ଚୀନ୍ ପ୍ରସ୍ତୁତି କରୁଛି ‘ସୁପର୍ସୋନିକ୍ ସ୍ପାଏ ଡ୍ରୋନ୍ ୟୁନିଟ୍’: ରିପୋର୍ଟ
ୱାସିଂଟନ୍: ଖୁବ୍ ଶୀଘ୍ର ଚୀନା ସେନା ଅତି ଉଚ୍ଚ ଆକାଶରେ ଶବ୍ଦର ବେଗଠାରୁ ଅନ୍ୟୂନ ୩ଗୁଣା ବେଗରେ ଗତି କରିବାକୁ ସମର୍ଥ ‘ସ୍ପାଏ ଡ୍ରୋନ୍’ ମୁତୟନ କରିପାରେ ବୋଲି ‘ଲିକ୍’ ହୋଇଥିବା ଆମେରିକୀୟ ସେନା ସମୀକ୍ଷା ଦଲିଲ୍ରୁ ତଥ୍ୟ ସଂଗ୍ରହ କରି ମଙ୍ଗଳବାର ଦିନ ‘ଦି ୱାସିଂଟନ୍ ପୋଷ୍ଟ୍’ ରିପୋର୍ଟ କରିଛି।
‘ନ୍ୟାସ୍ନାଲ୍ ଜିଓସ୍ପେଟିଆଲ୍-ଇଣ୍ଟେଲିଜେନ୍ସ୍ ଏଜେନ୍ସି’ରୁ ‘ଲିକ୍’ ହୋଇଥିବା ଗୁପ୍ତ ଦଲିଲ୍ ଆଧାରରେ ସମ୍ବାଦପତ୍ର ‘ଦି ୱାସିଂଟନ୍ ପୋଷ୍ଟ୍’ ଏହି ତଥ୍ୟ ପାଇଛି।
ଏହି ଗୁପ୍ତ ଦଲିଲ୍ରେ ଥିବା ଅଗଷ୍ଟ ୯ ତାରିଖର ‘ସାଟେଲାଇଟ୍’ ଫଟୋରେ ଦେଖାଯାଉଛି ଯେ, ସାଙ୍ଘାଇଠାରୁ ୫୬୦ କିଲୋମିଟର୍ ଦୂରରେ ଥିବା ଚୀନ୍ର ପୂର୍ବାଞ୍ଚଳସ୍ଥିତ ଏକ ବିମାନଘାଟିରେ ରକେଟ୍ ଚାଳିତ ଦୁଇଟି ‘ଡବ୍ଲୁଜେଡ୍’ (ଡ୍ରୋନ୍) ରହିଛି।
ଏହି ଘାଟିରେ ଚୀନ୍ର ‘ପିପୁଲ୍ସ୍ ଲିବରେସନ୍ ଆର୍ମି’ (ପିଏଲ୍ଏ) ତା’ର ପ୍ରଥମ ଗୁପ୍ତଚର ଡ୍ରୋନ୍ ୟୁନିଟି ସ୍ଥାପନ କରିସାରିଛି କହିଲେ ଚଳେ। ତାଇୱାନ୍ ଉପରେ ଚୀନ୍ର ସାର୍ବଭୌମତ୍ତ୍ବ ଜାହିର କରିବା ଦାୟିତ୍ବରେ ଥିବା ଚୀନ୍ ସେନାର ‘ଇଷ୍ଟର୍ଣ୍ଣ ଥିଏଟର୍ କମାଣ୍ଡ’ ନିୟନ୍ତ୍ରଣରେ ଏହି ଡ୍ରୋନ୍ ୟୁନିଟ୍ ସ୍ଥାପନା ସରିଛି ବୋଲି ଉକ୍ତ ସମ୍ବାଦପତ୍ର ରିପୋର୍ଟ କରିଛି।
କିନ୍ତୁ, ଅନୁରୋଧ କରାଯାଇଥିଲେ ବି ଏ ସଂକ୍ରାନ୍ତରେ ଆମେରିକାର ପ୍ରତିରକ୍ଷା ବିଭାଗ କିଂବା ଚୀନ୍ ସରକାରଙ୍କ ତରଫରୁ ତୁରନ୍ତ କୌଣସି ପ୍ରତିକ୍ରିୟା ବ୍ୟକ୍ତ କରାଯାଇନାହିଁ।