ରାଜ୍ୟ

କଳିଙ୍ଗ ସାହିତ୍ୟ ସମାଜର ତିନିଦିନିଆ
ବିଷୁବ ମହୋତ୍ସବ ଉଦ୍ଘାଟିତ

ବ୍ରହ୍ମପୁର, ୧୩l0୪ : ଓଡ଼ିଶାର ଅନ୍ୟତମ ପୁରାତନ ସାହିତ୍ୟାନୁଷ୍ଠାନ କଳିଙ୍ଗ ସାହିତ୍ୟ ସମାଜ ପକ୍ଷରୁ ତିନି ଦିନ ବ୍ୟାପୀ ବିଷୁବ ମିଳନ ମହୋତ୍ସବ ଆଜି ସନ୍ଧ୍ୟାରେ ଉତ୍କଳ ଆଶ୍ରମ ସଭାଗୃହରେ ଏକ ଭବ୍ୟ ବାତାବରଣ ମଧ୍ୟରେ ଉଦ୍ଘାଟିତ ହୋଇଯାଇଛି l କଳିଙ୍ଗ ସାହିତ୍ୟ ସମାଜର ସଭାପତି ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉଦ୍ଘାଟନୀ ପର୍ବରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର୍ ଜୟନ୍ତ କୁମାର ମହାପାତ୍ର ମୁଖ୍ୟଅତିଥି ଓ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଡ. ମନ୍ମଥ ପାଢ଼ୀ ମୁଖ୍ୟବକ୍ତା ରୂପେ ଯୋଗଦେଇ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିବାରେ ଅବିଭକ୍ତ ଗଞ୍ଜାମ ଜିଲ୍ଲାର ଅତୁଲ୍ୟ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ l
ଭାରତୀୟ ସାହିତ୍ୟ ସର୍ବଦା ବିବିଧତା ମଧ୍ୟରେ ଏକତାର ଜୟଗାନ କରିଆସିଛି l ସାହିତ୍ୟ ମଣିଷ ମଣିଷ ମଧ୍ୟରେ ସମ୍ପର୍କର ସେତୁ ତୁଲ୍ୟ କାର୍ଯ୍ୟ କରେ ଓ ଭିନ୍ନ ଏକ ଭାବଗତ ଆତ୍ମୀୟତାରେ ସଭିଙ୍କୁ ଆପଣେଇ ନିଏ ବୋଲି ମୁଖ୍ୟଅତିଥି ପ୍ରଫେସର୍ ଜୟନ୍ତ କୁମାର ମହାପାତ୍ର ମତବ୍ୟକ୍ତ କରିଥିଲେ l ଓଡ଼ିଆ ଭାଷା ଆନ୍ଦୋଳନ ସମ୍ପର୍କରେ ମତୋଲ୍ଲେଖ ପୂର୍ବକ ପ୍ରଫେସର୍ ମହାପାତ୍ର କହିଥିଲେ, ସାହିତ୍ୟ ଓ ରାଜନୀତି ପରସ୍ପର ପରିପୂରକ l ସାହିତ୍ୟ ରାଜନୀତିକୁ ମାର୍ଗଦର୍ଶନ କରେ ଓ ରାଜନୀତି ସାହିତ୍ୟ ସର୍ଜନାର ପୃଷ୍ଠଭୂମି ତିଆରି କରେ l ମୁଖ୍ୟବକ୍ତା ପ୍ରଫେସର୍ ମନ୍ମଥ ପାଢ଼ୀ ବିଷୁବ ସଂକ୍ରାନ୍ତିର ବିଶେଷତ୍ୱ ବିଷୟରେ ବର୍ଣ୍ଣନା କରିବା ସଂଗେ ସଂଗେ ଗଞ୍ଜାମର ସାହିତ୍ୟିକ ଓ ସାହିତ୍ୟ ପରମ୍ପରା ସମ୍ପର୍କରେ ଆଲୋଚନା କରିଥିଲେ l
