ରାଜ୍ୟ

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ‘ଭାରତୀୟ ପାରଂପରିକ କ୍ରୀଡ଼ା ମହୋତ୍ସବ’କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଚ୍ଚ ପ୍ରଶଂସା

କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସମ୍ପ୍ରତି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଶୁଭଦୃଷ୍ଟି ଆକର୍ଷଣ କରିପାରିଛି ବୋଲି ଜଣାଯାଇଛି। ଶ୍ରୀ ମୋଦୀ ଏହାର ଉଚ୍ଚ ପ୍ରଶଂସା ସୂଚକ ମନ୍ତବ୍ଯ ଲେଖି ନିଜ ଟ୍ୱିଟରରେ ଆଜି ସକାଳେ ପୋଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ ଯେ ଅପ୍ରେଲ ୨୦ରୁ ୨୨ ତାରିଖ ଦୁଇଦିନ ଧରି ବିଶ୍ୱବିଦ୍ଯାଳୟ ପରିସରରେ ‘ଭାରତୀୟ ପାରମ୍ପରିକ କ୍ରୀଡ଼ା ମହୋତ୍ସବ’ ଆୟୋଜିତ ହୋଇଥିଲା। ଏହାକୁ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡା. ସୁଭାଷ ସରକାର ଉଦଘାଟନ କରିବା ସହ ଉଦବୋଧନ ଦେଇଥିଲେ ଓ ଏହି ସମ୍ୱାଦ ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚିତ ହୋଇଥିଲା। ଆପଣା ଟ୍ୱିଟରରେ ଏହି ପ୍ରସଙ୍ଗ ସୂଚନା ଦେଇ ପ୍ରଧାନମନ୍ତ୍ରୀ ବିଶ୍ୱବିଦ୍ଯାଳୟ ପକ୍ଷରୁ ଗ୍ରହଣ କରାଯାଇଥିବା ଅଭିନବ କ୍ରୀଡା ମହୋତ୍ସବକୁ ପ୍ରଶଂସା କରଛନ୍ତି। ସେ କହିଛନ୍ତି, “ଭାରତବର୍ଷର ସମୃଦ୍ଧ କ୍ରୀଡ଼ା ପରଂପରା ଓ ତାହାର ବିବିଧତା ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରସାରଣ ନିମନ୍ତେ ବିଶ୍ୱବିଦ୍ଯାଳୟ ନେଇଥିବା ସାଧୁ ପଦକ୍ଷେପ ଅତ୍ଯନ୍ତ ପ୍ରଶଂସା ଯୋଗ୍ୟ।” ଏହି ମନ୍ତବ୍ଯ ସହିତ ଶ୍ରୀ ମୋଦୀ ‘କ୍ରୀଡ଼ା ମହୋତ୍ସବ’ର ମୁଖ୍ଯ ଅତିଥି ତଥା କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡା. ସୁଭାଷ ସରକାରଙ୍କ ସଚିତ୍ର ଟ୍ୱିଟକୁ ମଧ୍ଯ ପୁନଃ ଟ୍ୱିଟ୍ କରିଛନ୍ତି। ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡା. ସରକାର ମହୋତ୍ସବର ଏକାଧିକ ଦୃଶ୍ଯ ସମ୍ୱଳିତ ଫଟୋ ସହ ତାଙ୍କର ଅନୁଭବ ଏଥିରେ ପ୍ରକାଶ କରିଛନ୍ତି। “ଆମ ଦେଶର ଏତେ ସଂଖ୍ଯକ ପାରଂପରିକ କ୍ରୀଡ଼ା ରୂପ ଓ ଯୁବ କ୍ରୀଡ଼ାବିତ୍ ତଥା ଏହାର ଉତ୍ସାହୀ ଅଂଶ ଗ୍ରହଣ କାରୀଙ୍କୁ ଉଲ୍ଲାସ ଉଦ୍ଦୀପନା ନେଇ ନୈପୁଣ୍ୟ ପ୍ରଦର୍ଶନ ଓ ସଫଳତା ହାସଲ କରିବା ଦେଖି ମୁଁ ଅଭିଭୂତ ହେଲି “- ସେ ଉଲ୍ଲେଖ କରିଥିଲେ।
ଏଠାରେ ଉଲ୍ଲେଖଯୋଗ୍ଯ ଯେ କ୍ରୀଡ଼ା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଟ୍ୱିଟରରେ ସପ୍ତାହ ମଧ୍ଯରେ ଦ୍ୱିତୀୟ ଥର ପାଇଁ ନିଜର ମତ ରଖିଛନ୍ତି। ତାଙ୍କ ‘ମନ କି ବାତ୍’ କାର୍ଯ୍ୟକ୍ରମ କିଭଳି ଭାରତର କ୍ରୀଡ଼ା ଜଗତରେ ନୂଆ ଅଧ୍ଯାପକ ଆରମ୍ଭ କରିଛି ସେ ସମ୍ପର୍କରେ ମହିଳା ଅଲମ୍ପିକ୍ ଖେଳାଳି ତଥା କ୍ରୀଡ଼ା ଫେଡେରେସନର ଉପସଭାପତି ଅଞ୍ଜୁ ବବି ଜର୍ଜଙ୍କ ଗୋଟିଏ ଆଲେଖ ଶ୍ରୀ ମୋଦୀ ନିଜ ସାମାଜିକ ଗଣମାଧ୍ୟମରେ ଅପ୍ରେଲ ୧୯ ତାରିଖରେ ପୋଷ୍ଟ କରିଥିଲେ।
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରଶଂସା ଯୋଗୁଁ ବିଶ୍ୱବିଦ୍ୟାଳୟ ପରିସରରେ ଉତ୍ସାହ ପରିଲକ୍ଷିତ ହୋଇଛି। ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ର. ଚକ୍ରଧର ତ୍ରିପାଠୀ ଏହି ଶୁଭାଶୀର୍ବାଦ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଓ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡା. ସୁଭାଷ ସରକାର ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି।

Leave a Reply

Your email address will not be published. Required fields are marked *