ଦେଶ- ବିଦେଶମୁଖ୍ୟ ଖବର

ଆମେରିକାର ହ୍ରଦରୁ ଉଦ୍ଧାର ହେଲା ୨ ନି‌ଖୋଜ ଭାରତୀୟ ଛାତ୍ରଙ୍କ ଶବ: ରିପୋର୍ଟ

ନ୍ୟୁୟର୍କ: ଆମେରିକୀୟ ପ୍ରଦେଶ ଇଣ୍ଡିଆନାରେ ଗୋଟାଏ ହ୍ରଦରେ ନିଖୋଜ ହୋଇଯାଇଥିବା ଦୁଇଜଣ ଭାରତୀୟ ଛାତ୍ରଙ୍କ ଶବ ଉଦ୍ଧାର କରାଯାଇଥିବା କଥା ସ୍ଥାନୀୟ ଗଣମାଧ୍ୟମ ସବୁ ରିପୋର୍ଟ କରିଛନ୍ତି।

‘ୟୁଏସ୍‌ଏ ଟୁଡେ’ ସମ୍ବାଦପତ୍ର ରିପୋର୍ଟ ଅନୁସାରେ, ଏପ୍ରିଲ୍‌ ୧୫ ତାରିଖ ଦିନ ଦଳେ ବନ୍ଧୁଙ୍କ ସହିତ ୧୯ ବର୍ଷିୟ ସିଦ୍ଧାନ୍ତ ଶାହ ଓ ୨୦ ବର୍ଷିୟ ଅର୍ଯ୍ୟାନ୍‌ ବୈଦ୍ୟ ମନ୍‌ରୋ ହ୍ରଦକୁ ପହଁରିବା ପାଇଁ ଯାଇଥିଲେ, କିନ୍ତୁ ଦୁହେଁ ଆଉ ପାଣି ଉପରକୁ ଉଠିଲେ ନାହିଁ।

ଉଭୟ ଛାତ୍ର ‘ଆଇୟୁ’ର କେଲି ସ୍କୁଲ୍‌ ଅଫ୍‌ ବିଜ୍‌ନେସ୍‌ରେ ଅଧ୍ୟୟନ କରୁଥିଲେ।

ପ୍ରତିକୂଳ ପାଣିପାଗଜନିତ ବାଧାବିଘ୍ନ ପରିସ୍ଥିତିରେ ବ୍ୟାପକ ତଲାସ ଅଭିଯାନ ପରେ ଦୁହଁଙ୍କ ଶବ ଉଦ୍ଧାର କରାଯାଇଛି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ଏପ୍ରିଲ୍‌ ୧୮ ତାରିଖ ଦିନ ତଲାସକାରୀ ଦଳ ଦୁହିଁଙ୍କ ଶବ ଠାବ କରି ଉଦ୍ଧାର କରିଥିଲେ। ପ୍ରବଳ ବେଗରେ ପବନ ପ୍ରବାହିତ ହେଉଥିବା ବେଳେ ଏପ୍ରିଲ୍‌ ୧୬ ଦିନଯାକ ସୋନାର ବ୍ୟବହାର କରି ବୁଡ଼ାଳିମାନେ ସେମାନଙ୍କୁ ପାଣି ଭିତରେ ତଲାସ କରିଥିଲେ।

ଇଣ୍ଡିଆନାର ପ୍ରାକୃତିକ ସମ୍ବଳ ବିଭାଗ କହିଛି, ଏପ୍ରିଲ୍‌ ୧୫ ତାରିଖ ଦିନ ଶାହ ଓ ବିଦ୍ୟା ଗୋଟାଏ ପଣ୍ଟୁନ୍‌ରେ ନୌକା ଚଳନା କରୁଥିବା ବେଳେ ସେମାନଙ୍କ ଗ୍ରୁପ୍‌ ନୌକାର ନଙ୍ଗର ପକାଇ ସେମାନଙ୍କୁ ପହଁରିବାକୁ କହିଥିଲେ। ଦୁହେଁ ଆଉ ପାଣି ଉପରକୁ ନ ଉଠିବାରୁ ବନ୍ଧୁମାନେ ସାହାଯ୍ୟ କରିବାକୁ ଆପ୍ରାଣ ଉଦ୍ୟମ କରିଥିଲେ କିନ୍ତୁ, ସଫଳ ହେଲେ ନାହିଁ।

Leave a Reply

Your email address will not be published. Required fields are marked *