ମନରେଗାରେ ଜେସିବି ବ୍ୟବହାରକୁ ବିରୋଧ କରିବାରୁ ବୃଦ୍ଧଙ୍କୁ ଆକ୍ରମଣ ଅଭିଯୋଗ
ଦିଗପହଣ୍ଡି,୧୩/୪/୨୩:ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କୁଶପଡା ପଞ୍ଚାୟତର ପତାଣ୍ଡ ଗ୍ରାମର ନାଳ ପଡିଆ ଠାରେ ଏମଜିଏନଆରଇଜିଏ ର ଅମୃତ ସରୋବର କାର୍ଯ୍ୟରେ ଜେସିବି ବ୍ୟବହାର କରାଯାଇ ଖନନ କାମ ଚାଲିଥିବା ବେଳେ ଏସ କୃଷ୍ଣମୂର୍ତ୍ତି ଦୋରା ନାମକ ଜଣେ ବୃଦ୍ଧ ବ୍ୟକ୍ତି ଏଠାରେ କି କାମ ହେଉଛି ବୋଲି ପଚାରିଥିଲେ ।କିନ୍ତୁ ଉକ୍ତ କାର୍ଯ୍ୟକୁ ତଦାରଖ କରୁଥିବା ନାଏବ ସରପଞ୍ଚ ଇ ରାମହରି ଦୋରା ଓ ଏସ୍ ଶ୍ରୀହରି ଦୋରା ବୃଦ୍ଧଙ୍କ କଥାରେ ଉତକ୍ଷିପ୍ତ ହୋଇ ମିଳିତ ଭାବେ ଆକ୍ରମଣ କରିଥିଲେ ।ଏହି ଆକ୍ରମଣରେ ବୃଦ୍ଧ ଜଣକ ଅଚେତ ଅବସ୍ଥାରେ ତଳେ ପଡିଯିବା ପରେ ଘଟଣା ସ୍ଥଳରୁ ଉଭୟେ ଫେରାର ହୋଇଯାଇଥିଲେ ।ଏହି ଘଟଣା ସମ୍ପର୍କରେ ଗ୍ରାମବାସୀ ଜାଣିବା ପରେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ ।ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ବୃଦ୍ଧଙ୍କ ସ୍ତ୍ରୀ ଏସ ସରସ୍ୱତୀ ଦୋରା ଓ କିଛି ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧଙ୍କୁ ଉଧାର କରିବା ସହ ଚିକିତ୍ସା ନିମନ୍ତେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ କିନ୍ତୁ ଅବସ୍ଥା ଗୁରୁତର ହେବାରୁ ପରବର୍ତ୍ତୀ ମୁହୂର୍ତ୍ତରେ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।ଏହି ଘଟଣାକୁ ନେଇ କୃଷ୍ଣମୂର୍ତ୍ତି ଦିଗପହଣ୍ଡି ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ବେଳେ ଉଭୟଙ୍କ ପକ୍ଷରୁ ଦୁଇଟି ଅଭିଯୋଗ ହୋଇଥିବା ଥାନା ଅଧିକାରୀ ଦୀପ୍ତିରଞ୍ଜନ ବେହେରାଙ୍କ ଠାରୁ ସୂଚନା ମିଳିଛି ।ତେବେ ଏଠାରେ ପ୍ରଶ୍ନ ଉଠେ ଯେ,ଅମୃତ ସରୋବର କାର୍ଯ୍ୟରେ ଶ୍ରମିକ ବଦଳରେ କାହିଁକି ଜେସିବି ବ୍ୟବହାର କରାଗଲା ଏବଂ କାହାର ଇଙ୍ଗିତରେ ଏଭଳି କାମ କରାଯାଉଛି ତାହା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।