଇଥିବା ମନ୍ତବ୍ୟକୁ ହ୍ବାଇଟ୍‌ ହାଉସ୍‌ ପ୍ରେସ୍‌ ସଚିବ କେରାଇନ୍‌ ଜିନ୍‌-ପାଇରି ମଧ୍ୟ ନିନ୍ଦା କରି କହିଥିଲେ, ‘ଏନ୍‌ପିଆର୍‌’ର ସାମ୍ବାଦିକମାନଙ୍କର ସ୍ବାଧୀନତା ଉପରେ ସନ୍ଦେହ ନାହିଁ।

ଉଲ୍ଲେଖଯୋଗ୍ୟ, ଇଂଲଣ୍ଡର୍‌ ଜାତୀୟ ସମ୍ବାଦ ପ୍ରସାରଣକାରୀ ସଂସ୍ଥାନ ହୋଇଥିବାରୁ ‘ବିବିସି’ ସରକାରଙ୍କ ସହିତ କରିଥିବା ‘ରୟାଲ୍‌ ଚାର୍ଟର୍‌’ ମାଧ୍ୟମରେ ପରିଚାଳିତ ହୋଇଥାଏ। କିନ୍ତୁ, ‘ବିବିସି’ ସମ୍ପାଦକୀୟ ଓ ସୃଜନାତ୍ମକ ନିଷ୍ପତ୍ତି କ୍ଷେତ୍ରରେ ସ୍ବାଧୀନ ବୋଲି ‘ରୟାଲ୍‌ ଚାର୍ଟର୍‌’ରେ ସ୍ପଷ୍ଟ ଉଲ୍ଲେଖ ଅଛି।

Leave a Reply

Your email address will not be published. Required fields are marked *