ଦେଶ- ବିଦେଶମୁଖ୍ୟ ଖବର

ସୀମା ବିବାଦ ପ୍ରସଙ୍ଗରେ ଆମେରିକାର ମତ: ଭାରତ ସହ ଶାନ୍ତି ପାଇଁ ଚୀନ୍‌ର କାଣିଚାଏ ବି ଆଗ୍ରହ ନାହିଁ

ନୂଆଦିଲ୍ଲୀ : ସୀମା ବିବାଦ ପ୍ରସଙ୍ଗରେ ଭାରତ ସହ ସଦ୍‌ଭାବନା ମନୋଭାବ ରଖି ଚୀନ ଆଲୋଚନା କରୁନାହିଁ। ଏଭଳି କରୁଥିବାର ସାମାନ୍ୟ ପ୍ରମାଣ ମିଳୁନାହିଁ ବୋଲି ଆମେରିକା କହିଛି। ଆମେରିକା ବିଦେଶ ବିଭାଗର ସହକାରୀ ସଚିବ (ଦକ୍ଷିଣ ଏବଂ କେନ୍ଦ୍ରୀୟ ଏସିଆ) ଡୋନାଲ୍ଡ ଲୁ ଏକ ସାକ୍ଷାତକାରରେ ଏଭଳି ମନ୍ତବ୍ୟ ଦେଇଛନ୍ତି। ବରଂ ଚୀନଠାରୁ ସଦ୍‌ଭାବନାର ବିପରୀତ ମନୋଭାବ ଦେଖିବାକୁ ମିଳୁଛି ଏବଂ ଶାନ୍ତି ପାଇଁ ଏହାର କାଣିଚାଏ ଆଗ୍ରହ ନାହିଁ। ବାସ୍ତବ ନିୟନ୍ତ୍ରଣ ରେଖାରେ ନିୟମିତ ବ୍ୟବଧାନରେ ଉତ୍ତେଜିତ କରିବା ଭଳି କାର୍ଯ୍ୟ ଉକ୍ତ ଦେଶ ପକ୍ଷରୁ ଚାଲିଛି ବୋଲି ସେ କହିଛନ୍ତି।ସୀମା ସମସ୍ୟାର ସମାଧାନ ଦୁଇ ଦେଶ ମଧ୍ୟରେ ପ୍ରତ୍ୟକ୍ଷ ଆଲୋଚନା ଜରିଆରେ ହେଉ ବୋଲି ଆମେରିକା ଚାହୁଛି। ଚୀନ ସହିତ କୌଣସି ପ୍ରସଙ୍ଗରେ ଭାରତକୁ ଆମେରିକାର ସମର୍ଥନ ରହିଛି ବୋଲି ଲୁ ମତ ଦେଇଛନ୍ତି। ୨୦୨୦ ଗଲୱାନ ସଂଘର୍ଷ ବେଳେ ଆମେରିକା ଭାରତକୁ ସମର୍ଥନ ଜଣାଇଛି। ଆଗାମୀ ଦିନରେ ମଧ୍ୟ ଭାରତକୁ ଏ କ୍ଷେତ୍ରରେ ସହଯୋଗ କରିବ ବୋଲି ସେ କହିଛନ୍ତି। ଭାରତ ଏବଂ ଚୀନ ମଧ୍ୟରେ ସୀମା ସମସ୍ୟା ଲାଗି ରହିଥିବାବେଳେ ଲୁଙ୍କ ଏପ୍ରକାର ମନ୍ତବ୍ୟ ସାମ୍ନାକୁ ଆସିଛି। ଉକ୍ତ ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ସଂପର୍କ ବିଗିଡ଼ି ଯାଇଛି। ଚୀନ ଦ୍ବାରା ଭୁଟାନର ଆମୋ ଚୁ ନଦୀ ଉପତ୍ୟକାରେ ବଡ଼ ଧରଣର ନିର୍ମାଣ କାର୍ଯ୍ୟ ଚୀନ କରିଥିବାରୁ ଭାରତୀୟ ସେନା ଚିନ୍ତାବ୍ୟକ୍ତ କରିଛି। ବେଜିଂ ପକ୍ଷରୁ ରାସ୍ତା ନିର୍ମାଣକୁ ନେଇ ଡୋକଲାମ ଟ୍ରାଇ ଜଙ୍କସନରେ ଭାରତ ଓ ଚୀନ ମଧ୍ୟରେ ବଡ଼ ଧରଣର ଉତ୍ତେଜନା ଦେଖାଦେଇଥିଲା। ସେହି ସ୍ଥାନ ଠାରୁ ଅଳ୍ପ ଦୂରରେ ଆମୋ ଚୁ ଅବସ୍ଥିତ। ଏଥିସହିତ ଚୀନ ନିକଟରେ ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନର ପୁନଃନାମକରଣ କରିଛି। ଏହି ଅଞ୍ଚଳକୁ ଦକ୍ଷିଣ ତିବ୍ଦତ ବୋଲି ଚୀନ ଦାବି କରୁଛି।

Leave a Reply

Your email address will not be published. Required fields are marked *