ମୁଖ୍ୟ ଖବର

ବିମାନରେ ଆସାମର ଡିବ୍ରୁଗଡ଼ ଜେଲ୍‌ ଗଲେ ଅମୃତପାଲ୍‌ ସିଂହ; ସେଠାରେ ଅଛନ୍ତି ତାଙ୍କର ୯ଜଣ ଘନିଷ୍ଠ ସହଯୋଗୀ

ନୂଆଦିଲ୍ଲୀ: ପଞ୍ଜାବର ମୋଗା ପୁଲିସ ନିକଟରେ ଆତ୍ମସମର୍ପଣ କରି ଗିରଫ ହୋଇଥିବା ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ଅମୃତପାଲ୍‌ ସିଂହଙ୍କୁ ଆଜି ବିମାନ ଯୋଗେ ଆସମର ଡିବ୍ରୁଗଡ଼ ସେଣ୍ଟ୍ରାଲ୍‌ ଜେଲ୍‌କୁ ପଠାଯାଇଛି ବୋଲି ପଞ୍ଜାବ ‘ଆଇଜିପି’ ସୁଖଚୈନ୍‌ ସିଂହ ଗିଲ୍‌ କହିଛନ୍ତି।

ଏପ୍ରିଲ୍‌ ୧୦ ତାରିଖରେ ପଞ୍ଜାବର ହୋସିୟାର୍‌ପୁରରୁ ଗିରଫ ହୋଇଥିବା ଅମୃତପାଲଙ୍କର ଘନିଷ୍ଠ ସହଯୋଗୀ ପାପାଲ୍‌ପ୍ରୀତ୍‌ ସିଂହଙ୍କ ସମେତ ଆଉ ୮ଜଣ ସହଯୋଗୀ ଉକ୍ତ ହାଇ-ସିକ୍ୟୁରିଟି ଜେଲ୍‌ରେ କଏଦୀ ଭାବେ ଅଛନ୍ତି।

ସୂଚନାଯୋଗ୍ୟ, ଆତ୍ମସମର୍ପଣ କରିବା ପୂର୍ବରୁ ମୋଗା ଜିଲ୍ଲାର ରୋଡେ ଗାଁସ୍ଥିତ ଗୁରୁଦ୍ବାରରେ ଅମୃତପାଲ୍‌ ଧାର୍ମିକ ଉଦ୍‌ବୋଧନ ଦେଇଥିଲେ। ଶନିବାର ସନ୍ଧ୍ୟାରେ ଗୁରୁଦ୍ବାରରେ ପହଞ୍ଚି ସେ ପୁଲିସକୁ ନିଜ ଉପସ୍ଥିତି ବିଷୟରେ ସୂଚନା ଦେଇଥିଲେ।

ଗିଲ୍‌ କହିଛନ୍ତି, ଆମେ ତାଙ୍କ ବିରୋଧରେ ‘ଏନ୍‌ଏସ୍‌ଏ’ ଲାଗୁ କରିଛୁ। ଗୁଇନ୍ଦା ସୂଚନା ଆଧାରରେ ତାଙ୍କୁ ମୋଗା ଅନ୍ତର୍ଗତ ରୋ‌ଡେ ଗାଁରୁ ଗିରଫ କରାଯାଇଛି। ଆତ୍ମସମର୍ପଣ ବିନା ଅମୃତପାଲ୍‌ଙ୍କର ଅନ୍ୟ ବିକଳ୍ପ ନ ଥିଲା।

ଅମୃତପାଲ୍‌ ଓ ତାଙ୍କ ସହଯୋଗୀମାନଙ୍କୁ ପଞ୍ଜାବ ଓ ଦିଲ୍ଲୀର ଜେଲ୍‌ଗୁଡ଼ିକରେ ରଖିବା ପରିବର୍ତ୍ତେ ଆସାମ ସ୍ଥାନାନ୍ତରଣ କରିବାର ମୁଖ୍ୟ କାରଣ ଦର୍ଶାଇବାକୁ ଯାଇ ପୁଲିସ କହିଛି ଯେ, ଏହି ବିଚ୍ଛିନ୍ନତାବାଦୀ ସଂଗଠନ ସହିତ ପରିଚୟ ଥିବା ଅନେକ ଗ୍ୟାଙ୍ଗ୍‌ଷ୍ଟର୍‌ ଉକ୍ତ ଜେଲ୍‌ମାନଙ୍କରେ ଅଛନ୍ତି।

ଏହାଛଡ଼ା, ୧୮୫୯-୬୦ରେ ନିର୍ମିତ ଡିବ୍ରୁଗଡ଼ ଜେଲ୍‌ ରାଜ୍ୟରେ ସବୁଠୁ ସୁରକ୍ଷିତ ଜେଲ୍‌ ବୋଲି ସରକାରୀ କର୍ତ୍ତୃପକ୍ଷମାନେ ବିଚାର କରନ୍ତି। ଏହା ହେଉଛି ଉତ୍ତରପୂର୍ବରେ ସର୍ବପୁରାତନ ଜେଲ୍‌ ଏବଂ ସେଠାରେ ‘ୟୁନାଇଟେଡ୍‌ ଲିବ‌ରେସନ୍‌ ଫ୍ରଣ୍ଟ୍‌ ଅଫ୍ ଅସୋମ୍‌-ଇଣ୍ଡିପେଣ୍ଡେଣ୍ଟ୍‌’ର (ଉଲ୍‌ଫା-ଆଇ) ଅନେକ ବରିଷ୍ଠ ନେତାଙ୍କୁ ରଖାଯାଇଥିଲା।

ଅମୃତପାଲଙ୍କ ଦାଦାଙ୍କ ସମେତ, ଜଣେ ଅର୍ଥଯୋଗାଣକାରୀ, ଗଣମାଧ୍ୟମ ଉପଦେଷ୍ଟା ଓ ନିରାପତ୍ତା ରକ୍ଷୀ ଆଦି ସମୁଦାୟ ୯ଜଣ ଡିବ୍ରୁଗଡ଼ ଜେଲ୍‌ରେ ଅଛନ୍ତି। ସେମାନେ ହେଉଛନ୍ତି, ପାପାଲ୍‌ପ୍ରୀତ୍‌ ସିଂହ, ଦଲଜିତ୍‌ ସିଂହ କଲ୍‌ସି, ଭଗୱନ୍ତ ସିଂହ ଓରଫ୍ ବାଜେକେ, ଗୁରୁମୀତ ସିଂହ ବୁକ୍କାନ୍‌ୱାଲ୍‌, ବସନ୍ତ ସିଂହ ଦୌଲତ୍‌ପୁର, ହର୍‌ଜିତ୍‌ ସିଂହ, ବରିନ୍ଦର ସିଂହ ଓରଫ୍‌ ଫୌଜି, ବରିନ୍ଦର ସିଂହ ଓ ଗୁରିନ୍ଦର ପାଲ୍‌ ସିଂହ।

Leave a Reply

Your email address will not be published. Required fields are marked *