ସାହିତ୍ୟ ସମାଜର ସମ୍ପାଦକ ଡ. ଶରତ କୁମାର ଜେନା ଉଦ୍ଘାଟନୀ ପର୍ବର ସଂଯୋଜନା କରିବା ସହ ତିନି ଦିନ ବ୍ୟାପୀ ବିଷୁବ ମିଳନ ମହୋତ୍ସବ ଆୟୋଜନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l ପ୍ରାରମ୍ଭରେ ସାହିତ୍ୟ ସମାଜର କାର୍ଯ୍ୟକାରୀ ସମିତି ସଦସ୍ୟ ଡ. କୁଳମଣି ଓଝା ଆମନ୍ତ୍ରିତ ଅତିଥିମାନଙ୍କୁ ମଞ୍ଚ ଆମନ୍ତ୍ରଣ କରିବା ସହ ବୈଦିକ ମନ୍ତ୍ରୋଚ୍ଚାରଣ ଓ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ l ଅତିଥିଗଣ ରାଷ୍ଟ୍ର ଦେବତା ଶ୍ରୀଜଗନ୍ନାଥଙ୍କ ଦାରୁ ବିଗ୍ରହ ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ l ଉପ-ସଭାପତି ଡ. ବନମାଳୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ l
କାର୍ଯ୍ୟକ୍ରମର ଦ୍ବିତୀୟ ପ୍ରସ୍ଥରେ ଆୟୋଜିତ ବିଷୁବ କବିତା ଆସରରେ ଡ. ବନମାଳୀ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ l ଜନପ୍ରିୟ ଚକ୍ଷୁ ବିଶେଷଜ୍ଞ କବି ଡା. ରାଜେନ୍ଦ୍ର ବେହେରା ମୁଖ୍ୟଅତିଥି ରୂପେ ଯୋଗଦେଇ ସାମ୍ପ୍ରତିକ କବିତାର ସ୍ୱର ଓ ସମ୍ଭାବନା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l କବି ଡ. ସୁଶାନ୍ତ ଜେନା ଓ କବୟିତ୍ରୀ ସୁଚେତା ପାଣିଗ୍ରାହୀଙ୍କ ଯୁଗ୍ମ ସଂଯୋଜନାରେ ଆୟୋଜିତ ଏହି ବିଷୁବ କବିତା ଆସରରେ ସ୍ୱତନ୍ତ୍ର ଭାବେ ଆମନ୍ତ୍ରିତ କବିମାନଙ୍କ ମଧ୍ୟରେ ନୀଳକଣ୍ଠ ସାହୁ, କୁମାର ଧର୍ମନ୍, ଭଗବାନ ପଣ୍ଡା, ଦୀପିକା ଦାସ, ଡ. ସୁଶାନ୍ତ ଦାସ, ଶୁଭସ୍ମିତା ତ୍ରିପାଠୀ, ସ୍ବର୍ଣ୍ଣମୟୀ ପାଢ଼ୀ, ଅଜିତ୍ ସେଠୀ, ଡ. ବୃଷକେତୁ ଦାଶ, ରଞ୍ଜିତାରାଣୀ ଦାଶ, ମିହିର ତ୍ରିପାଠୀ, କଲ୍ୟାଣୀ ଦାସ, ଅଞ୍ଜଳି ଦାଶ, ଭାଗ୍ୟଲକ୍ଷ୍ମୀ ମହାରଣା, ତୁଳସୀ ମେହେର, ଦିଲୀପ କୁମାର ପଲାଇ, ନିଖିଳପ୍ରଭା ମିଶ୍ର, ସୌଦାମିନୀ ମିଶ୍ର (କନିଷ୍ଠ) ଓ ସୁଜାତା ଶତପଥୀ, ଭିକାରୀ ମହାପାତ୍ର, ହାଡ଼ିବନ୍ଧୁ ମାଳି, ପ୍ରମୋଦ କୁମାର ପଣ୍ଡା, ଶ୍ୟାମସୁନ୍ଦର ଖାଡ଼ଙ୍ଗା, ଡ. ସୁବ୍ରତ କୁମାର ସାହୁ ପ୍ରମୁଖ ସ୍ୱରଚିତ କବିତା ଆବୃତ୍ତି କରିଥିଲେ l ଏହି ସାରସ୍ୱତ ମହୋତ୍ସବ ସଂଚାଳନାରେ ଡ. କୃଷ୍ଣ ପ୍ରସାଦ ମହାପାତ୍ର, ଡ. ହୃଷୀକେଶ ପଣ୍ଡା, ଅନୁପ କୁମାର ମିଶ୍ର, ଦୀନବନ୍ଧୁ ଶ୍ରୀପଲ୍ଲବ ଓ ନଳିନୀକାନ୍ତ ପାଣିଗ୍ରାହୀ ସହଯୋଗ କରିଥିଲେ l ଶେଷରେ ଦୀନବନ୍ଧୁ ଶ୍ରୀପଲ୍ଲଵ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *