ଏଆଇକୁ ନେଇ ଚିନ୍ତାବ୍ୟକ୍ତ କଲେ ପିଚାଇ
ନୂଆଦିଲ୍ଲୀ : କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ବ୍ୟବହାର ଏବେ ବିଭିନ୍ନ କ୍ଷେତ୍ରରେ ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ ଏଆଇକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ଭୁଲ୍ଭାବେ ଏହି ପ୍ରଯୁକ୍ତିକୁ ନିୟୋଜିତ କରାଗଲେ ଏହା ଅତ୍ୟନ୍ତ କ୍ଷତିକାରକ ହେବ ବୋଲି ଏକ ସାକ୍ଷାତକାରରେ ସେ କହିଛନ୍ତି। ଏଆଇର ପ୍ରତିକୂଳ ଦିଗ ସଂପର୍କରେ ଚିନ୍ତା କରିବା ବେଳେ ତାଙ୍କୁ ରାତିସାରା ବ୍ୟସ୍ତ ଲାଗେ ବା ନିଦ ହୁଏ ନାହିଁ। ଏଆଇର ପରିଚାଳନା ପାଇଁ ନିୟନ୍ତ୍ରଣ ବ୍ୟବସ୍ଥା ଅଣାଯିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।
ଏଆଇର ଦୁଇଟି ଦିଗ ତାଙ୍କୁ ବ୍ୟଥିତ କରିଛି। ଗୋଟିଏ ହେଲା ଆମେ ଯେଉଁ ହାରରେ ଚିନ୍ତା କରୁଛେ ଏବଂ ସାମାଜିକ ପ୍ରତିଷ୍ଠାନ ଗୁଡ଼ିକ ସହିତ ନିଜକୁ ଖାପ ଖୁଆଉଛେ ତାହା ତୁଳନାରେ ଏହି ପ୍ରଯୁକ୍ତିର ବିକାଶ ଅଧିକ ବେଗରେ ହେଉଛି। ତେଣୁ ଏ କ୍ଷେତ୍ରରେ ତାଳମେଳ ରହୁନାହିଁ। ଦ୍ବିତୀୟ ବିଷୟ ହେଲା ଅନ୍ୟ ପ୍ରଯୁକ୍ତି ତୁଳନାରେ ଏହି ପ୍ରଯୁକ୍ତିକୁ ନେଇ ଅଧିକ ଲୋକ ଚିନ୍ତିତ ଅଛନ୍ତି। କେଉଁସବୁ କ୍ଷେତ୍ରର ଚାକିରି ପ୍ରଭାବିତ ହେବ ବୋଲି ପଚରାଯିବାରୁ ସେ କହିଛନ୍ତି ବୁଦ୍ଧି ବା ଜ୍ଞାନ କ୍ଷେତ୍ରର। ଲେଖକ, ଆକାଉଣ୍ଟାଣ୍ଟ, ଆର୍କିଟେକ୍ଟ ଏବଂ ସଫ୍ଟୱେର ଇଞ୍ଜିନିୟରର ଆଦି କ୍ଷେତ୍ରର ଚାକିରି ପ୍ରଭାବିତ ହେବ ବୋଲି ସେ ମତ ଦେଇଛନ୍ତି। ତେଣୁ ଦେଶଗୁଡ଼ିକ ଶିଘ୍ର ଏଆଇ ପାଇଁ ନିୟନ୍ତ୍ରଣ ବ୍ୟବସ୍ଥା ଆଣିବା ଉଚିତ।
ଏଥିସହିତ ଅପବ୍ୟବହାର କରୁଥିବା ଲୋକଙ୍କୁ ଦଣ୍ଡିତ କରିବା ପାଇଁ ଆଇନ ଆଣିବା, ବିଶ୍ବ ପାଇଁ ଏଆଇ ଯେଭଳି ନିରାପଦ ରହିବ ସେଥିପାଇଁ ଦେଶଗୁଡ଼ିକ ଚୁକ୍ତି କରିବା ଆବଶ୍ୟକ। ଏଥିପାଇଁ ଆମକୁ ଗଭୀର ଭାବେ ଚିନ୍ତା କରିବାକୁ ହେବ। କେବଳ କମ୍ପାନି ନୁହେଁ ସମାଜକୁ ଏ ସଂପର୍କରେ ଚିନ୍ତା କରିବାକୁ ପଡ଼ିବ। ତେବେ ଗୁଗୁଲ୍ ମଧ୍ୟ ବାର୍ଡ ନାମରେ ଚାଟବଟ୍ ଆଣିଛି। ଓପନଏଆଇର ଚାଟ୍ଜିପିଟି ଆସିବା ପରେ ଅନ୍ୟମାନେ ଏ କ୍ଷେତ୍ରରେ କାର୍ଯ୍ୟ କରିବା ଆରମ୍ଭ କରିଦେଇଛନ୍ତି।