ରାଜ୍ୟ

ବିଜେଡି ବିଲଡିଂ ପାଇଁ କାନ୍ଦଣା!

ଭୁବନେଶ୍ୱର: ଭବ୍ୟ ଦଳୀୟ କାର୍ଯ୍ୟାଳୟ ନିର୍ମାଣ ପାଇଁ କୋଉଠୁ ଆସୁଛି ପାଣ୍ଠି? ନିକଟ ଅତୀତରେ ଏହି ପ୍ରଶ୍ନ ଦେଶବ୍ୟାପୀ ସମସ୍ତଙ୍କୁ ଆନ୍ଦୋଳିତ କରିଥିଲା । ଭାରତୀୟ ଜନତା ପାର୍ଟିର ଆଲିସାନ୍ କୋଠାକୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ହେଲା । ନୂଆଦିଲ୍ଲୀର ୬ ଦୀନଦୟାଲ୍ ଉପାଧ୍ୟାୟ ମାର୍ଗରେ ୨ ଏକର ଜାଗାରେ ମାତ୍ର ଦେଢ଼ବର୍ଷ ଭିତରେ ଛିଡ଼ା ହୋଇଗଲା ବିଶାଳ ଅଟ୍ଟାଳିକା ।ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଏଥିପାଇଁ ଖର୍ଚ୍ଚ ହେଲା ୧୩୫୦ କୋଟି ଟଙ୍କା । ମୋଦି ସରକାରଙ୍କ ପ୍ରଥମ ପାଳିରେ ହିଁ ବିଜେପି ଏହି ବିଶାଳ ଅଟ୍ଟାଳିକା ଛିଡ଼ା କରାଇବାରେ ସକ୍ଷମ ହେଲା ।

ବିଜେପି ଶାସିତ ମଧ୍ୟପ୍ରଦେଶରେ ମଧ୍ୟ ଦଳୀୟ କାର୍ଯ୍ୟାଳୟ ପାଇଁ ଆଲିସାନ୍ କୋଠା ନିର୍ମାଣ ହେଉଛି । ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ନୂତନ ଦଳୀୟ କାର୍ଯ୍ୟାଳୟ ପାଇଁ ଅଳ୍ପଦିନ ତଳେ ଭୂମି ପୂଜନ ସରିଛି । ୧୦୦ କୋଟି ଟଙ୍କା ବ୍ୟୟରେ ୧୦ ମହଲାର ଅଫିସ ବିଲଡିଂ ଛିଡ଼ା ହେବ । ସୂଚନାଥାଉକି,
୧୯୯୧ ମସିହାରେ ନିର୍ମିତ ବର୍ତ୍ତମାନର ରାଜ୍ୟ କାର୍ଯ୍ୟାଳୟ ପାଇଁ ୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।

ଓଡ଼ିଶାରେ କ୍ରମାଗତ ପଞ୍ଚମ ଥର ପାଇଁ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ନିର୍ମାଣ କରିଛି ନୂଆ ପାର୍ଟି ଅଫିସ । ଏହି ବିଲଡିଂକୁ ଆସନ୍ତା ୨୩ ତାରିଖ ପବିତ୍ର ଅକ୍ଷୟ ତୃତୀୟାରେ ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିବେ । ଦୁଇ ଦଶନ୍ଧୀ ଧରି ୟୁନିଟ୍-୬ ସ୍ଥିତ ଏକ ସରକାରୀ କ୍ୱାଟର୍ସ ଥିଲା ଦଳୀୟ କାର୍ଯ୍ୟାଳୟ । ଏବେ ସେହି ଜାଗାରେ ଦୁଇଟି କ୍ୱାଟର୍ସକୁ ମିଶାଇ ଅଫିସ ବିଲଡିଂ ନିର୍ମାଣ ହୋଇଛି ।

