ରାଜ୍ୟ

ମାନସିକ ରୋଗରେ ପୀଡିତା ଅସହାୟ ମହିଳାମାନଙ୍କ ପାଇଁ ଆଶ୍ରୟ ସ୍ଥଳୀ

ମାଲକାନଗିରି Iତା: ୦୪/୦୫
ମାଲକାନଗିରି ଜିଲ୍ଲାରେ ପ୍ରଥମ ଥର ପାଇଁ ମିଶନ ଆଶ୍ରା ମାଧ୍ୟମରେ ମାନସିକ ରୋଗରେ ପୀଡିତ ଅସହାୟ ମହିଳା ମାନଙ୍କ ପାଇଁ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଏକ ଆଶ୍ରୟ ସ୍ଥଳୀ ଏବଂ ଥଇଥାନ କେନ୍ଦ୍ର ଉଦଘାଟନ ହୋଇଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ବିଶାଲ ସିଂ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉଦଘାଟନୀ ସମାରୋହରେ ମାଲକାନଗିରି ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା ରାବା ଓ ମାଲକାନଗିରି ବିଧାୟକ ଆଦିତ୍ୟ ମାଢି ଏହି କେନ୍ଦ୍ରକୁ ଉଦଘାଟନ କରିଛନ୍ତି। ଉଦଘାଟନୀ ସମାରୋହରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରତ୍ନାକର ସାହୁ, ଅତିରିକ୍ତ ଜିଲ୍ଲାପାଳ ତ୍ରିନାଥ ମାଝୀ, ଉପଜିଲ୍ଲପାଳ ଅକ୍ଷୟ କୁମାର ଖେମୁଣ୍ଡୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ପ୍ରଫୁଲ୍ଲ ନନ୍ଦ, ସୁପରିଟେଣ୍ଡେଣ୍ଟ , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଡ଼ା ଅନିଲ ମିଶ୍ର, ଏଡିଏମଓ, ଡ଼ା ସଂଧ୍ୟାରାଣୀ ପଟ୍ଟନାୟକ, ଅବସରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମ ରଞ୍ଜନ ଦାଶ ଉପସ୍ଥିତ ଥିଲେ।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସିଂ କହିଛନ୍ତି ଯେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ୧୦୦ ଶଯ୍ୟା ବିଶିଷ୍ଟ ଥଇଥାନ କେନ୍ଦ୍ର ନିମନ୍ତେ ଅନୁମୋଦନ କରିଛନ୍ତି। ଆଗାମୀ ଦିନରେ ମାନସିକ ରୋଗରେ ପୀଡିତ ଅସହାୟ ପୁରୁଷମାନଙ୍କ ପାଇଁ ମଧ୍ୟ ଆଉ ଏକ ୱାର୍ଡ କାର୍ଯ୍ୟ କରିବ ବୋଲି ସୂଚନା ଦେଇଛନ୍ତି । ସେହିପରି ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ରାବା ଏହି କେନ୍ଦ୍ର ନିମନ୍ତେ ଆବଶ୍ୟକ ହେଉଥିବା ଆମ୍ବୁଲାନ୍ସ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ମାଲକାନଗିରି ବିଧାୟକ ଶ୍ରୀମାଢି ଏହି କେନ୍ଦ୍ର ଉଦଘାଟନରେ ନିଜର ଖୁସି ବ୍ୟକ୍ତ କରି କହିଥିଲେ ଯେ ଏହା ମାନସିକ ରୋଗରେ ପୀଡିତା ଅସହାୟ ମହିଳାମାନଙ୍କ ନିମନ୍ତେ ବହୁତ ସହାୟକ ହେବ ଏବଂ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ । ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଏହି କେନ୍ଦ୍ର ସୁଚାର ରୂପେ ପରିଚାଳିତ ହେବା ପାଇଁ ଜିଲ୍ଲା ପ୍ରଶାସନର ସପୂର୍ଣ୍ଣ ସହଯୋଗ ରହିବ ।
ଏହି କେନ୍ଦ୍ରକୁ ପିପୁଲ୍ସ ଫୋରମ୍ ସଂସ୍ଥା ପରିଚାଳନା କରିବ। ଆଜିର କାର୍ଯ୍ୟକ୍ରମ ରେ ପିପୁଲ୍ସ ଫୋରମର ନିର୍ଦ୍ଦେଶକ ଆଶୋକ କୁମାର ପାତ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସେହିପରି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ସସ୍ମିତା ସ୍ୱାଇଁ ଏହି କେନ୍ଦ୍ର ସ୍ଥାପନର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ, ମାନସିକ ବିକାରଗ୍ରସ୍ତ, ସ୍ଵପରାଣୟାତା, ମସ୍ତିଷ୍କ ପକ୍ଷାଘାତ ଓ ମାନସିକ ଅସୁସ୍ଥତା ଭଳି ଚାରିଟି ଶ୍ରେଣୀର ମାନସିକ ଅସୁସ୍ଥ ମହିଳାମାନଙ୍କ ନିମନ୍ତେ ଏହି ଥଇଥାନ କେନ୍ଦ୍ର ଉଦ୍ଦିଷ୍ଟ। ଏହି ମହିଳାମାନଙ୍କୁ ସେମାନଙ୍କର ଖାଦ୍ୟ ପାନୀୟ , ରହଣି ବ୍ୟବସ୍ଥା ସହ ଉପଯୁକ୍ତ ଚିକିତ୍ସା ଓ ଧନ୍ଦାମୂଳକ ତାଲିମ ଦିଆଯିବ। ଯାହାଦ୍ବାରା ସେହି ମହିଳା ମାନେ ପରବର୍ତ୍ତୀ ମୁହୂର୍ତ୍ତରେ ଆତ୍ମନିର୍ଭରଶୀଳ ହେବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ । ସେହିପରି ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସଞ୍ଜୟ ଜେଠି ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜୀବ ପୂଜାରୀ, ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର କର୍ମଚାରୀ ଓ ପିପୁଲ୍ସ ଫୋରମର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *