ଦେଶ- ବିଦେଶ

କାର୍ଯ୍ୟ କରିବା ପାଇଁ ମହିଳାଙ୍କୁ ତାଲିବାନ୍‌ ଅନୁମତି ଦେଉ ନ ଥିବାରୁ ଆଫଗାନିସ୍ତାନ୍‌ରୁ ଫେରିଯିବ ଜାତିସଂଘ

ନ୍ୟୁୟର୍କ: ଜାତିସଂଘ ପାଇଁ କାର୍ଯ୍ୟ କରିବା ଲାଗି ସ୍ଥାନୀୟ ମହିଳାମାନଙ୍କୁ ଅନୁମତି ଦେବା ପାଇଁ ତାଲିବାନ୍‌କୁ ବୁଝାଇବାରେ ବିଫଳ ହେଲେ ମେ’ ମାସରୁ ଜାତିସଂଘ ଆଫଗାନିସ୍ତାନରୁ ଅପସରି ଯିବ ବୋଲି ‘ଜାତିସଂଘ ବିକାଶ କାର୍ଯ୍ୟକ୍ରମ’ର (ୟୁଏନ୍‌ଡିପି) ମୁଖ୍ୟ କହିଥିବା କଥା ‘ଖାମା ପ୍ରେସ୍‌’ ରିପୋର୍ଟ କରିଛି।

ଉଲ୍ଲେଖଯୋଗ୍ୟ, ଜାତିସଂଘ ତରଫରୁ କାର୍ଯ୍ୟ ନ କରିବା ଲାଗି ତାଲିବାନ୍‌ ମହିଳାମାନଙ୍କ ପ୍ରତି ନିଷେଧାଜ୍ଞା ଜାରି କରିଛି। କିନ୍ତୁ, ଏହି କଟକଣା ବା ନିଷେଧାଜ୍ଞା ଉଠାଇ ଦେବା ଲାଗି ଜାତିସଂଘ ସମ୍ପ୍ରତି ତାଲିବାନ୍‌ ସହିତ ଆଲୋଚନା ଚଳାଇଛି।

‘ୟୁଏନ୍‌ଡିପି’ ପ୍ରଶାସକ ଅସିନ୍‌ ଷ୍ଟେନର୍‌ କହିଛନ୍ତି, କହିବାକୁ ଗଲେ, ଏଠାରେ ଆମର କାର୍ଯ୍ୟ ଦକ୍ଷତାର ପୁନଃମୂଲ୍ୟାୟନ କରିବା ପରେ ଆମେ ସମ୍ପୂର୍ଣ୍ଣ ଚାଲିଯିବାକୁ ବିଚାର କରୁଛୁ। ଆମର ମୌଳିକ ନୀତି ଓ ମାନବ ଅଧିକାର ପ୍ରସଙ୍ଗକୁ ସାଲିସ କରାଯାଇ ପାରିବ ନାହିଁ।

ଆଫଗାନିସ୍ତାନର ପୂର୍ବାଞ୍ଚଳ ପ୍ରଦେଶ ନାନ୍‌ଗର୍‌ହାର୍‌ରେ ଜାତିସଂଘ ତରଫରୁ କାର୍ଯ୍ୟ କରୁଥିବା ଆଫଗାନିସ୍ତାନ ମହିଳା ସଦସ୍ୟମାନଙ୍କ ଉପରେ ନିଷେଧାଜ୍ଞା ଜାରି କରାଯିବାରୁ ଜାତିସଂଘ ଖୁବ୍‌ ଉଦ୍‌ବେଗ ପ୍ରକାଶ କରିଛି ବୋଲି  ମଧ୍ୟ ‘ଖାମ ପ୍ରେସ୍‌’ ରିପୋର୍ଟ କରିଛି।

ଟୁଇଟ୍‌ କରି ଜାତିସଂଘ ମଧ୍ୟ ତାଲିବାନ୍‌କୁ କହିଛି ଯେ, ଅଧିକାଂଶ ଆନ୍ତର୍ଜାତିକ ସଂଗଠନର କର୍ମଚାରୀମାନେ ମହିଳା ହୋଇଥିବାରୁ ମହିଳା କର୍ମଚାରୀଙ୍କ ବିନା ଜୀବନ ରକ୍ଷାକାରୀ ସହାୟତା ଯୋଗାଇବା ବିପଜ୍ଜନକ।

ସ୍ମରଣଯୋଗ୍ୟ, ୨୦୨୧ ଅଗଷ୍ଟ ମାସରେ ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ମହିଳା ଓ ଝିଅମାନଙ୍କ ପ୍ରତି ନିଷେଧାଜ୍ଞା ଜାରି କରି ସେମାନଙ୍କୁ ଶିକ୍ଷା ଓ କର୍ମସଂସ୍ଥାନ କ୍ଷେତ୍ରରୁ ବଞ୍ଚିତ କରିଛି।

Leave a Reply

Your email address will not be published. Required fields are marked *