ଲଣ୍ଡନ: ପ୍ରତ୍ୟେକ ପୁରୁଷର ସଫଳତା ପଛରେ ନାରୀର ହାତଥାଏ ବୋଲି କୁହାଯାଇଥାଏ। ଏହା ଭାରତର ବିଶିଷ୍ଟ ଉଦ୍ୟୋଗପତି ତଥା ଇନଫୋସିସ୍ର ପ୍ରତିଷ୍ଠାତା ଏନ୍ଆର୍ ନାରାୟଣ ମୂର୍ତ୍ତି ଏବଂ ତାଙ୍କ ଜ୍ବାଇଁ ତଥା ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ କ୍ଷେତ୍ରରେ ଯଥାର୍ଥ ପ୍ରମାଣିତ ହୋଇଛି।ଏକଥା ଅନ୍ୟ କେହି ନୁହେଁ ନିଜେ ନାରାୟଣ ମୂର୍ତ୍ତିଙ୍କ ପତ୍ନୀ ସୁଧା ମୂର୍ତ୍ତି କହିଛନ୍ତି। ନାରାୟଣ ମୂର୍ତ୍ତି ଏବଂ ଋଷି ସୁନକଙ୍କ ସଫଳତା ପଛରେ ଯଥାକ୍ରମେ ତାଙ୍କର ଏବଂ ତାଙ୍କ ଝିଅ ଅକ୍ଷତାଙ୍କର ବଳିଷ୍ଠ ଅବଦାନ ରହିଛି। ଋଷି ସୁନକ ଏତେ କମ୍ ବୟସରେ ରାଜନୀତିରେ ସଫଳ ହେବା ବିଷୟ ପୂର୍ବରୁ ଚର୍ଚ୍ଚା ହେଉଥିଲେ ମଧ୍ୟ ତାଙ୍କ ଶାଶୂଙ୍କ ମୁହଁରୁ ବି ଜନସାଧାରଣ ଏହା ଶୁଣିବାକୁ ପାଇଛନ୍ତି।ଅନଲାଇନରେ ପ୍ରସାର ହୋଇଥିବା ଏକ ଭିଡ଼ିଓରେ ସୁଧା ମୂର୍ତ୍ତି କହିଛନ୍ତି, ତାଙ୍କ ଝିଅଙ୍କ ଯୋଗୁ ଋଷି ସୁନକ ବ୍ରିଟେନର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି। ପ୍ରସାରିତ ହୋଇଥିବା ଭିଡ଼ିଓରେ ସୁଧା ମୂ୍ର୍ତ୍ତି କହୁଛନ୍ତି ମୁଁ ମୋ ସ୍ବାମୀଙ୍କୁ ଜଣେ ବ୍ୟବସାୟୀରେ ପରିଣତ କରିଛି। ମୋ ଝିଅ ତା’ ସ୍ବାମୀକୁ ବ୍ରିଟେନର ପ୍ରଧାନମନ୍ତ୍ରୀରେ ପରିଣତ କରିଛି। ପତ୍ନୀଙ୍କ ଶ୍ରେଷ୍ଠତା ଏହାର କାରଣ। ପତ୍ନୀ ତା’ର ମହାନତା ବଳରେ ସ୍ବାମୀଙ୍କୁ ପରିବର୍ତ୍ତନ କରିପାରେ। ମୁଁ ମୋ ସ୍ବାମୀଙ୍କୁ ବ୍ୟବସାୟୀ କରିଲି ଏବଂ ମୋ ଝିଅ ତା’ ସ୍ବାମୀକୁ ଜଣେ ପ୍ରଧାନମନ୍ତ୍ରୀ କରିଦେଲା ବୋଲି ସୁଧା ମୂର୍ତ୍ତି ଏକ ଇନଷ୍ଟାଗ୍ରାମ ପୋଷ୍ଟରେ କହୁଥିବା ଶୁଣିବାକୁ ମିଳୁଛି। ୨୦୦୯ ମସିହାରେ ଋଷି ସୁନକ ଅକ୍ଷତା ମୂର୍ତ୍ତିଙ୍କୁ ବିବାହ କରିଥିଲେ। ଏହା ପରବର୍ତ୍ତୀ ବର୍ଷଗୁଡ଼ିକରେ ରାଜନୀତିରେ ଋଷି ସୁନକ ଯଥେଷ୍ଟ ସଫଳତା ପାଇଛନ୍ତି।