ରାଜ୍ୟ

ଲୋ ଭୋଲ୍ଟେଜ ସମସ୍ୟାକୁ ନେଇ ଚିନ୍ତାରେ ସାତକାଳିଆ ଗ୍ରାମର ଗ୍ରାମବାସୀ,ଅଫିସ ଘେରାଉ ପାଇଁ ଚେତାବନୀ

ନିଆଳି -:
ଖରାରେ ସିଝୁଛି ଗାଁଠାରୁ ସହର।ଆକାଶରୁ ହେଉଛି ଅଗ୍ନି ବର୍ଷା।ପ୍ରଚଣ୍ଡ ତାତିରେ ଜଳି ପୋଡ଼ି ଯାଉଛି ଦେହ ମୁଣ୍ଡ।ସକାଳ ୮ ଟାରୁ ଆରମ୍ଭ ହୋଇ ଯାଉଛି ଗ୍ରୀଷ୍ମପ୍ରବାହ।ଅପରାହ୍ନ ୫ ଟା ଯାଏ ଏଥିରୁ ମିଳୁନି ନିସ୍ତାର।ଆଭ୍ୟନ୍ତରୀଣ ଓଡ଼ିଶାରୁ ଉପକୂଳ ,ଦକ୍ଷିଣ ରୁ ଉତ୍ତର ସବୁଠି ସମାନ ଅବସ୍ଥା।ଗରମ ପବନ ଏବଂ ଗୁଳୁଗୁଳି ରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି।ଏଭଳି ସମୟରେ ଲୋ ଭୋଲ୍ଟେଜ୍ ସମସ୍ୟା ବୋଝ ଉପରେ ନଳିତା ବିଡା ସାଜିଛି।ବିଦ୍ୟୁତ୍ ବିଭାଗର ଦୂର ଦୃଷ୍ଟି ଅଭାବରୁ ଏଭଳି ସ୍ଥିତି ଉପୁଜିଥିବା କଟକ ଜିଲ୍ଲା ଅନ୍ତର୍ଗତ ନିଆଳି ବ୍ଲକର ସାତକାଳିଆ ଏବଂ ଗୁଣ୍ଡର ଗ୍ରାମର ଅଞ୍ଚଳବାସି କହିଛନ୍ତି।ଅଭିଯୋଗ ଅନୁଯାୟୀ କ୍ଷମତା ତୁଳନାରେ ଉପଭୋକ୍ତାଙ୍କ ସଂଖ୍ୟା ଅଧିକ ହେଉଥିବାରୁ ଲୋ ଭୋଲ୍ଟେଜ ସମସ୍ୟା ସୃଷ୍ଟି ହେଉଛି।୧୬ କେଭି ବିଦ୍ୟୁତ୍ ଟ୍ରାନ୍ସଫର୍ମର ଲାଗିଥିବାରୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଗ୍ରାମବାସୀ। ଫ୍ୟାନ୍ ଭଲ ଭାବେ ଘୁରୁ ନାହିଁ।ଉପଭୋକ୍ତାମାନେ ପାଣି ମୁନ୍ଦାଏ ପାଇଁ ଡହଳବିକଳ ହେଉଛନ୍ତି।ଲୋ ଭୋଲଟେଜ ସମସ୍ୟା ପାଇଁ ପରୀକ୍ଷା ସମୟରେ ଛାତ୍ର ଛାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।ଜରୁରୀ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି।ଏହି ଅଞ୍ଚଳବାସି ଚାଷ ଉପରେ ସତ ପ୍ରତିଶତ ନିର୍ଭର କରିଥାନ୍ତି।ଲୋ ଭୋଲଟେଜ୍ ସମସ୍ୟା ପାଇଁ ପାଣି ପମ୍ପ ଚାଲୁ ନଥିବାରୁ ସମସ୍ୟା ଉପୁଜିବା ସହିତ ଏକର ଏକର ଫସଲ ମଧ୍ୟ ନଷ୍ଟ ହେଉଛି।ଚାଷୀ ଋଣ ନେଇ ଚାଷ କରୁଥିବା ବେଳେ ଏହି ସମସ୍ୟା ଉପୁଜୁଥିବାରୁ ଚାଷୀ ଏବେ ଚିନ୍ତାରେ।ଏହା ସହିତ ମଧ୍ୟାହ୍ନ ଏବଂ ରାତିରେ ଘନ ଘନ ବିଦ୍ୟୁତ୍ କାଟ୍ ଯନ୍ତ୍ରଣାକୁ ଆହୁରି ବଢାଇ ଦେଇଛି।ସମସ୍ୟା ଜଣାଇବାକୁ ବିଦ୍ୟୁତ୍ ବିଭାଗ ଅଧିକାରୀଙ୍କୁ ଯୋଗାଯୋଗ କଲେ ଫୋନ୍ ଉଠାଉ ନଥିବା ବେଳେ ନିକଟସ୍ଥ ବିଦ୍ୟୁତ୍ କଣ୍ଟ୍ରୋଲ ରୁମ୍ ନମ୍ବର ମଧ୍ୟ ସୁଇଚ ଅଫ୍ କରି ଦେଉଛନ୍ତି।