ଆଶ୍ଚର୍ଯ୍ୟର କଥା, ବିଜେଡିର ଏହି ନବନିର୍ମିତ କାର୍ଯ୍ୟାଳୟର ଉଦଘାଟନ ପୂର୍ବରୁ ସେହି ବିଜେପି ଶିବିରରୁ ତମ୍ବିତୋଫାନ ଆରମ୍ଭ ହୋଇଛି । ଏହି ଆଲିସାନ କୋଠା ନିର୍ମାଣ ପାଇଁ ୫୦ କୋଟି ଖର୍ଚ୍ଚ ହୋଇଛି ବୋଲି ହିସାବ ଦେଖାଇ କାହା ଚାନ୍ଦା ଟଙ୍କାରେ ଏହି ଭବ୍ୟ କୋଠା ନିର୍ମାଣ କରିଛି ବୋଲି ପ୍ରଶ୍ନ କରାଯାଇଛି । ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଏହି ପ୍ରଶ୍ନରେ ମୁଖର ହୋଇଛନ୍ତି ।

ମାତ୍ର, ପୂର୍ବରୁ ଦିଲ୍ଲୀରେ ବିପୁଳ ବ୍ୟୟରେ ନିର୍ମିତ ବିଜେପିର ଆଲିସାନ୍ କୋଠା ଏବଂ ଏବେ ଏବେ ଭୋପାଳରେ ନିର୍ମାଣାଧୀନ କୋଠାକୁ ସେମାନେ ଭୁଲିଯିବା ଅନେକଙ୍କୁ କୌତୁହଳରେ ପକାଇଛି । ରାଜ୍ୟର ବିଜେପି ନେତା ସଂପୃକ୍ତ ଗଣମାଧ୍ୟମରେ ବାଇଟ୍ ଦେଇ ଆଲିସାନ୍ କୋଠା ନିର୍ମାଣ ପାଇଁ ବିଜେଡି ୫୦ କୋଟି କୁଆଡୁ ଯୋଗାଡ଼ କଲା ବୋଲି ମୁଣ୍ଡ ପିଟିବା ଆହୁରି ଆମୋଦଦାୟକ ହୋଇଛି ।ସୂଚନାଥାଉକି, ବିଜେଡିର ନବନିର୍ମିତ ଆଲିସାନ୍ କୋଠାରେ ଓଡ଼ିଶାର ପାରମ୍ପରିକ ଛାପ ଦିଆଯାଇଛି । ବେସମେଣ୍ଟରେ ୪୦ ଟି କାର୍ ପାର୍କିଂ କରିବା ଭଳି ପାର୍କିଂ ସ୍ଥାନ ରଖାଯାଇଛି । ବେସମେଣ୍ଟ ଉପରେ ଛିଡ଼ା ହୋଇଥିବା ୩ ମହଲା କୋଠାର ପ୍ରଥମ ମହଲାରେ ରହିଛି ବିରାଟ ଏସି ହଲ୍ । ଏଥିରେ ୨୦୦୦ ଲୋକ ବସିପାରିବେ । ଏହାକୁ ଲାଗି ୨୫୦ ଆସନ ବିଶିଷ୍ଟ ଏକ ଅଡିଟୋରିୟମ୍ ରହିଛି । ପ୍ରଥମ ମହଲାରେ ପ୍ରେସ୍ କନଫରେନ୍ସ ହଲ୍ ମଧ୍ୟ ରହିଛି ।
ବିଲଡିଂର ଦ୍ୱିତୀୟ ମହଲାରେ ୩୦ ଟି ପ୍ରକୋଷ୍ଠ ରହିଛି । ଏଥିରେ ଛାମୁଆ ସଂଗଠନ ଓ ଦଳର ରାଜ୍ୟ ପଦାଧିକାରୀଙ୍କ କାର୍ଯ୍ୟାଳୟ ରହିବ । ଆଇଟି ସେଲ୍ ମଧ୍ୟ କାର୍ଯ୍ୟ କରିବ । ବିଲଡିଂର ତୃତୀୟ ମହଲାରେ ଦଳର ସଭାପତିଙ୍କ ଦପ୍ତର ରହିଛି । ୨୦୨୧ ରଥଯାତ୍ରା ସମୟରେ ବିଜେଡିର ନୂଆ କାର୍ଯ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଦୁଇବର୍ଷରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।

Leave a Reply

Your email address will not be published. Required fields are marked *