କ୍ଷୀର ଗାଡି ଭିତରୁ ଗଞ୍ଜେଇ ଜବତ,ଜଣେ ଗିରଫ
ମାଲକାନଗିରି Iତା:୨୯/୪
ମାଲକାନଗିରି ଅଞ୍ଚଳରୁ ଗଞ୍ଜେଇ ନେବା ପାଇଁ ଗଞ୍ଜେଇ ମାଫିଆମାନେ ଚୋରା ଚାଲାଣ କରିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି Iକିନ୍ତୁ ମାଫିଆମାନେ ଡାଳେ ଡାଳେ ଗଲେ ପୋଲିସ ବା ଅବକାରୀ କର୍ମଚାରୀମାନେ ପତରେ
ପତରେ ଯାଇ ମାଫିଆମାନଙ୍କର ଗୁମର ଖୋଲି ଜେଲ ପଠାଇବାରେ ସକ୍ଷମ ହୋଇଥାନ୍ତି Iଏମିତି ଏକ ଘଟଣାର ପରଦା ଫାଶ କରିଛି ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗର କର୍ମଚାରୀମାନେ I
ପ୍ରାପ୍ତ ସୂଚନାରୁ ଜଣା ପଡିଛି ଯେ, ଅଜୟ ରାଜାରାମ ନାମକ ଜନୈକ ବ୍ୟକ୍ତି ମହାରାଷ୍ଟ୍ର ଠାରୁ ହାଇଦ୍ରାବାଦକୁ କ୍ଷୀର ଗାଡ଼ି ସାହାଯ୍ୟରେ କ୍ଷୀର ସହ ଛେନା ବ୍ୟବସାୟ କରୁଥିଲା ବେଳେ ହାଇଦ୍ରାବାଦରେ କ୍ଷୀର ବ୍ୟବସାୟ ପରେ ମାଲକାନଗିରି ଅଞ୍ଚଳକୁ ଆସି ଗଞ୍ଜେଇ ଗାଡିରେ ଭର୍ତ୍ତି କରି ନେଉଥିଲେ I ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଭେଜାଙ୍ଗିୱାଡା ଛକ ନିକଟରେ ଅବକାରୀ କର୍ମଚାରୀମାନେ ଗାଡିକୁ ଯାଞ୍ଚ କରିଥିଲେ I ଏହି ସମୟରେ ମହାରାଷ୍ଟ୍ର ଗାଡ଼ି ନମ୍ବର ପ୍ଲେଟ ଲାଗିଥିବା କ୍ଷୀର ଗାଡିଟି ଏମଭି-୬୬ ପଥ ଦେଇ ଅତିକ୍ରମ କଲା ବେଳେ ପୂର୍ବରୁ ଜଗି ରହିଥିବା ଅବକାରୀ କର୍ମଚାରୀମାନେ ଅଟକାଇଥିଲେ I ତେବେ ସେହି କ୍ଷୀର ଗାଡ଼ିଟିକୁ ଯାଞ୍ଚ କରିବା ସମୟରେ ବିପୁଳ ପରିମାଣର ଗଞ୍ଜେଇ ବାହାରି ଥିଲା I ସନ୍ଦେହକୁ ଏଡାଇବା ପାଇଁ ଗାଡ଼ି ପଛ ଡାଲା ଭିତରେ ପଣସ ରଖାଯାଇଥିଲା Iଚଢାଉ ବେଳେ ଗାଡି ଭିତରୁ ୧୦୦ କେଜି ଗଞ୍ଜେଇ ମିଳଥିଲା ,ଯାହାର ଆନୁମାନିକ ବଜାର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି Iତେବେ ଗଞ୍ଜେଇ ଚାଲାଣରେ ଅଭିଯୁକ୍ତ ଆସାମୀକୁ ଆଜି କୋର୍ଟ ଚାଲାଣ କରାଯାଇଛି Iଅନ୍ଯ କେହି ବ୍ଯକ୍ତି ଏହି କାର୍ଯ୍ଯରେ ସଂପୃକ୍ତ ରହିଛି କି ନାହିଁ ତଦନ୍ତ ପରେ ଜଣା ପଡିବ ବୋଲି ଅବକାରୀ ଅଧିକ୍ଷକ ବିମ୍ବାଧର ପଣ୍ଡା ପ୍ରକାଶ କରିଛନ୍ତି I