ଇରାକ ତୁଳନାରେ ରୁଷ୍ରୁ ଦୁଇ ଗୁଣା ଅଧିକ ତେଲ କିଣୁଛି ଭାରତ
ନୂଆଦିଲ୍ଲୀ : ରୁଷ୍ରୁ ରିହାତିରେ ମିଳୁଥିବା ତେଲ କିଣିବାର କୌଣସି ସୁଯୋଗ ଭାରତ ହାତ ଛଡ଼ା କରୁନାହିଁ। କମ୍ ଦାମ୍ ପ୍ରତି ଭାରତ ଏତେ ଆକର୍ଷିତ ହୋଇଯାଇଛି ଯେ ଏହା ନିଜର ପୁରୁଣା ବ୍ୟବସାୟ ସହଯୋଗୀ ଇରାକକୁ ମଧ୍ୟ କମ ଗୁରୁତ୍ବ ଦେଉଛି। ଇରାକ ତୁଳନାରେ ରୁଷ୍ଠାରୁ ଭାରତ ଦୁଇ ଗୁଣା ଅଧିକ ତେଲ କିଣିଛି। ୨୦୧୭-୧୮ ପରଠାରୁ ଭାରତ ସର୍ବାଧିକ ତେଲ ଇରାକରୁ କିଣୁଥିଲା। ମାତ୍ର ୨୦୨୨ ମାର୍ଚ୍ଚରେ ରୁଷ୍-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବାର କିଛି ଦିନ ପରେ ଏହା ରୁଷ୍ରୁ ଅଧିକ ତେଲ କିଣୁଛି।ଚୀନ୍ ଓ ଆମେରିକା ପରେ ଭାରତ ହେଉଛି ବିଶ୍ବର ତୃତୀୟ ବଡ଼ ତୈଳ ଆମଦାନିକାରୀ। ଚଳିତ ବର୍ଷ ମାର୍ଚ୍ଚରେ ରୁଷ୍ଠାରୁ ସର୍ବାଧିକ ତେଲ କିଣିଥିବା ଭାରତ ଦ୍ବିତୀୟ ସର୍ବାଧିକ ତୈଳ ସାଉଦି ଆରବରୁ କିଣିଛି। ଏହି ତାଲିକାର ତୃତୀୟ ସ୍ଥାନକୁ ଇରାକ ଖସିଆସିଛି। ଚତୁର୍ଥ ସ୍ଥାନରେ ୟୁଏଇ ରହିଥିବା ବେଳେ ଆମେରିକା ପଞ୍ଚମ ସ୍ଥାନରେ ରହିଛି। ଯଦିଓ ରୁଷ୍ଠାରୁ ଭାରତ ଅଧିକ ତେଲ କିଣୁଛି, କିନ୍ତୁ ସେଥିରେ ପୂର୍ବରୁ ଯେଉଁଭଳି ବୃଦ୍ଧି ହେଉଥିଲା ଆଉ ଦେଖିବାକୁ ମିଳୁନି।