ଗ୍ରାମର ଗ୍ରାମବାସୀ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ସମସ୍ୟା ର ସମାଧାନ ହୋଇ ପାରୁନାହିଁ। ଦୀର୍ଘ ୫ ବର୍ଷ ହେଲାଣି ଏଭଳି ସମସ୍ୟା ଲାଗି ରହିଛି। ଗତ ସପ୍ତାହ ରେ ଗ୍ରାମବାସୀ ନିମାପଡ଼ା ଡିଭିଜନ ରେ ଥିବା ଆଳୁଦଣ୍ଡା ପାଟଣା(ଗଡ ଅମରପ୍ରସାଦ) ଅଫିସରେ ଗ୍ରାମବାସୀ ୧୬ କେଭି ଟ୍ରାଂଶଫର୍ମର ବଦଳରେ ୧୦୦ କେଭି ବସାଇବା ପାଇଁ ଅଭିଯୋଗ କରିଥିଲେ।ଅଫିସର ଜେଇ ଙ୍କୁ ମଧ୍ୟ ଚିଠି ଦେଇଥିଲେ। ଜେଇ ଙ୍କ କହିବା ମୁତାବକ ଆମେ କିଛି କରି ପାରିବୁ ନାହିଁ ,ଆମ୍ଭ ବିଭାଗ ମଧ୍ୟ ଏଥିରେ କିଛି କରି ପାରିବ ନାହିଁ।ଆପଣ ଗ୍ରାମବାସୀ ଏକାଠି ହୋଇ ପଇସା ଆଦାୟ କରି ବିଦ୍ୟୁତ୍ ଷ୍ଟ୍ରକ୍ଚର୍ ପାଇଁ ୪ ଲକ୍ଷ୍ୟ ଟଙ୍କା ଦିଅନ୍ତୁ,ଦେବା ପରେ ଆମ୍ଭେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ବଦଳାଇବା ପାଇଁ ଚେଷ୍ଟା କରିବୁ।ଏଥି ସହିତ ଚିଠି ଗ୍ରହଣ କରି ନଥିବା ବେଳେ ଆପଣ ମାନେ କଲେକ୍ସନ କରନ୍ତୁ ବୋଲି କହି ଚିଠି କୁ ଏଡ଼ାଇ ଦେଇଥିଲେ।ଚିଠି ଗ୍ରହଣ ନକରିବା ପର୍ଯ୍ୟନ୍ତ ଆମ୍ଭେ ଅଫିସ ରୁ ଉଠିବୁ ନାହିଁ ବୋଲି ଗ୍ରାମବାସୀ କହିବା ବେଳେ ବିଦ୍ୟୁତ୍ ବିଭାଗ ଜେଇ ଚିଠି ଟି ଗ୍ରହଣ କରିଥିଲେ ଏବଂ ଏହାର ସମାଧାନ କେବେ ହେବ ହେଇ ପାରିବ କି ନାହିଁ କିମ୍ବା ହେବା ସମୟରେ ମୁଁ ଥିବି କି ନାହିଁ ଏଭଳି କଟୁ ମନ୍ତବ୍ୟ ଦେଇଥିଲେ।ଏହି ଚିଠିର ଏକ ନକଲ ନିମାପଡ଼ା ଡିଭିଜନ ଅଫିସରେ ଦେଖା ହୋଇ ଚିଠି ଦେଇଥିଲେ।ଚିଠି ଗ୍ରହଣ କରି ଏହାର ଖୁବ୍ ଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏ ସଂକ୍ରାନ୍ତରେ ଟାଟା ପାୱାର ନିମାପଡ଼ା ଡିଭିଜନ ର ମ୍ୟାନେଜର ବିଶ୍ଵ ରଞ୍ଜନ ବେହେରା ଙ୍କୁ ପଚାରିବାରୁ ଏହି ବିଷୟରେ ଜେଇଙ୍କ ତରଫରୁ ଆମ୍ଭ ପାଖକୁ କିଛି ସୂଚନା ଆସିନାହିଁ,ଆମେ ଖୁବ୍ ଶୀଘ୍ର ଅଭିଯୋଗ କୁ ଭିତ୍ତି କରି ଏହାର ସମାଧାନ କରିବୁ ବୋଲି କହିଥିଲେ। ଏହି ଲୋ ଭୋଲ୍ଟେଜ ସମସ୍ୟାରୁ ସାତକାଳିଆ ଏବଂ ଗୁଣ୍ଡର ଅଞ୍ଚଳବାସୀ କେବେ ମୁକୁଳୁ ଛନ୍ତି ତାହା ଦେଖିବା ବାକି ରହିଲା।ଅଭିଯୋଗ ପତ୍ର ପ୍ରଦାନ ବେଳେ ଗ୍ରାମର ତ୍ରିନାଥ ବେହୁରା,ଅବଧୂତ ନାୟକ, ସୁଜିଆ ପରିଡ଼ା,ସମ୍ପଦ ବେହୁରା,କଣ୍ଡୁରି ବେହୁରା,ଶଙ୍କର ମଳିକ, ରୋହିତ ନାୟକ,ରାଜେଶ ଲେଙ୍କା, ରାନୁବାଳା ରାଉତ,ଦ୍ରୌପଦୀ ରାଉତ,ଟୁକୁନା ବେହୁରା,ବାପି ଲେଙ୍କା,କବିର ବେହୁରା,ଅଭିରାମ ପରିଡ଼ା ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ।ସମସ୍ୟା ସମାଧାନ ନହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *