ବିହାର ଏବଂ ପଶ୍ଚିମବଙ୍ଗ ପରେ ଜମ୍ମୁକଶ୍ମୀରରେ ଭୂମିକମ୍ପର ଝଟକା: ଲୋକେ ଭୟଭୀତ
ନୂଆଦିଲ୍ଲୀ: ବୁଧବାର ସକାଳ ୧୦ଟା ୧୦ମିନିଟରେ ଜମ୍ମୁ କଶ୍ମୀରରେ ଭୂମିକମ୍ପ ଝଟକା ଲାଗିଥିଲା। ଏହି ଝଟକା ରିକ୍ଟର ସେକ୍ଲରେ ୪.୦ ଥିବା ଜଣାପଡ଼ିଛି। ଏନେଇ ଅଧିକ ତଥ୍ୟର ଅପେକ୍ଷା କରାଯାଇଛି। ତେବେ ଏହି ଝଟକାକୁ ଅନୁଭବ କରିଥିବା ଲୋକେ ଭୟଭୀତ ହୋଇଯାଇଛନ୍ତି।
‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ ରିପୋର୍ଟ ଅନୁସାରେ, ଆଜି ସକାଳ ପ୍ରାୟ ୫.୩୫ରେ ବିହାରର ଅରରିୟା ଜିଲ୍ଲାରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାର ଉତ୍ପତ୍ତିସ୍ଥଳ ଥିଲା ପୁର୍ଣ୍ଣିଆ ନିକଟ ଭୂଗର୍ଭର ୧୦ କିଲୋମିଟର୍ ଅଭ୍ୟନ୍ତରରେ।
ଏହି ଭୂମିକମ୍ପ ଯୋଗୁଁ ଧନସମ୍ପତ୍ତି କ୍ଷୟକ୍ଷତି କିଂବା କେହି ମୃତାହତ ହୋଇଥିବା ଖବର ହସ୍ତଗତ ହୋଇନାହିଁ।
ସେହିପରି, ଆଜି ପ୍ରତ୍ୟୁଷରେ ପଶ୍ଚିମବଙ୍ଗର ସିଲିଗୁଡ଼ିରେ ମଧ୍ୟ ୪.୩ ତୀବ୍ରତାସମ୍ପନ୍ନ ଭୂମିକମ୍ପ ହୋଇଥିବା ରିପୋର୍ଟ ମିଳିଛି। ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ ରିପୋର୍ଟ ଅନୁସାରେ, ଏହି ଭୂମିକମ୍ପ ସିଲିଗୁଡ଼ିର ଦକ୍ଷିଣପଶ୍ଚିମକୁ ପ୍ରାୟ ୧୪୦ କିଲୋମିଟର୍ ଦୂରରେ ଅନୁଭୂତ ହୋଇଥିଲା। ଏଥିରେ ବି କୌଣସି ଧନଜୀବନ ନଷ୍ଟ ହୋଇଥିବା ରିପୋର୍ଟ ମିଳିନାହିଁ।
ନେପାଳ ଓ ବାଂଲାଦେଶରେ ମଧ୍ୟ ଏହି ଭୂମିକମ୍ପର କମ୍ପନ ଅନୁଭୂତ ହୋଇଥିବା କଥା କୁହାଯାଉଛି।