ରାଜ୍ୟ

ଏପ୍ରିଲ ୧୫ରୁ ସାମୁଦ୍ରିକ ମାଛଧରା ଉପରେ କଟକଣା; ୬୦ ଦିନ ଘରେ ବସିବେ ହଜାରହଜାର ମତ୍ସ୍ୟଜୀବୀ

ବାଲେଶ୍ବର/ଚାନ୍ଦିପୁର: ଏପ୍ରିଲ ୧୫ରୁ ଜୁନ୍‌ ୧୪ ତାରିଖ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରା ବନ୍ଦ ରହିବ। ଦୁଇମାସ ଧରି ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯିବା ନେଇ କଟକଣା ଲାଗୁ ହେବ। ଏହି ସମୟରେ ମାଛମାନଙ୍କର ପ୍ରଜନନ ଋତୁ ଆରମ୍ଭ ହେଉଥିବା ଯୋଗୁ ସବୁ ବର୍ଷ ଏହି ସମୟରେ କେନ୍ଦ୍ର ସରକାରଙ୍କ ମତ୍ସ୍ୟ ସମ୍ପଦ ମନ୍ତ୍ରଣାଳୟ ପକ୍ଷରୁ ମତ୍ସ୍ୟଜୀବୀଙ୍କ ସମୁଦ୍ର ପ୍ରବେଶ ଉପରେ କଟକଣା ଲାଗୁ ହୋଇଥାଏ। ତେବେ ସରକାରଙ୍କ ଏହି କଟକଣାରେ ପରିବର୍ତ୍ତନ ଦାବି କରି ମତ୍ସ୍ୟଜୀବୀମାନେ ଦୀର୍ଘବର୍ଷ ହେଲା ପ୍ରତିବାଦ କରିଆସୁଥିବା ବେଳେ ଆଜି ଭୁବନେଶ୍ବର‌ ଠାରେ ମତ୍ସ୍ୟ ବିଭାଗ ପକ୍ଷରୁ ଅନୁଷ୍ଠିତ ବୈଠକରେ ମଧ୍ୟ ବିଭିନ୍ନ ଦାବି ସଂପର୍କରେ ଆଲୋଚନା କରାଯାଇଥିଲା। ଏହି ଦୁଇମାସ ମତ୍ସଜୀବୀଙ୍କୁ ଅଧିକ ଆର୍ଥିକ ସହାୟତା ଯୋଗାଇ ଦେବା ଏବଂ କଟକଣାକୁ କଡ଼ାକଡ଼ି କରାଯିବାକୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଯୋଗ ଦେଇଥିବା ମତ୍ସଜୀବୀ ସଂଘ ଦାବି କରିଥିଲେ। ବୈଠକରେ ଉପସ୍ଥିତ ଥିବା ରାଜ୍ୟ କୃଷି, ମତ୍ସ୍ୟ ଓ ପଶୁପାଳନ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହା ଉପରେ ଗୁରୁତ୍ବ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *