ଦେଶ- ବିଦେଶ

ଶାସନ କ୍ଷମତା ପାଇଁ ସୁଦାନ ସେନାରେ ସଂଘର୍ଷ; ଅନ୍ୟୂନ ୨୭ ମୃତ, ୧୮୩ ଆହତ

ଖାର୍‌ତୌମ୍‌: ଶାସନ କ୍ଷମତା ପାଇଁ ଶନିବାର ଦିନ ସୁଦାନ ସେନା ଓ ଶକ୍ତିଶାଳୀ ‘ପାରାମିଲିଟାର ଫୋର୍ସ’ ମଧ୍ୟରେ ରାଜଧାନୀ ଓ ଅନ୍ୟାନ୍ୟ ଅଞ୍ଚଳରେ ସଂଘର୍ଷ ତୁମୁଳ ହେବାରୁ ଜାତିସଂଘର ଜଣେ କର୍ମଚାରୀଙ୍କ ସମେତ ଅନ୍ୟୂତ ୨୭ଜଣଙ୍କର ମୃତ୍ୟୁ ଘଟିଥିବା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

ଏହାଛଡ଼ା, ଏହି ସଂଘର୍ଷ ଯୋଗୁଁ ୧୮୩ଜଣ ଆହତ ହୋଇଥିବା ଖବର ମଧ୍ୟ ଆସିଛି। ରାଷ୍ଟ୍ରପତି ଭବନ, ରାଷ୍ଟ୍ରାୟତ ଟେଲିଭିଜନ୍‌ ଏବଂ ସେନାମୁଖ୍ୟାଳୟ ଅକ୍ତିଆର କରିବା ଲାଗି ରାଜଧାନୀ ଖାର୍‌ତୌମ୍‌ ପ୍ରତିଦ୍ବନ୍ଦ୍ବୀ ସୈନିକମାନ‌େ ଗୁଳିଗୋଳା ବିନିମୟ କରିଥିଲେ।

ନିଉଜ୍‌ ଏଜେନ୍‌ସି ‘ଏପି’ ରିପୋର୍ଟ ଅନୁସାରେ, ସୁଦାନୀୟ ଡାକ୍ତର ସଂଘ କହିଛି ଯେ, ପଶ୍ଚିମ ଦାର୍‌ଫୁର୍‌ ଏବଂ ଉତ୍ତର ମେରୋୱେ ନଗରୀରେ ସେନା ଓ ‘ଆର୍‌ଏସ୍‌ଏଫ୍‌’ ସୈନିକଙ୍କ ସମେତ ଆହୁରି ଅନେକ ବ୍ୟକ୍ତି ନିହତ ହୋଇଛନ୍ତି ଯେଉଁମାନଙ୍କ ସଂଖ୍ୟା ନିର୍ଦ୍ଧାରଣ କରାଯାଇନାହିଁ।

‘ରଏଟର୍ସ’ ରିପୋର୍ଟ ଅନୁସାରେ, ଦେଶରେ ଗଣତନ୍ତ୍ର ଶାସନ ପ୍ରଚଳନ ପାଇଁ ପାରାମିଲିଟାରି ଫୋର୍ସର ଉଦ୍ୟମକୁ ପ୍ରତିହତ କରିବା ପାଇଁ ସୁଦାନ ସେନା ରାଜଧାନୀ ନିକଟରେ ଥିବା ପାରାମିଲିଟାରି ଘାଟି ଉପରେ ବିମାନ ଆକ୍ରମଣ କରିଥିଲା।

ରାଷ୍ଟ୍ରପତି ଭବନ, ସେନାମୁଖ୍ୟଙ୍କ ବାସଭବନ, ରାଷ୍ଟ୍ରାୟତ ଟେଲିଭିଜନ୍‌ କେନ୍ଦ୍ର ଏବଂ ଖାର୍‌ତୌମ୍‌ରେ ଥିବା ବିମାନ ବନ୍ଦରଗୁଡ଼ିକୁ ନିୟନ୍ତ୍ରଣକୁ ନେଇଥିବା କଥା ‘ରାପିଡ୍‌ ସପୋର୍ଟ ଫୋର୍ସ’ କୁହାଯାଉଥିବା ଏହି ପାରାମିଲିଟାରି ‌ଫୋର୍ସ ଦାବି କରିଥିବା ବେଳେ ସେନା ଏହାକୁ ଅସ୍ବୀକାର କରିଛି।

ଆକାଶ ମାର୍ଗରୁ ‘ରାପିଡ୍‌ ସପୋର୍ଟ ଫୋର୍ସ’ର କାର୍ଯ୍ୟକଳାପ ସର୍ଭେ କରାଯାଉଥିବାରୁ ଜନସାଧାରଣଙ୍କୁ ଘରେ ରହିବାକୁ ସୁଦାନୀୟ ବାୟୁସେନା ପରାମର୍ଶ ଦେଇଛି। ସେଥିପାଇଁ ଆଜି ଖାର୍‌ତୌମ୍‌ ପ୍ରଦେଶରେ ଛୁଟି ଘୋଷଣା କରାଯାଇଛି।

୨୦୧୯ରେ ସାମରିକ ବିଦ୍ରୋହରେ କ୍ଷମତାଚ୍ୟୁତ ହୋଇଥିବା ପୂର୍ବତନ ରାଷ୍ଟ୍ରପତି ତଥା ଟାଣୁଆ ନେତା ଓମାର୍‌ ହସନ୍‌ ଅଲ୍‌-ବଶିର୍‌ଙ୍କ ଅନୁଗତମାନେ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ‘ରାପିଡ୍‌ ସପୋର୍ଟ ଫୋର୍ସ’ କହୁଛି।

୨୦୨୧ରେ ମଧ୍ୟ ସାମରିକ ବିଦ୍ରେହରେ ଦେଶର ଗଣତାନ୍ତ୍ରିକ ରାଷ୍ଟ୍ରପତିଙ୍କୁ କ୍ଷମତାଚ୍ୟୁତ କରାଯାଇଥିଲା। ସୁଦାନରେ ଖୁବ୍‌ ସ୍ବଳ୍ପ ଦିନ ପାଇଁ ଗଣତନ୍ତ୍ର ଶାସନ ଚାଲିଥିଲା।

Leave a Reply

Your email address will not be published. Required fields are marked *