ଜୁନ୍ ୨୨ରେ ଆମେରିକା ଯିବେ ପ୍ରଧାନମନ୍ତ୍ରୀ ମୋଦୀ, ରାଷ୍ଟ୍ରପତି ବାଇଡେନଙ୍କ ସହ କରିବେ ଗୁରୁତ୍ବପୂର୍ଣ୍ଣ ଆଲୋଚନା
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ପ୍ରଥମ ମହିଳା ଜିଲ୍ ବାଇଡେନ୍ଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୨୨ ତାରିଖରେ ଆମେରିକା ଗସ୍ତରେ ଯାଉଛନ୍ତି। ସେଠାରେ ଆମେରିକା ରାଷ୍ଟ୍ରପତି ଏବଂ ଫାଷ୍ଟଲେଡି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ମାନରେ ଏକ ରାଷ୍ଟ୍ରୀୟ ରାତ୍ରିଭୋଜନର ଆୟୋଜନ କରିବେ।
ଏହି ଗସ୍ତ ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ବଢୁଥିବା ଭାଗୀଦାରୀର ଗୁରୁତ୍ୱକୁ ସୂଚାଇବ; କାରଣ ଉଭୟ ଦେଶ ଏବେ ବିଭିନ୍ନ କ୍ଷେତ୍ରରେ ପରସ୍ପରକୁ ସହଯୋଗ କରୁଛନ୍ତି। ଏହି ଗସ୍ତକାଳରେ ବୈଷୟିକ ଜ୍ଞାନକୌଶଳ, ବାଣିଜ୍ୟ, ଶିଳ୍ପ ସମେତ ପାରସ୍ପରିକ ସ୍ୱାର୍ଥର ବିଭିନ୍ନ କ୍ଷେତ୍ରରେ ଦୃଢ଼ ଦ୍ୱିପାକ୍ଷିକ ସଂପର୍କର ସମୀକ୍ଷା କରିବାର ସୁଯୋଗ ମିଳିବ, ଯାହା ଉଭୟଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ଗଭୀର କରିବ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ସରକାରୀ ଗସ୍ତ ଆମେରିକା-ଭାରତ ସମ୍ପର୍କର ଗଭୀରତାକୁ ବୃଦ୍ଧି କରିବ । କାରଣ ବାଇଡେନ୍ ପ୍ରଶାସନ ଚୀନ୍ ଦ୍ୱାରା ସୃଷ୍ଟି ହେଉଥିବା ଏବଂ ବଢୁଥିବା ବିପଦର ମୁକାବିଲା କରିବା ପାଇଁ ଏବଂ ଏକ ମୁକ୍ତ ଭାରତ-ପ୍ରଶାନ୍ତ ମହାସାଗର ପାଇଁ ନୀତି ପାଇଁ ଭାରତର ସହଯୋଗ ଚାହୁଁଛି । କାରଣ, ଉଭୟ ଭାରତ ଓ ଆମେରିକା ଚୀନ୍ର ବଢ଼ୁଥିବା ପତିଆରା ବିରୋଧରେ କାମ କରୁଛନ୍ତି।
ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ୨୦୨୧ରେ ହ୍ଵାଇଟ ହାଉସରେ ବାଇଡେନଙ୍କୁ ଭେଟିଥିଲେ। ତେବେ, ଏହି ସାକ୍ଷାତ ଥିଲା ‘କ୍ୱାଡ୍’ ଶିଖର ସମ୍ମିଳନୀର ଅଂଶବିଶେଷ; ଯାହାକି ସଂପୂର୍ଣ୍ଣ ସରକାରୀ ଗସ୍ତ ନଥିଲା। କିନ୍ତୁ, ଏଥରର ସଂପୂର୍ଣ୍ଣ ସରକାରୀ ଗସ୍ତ କାଳରେ ଉଭୟ ନେତା ଜି-୨୦ ସମେତ ବହୁପକ୍ଷୀୟ କ୍ଷେତ୍ରରେ ଭାରତ-ଆମେରିକା ସହଯୋଗକୁ ସୁଦୃଢ଼ କରିବାର ଉପାୟ ଖୋଜିବେ। ଏଥିସହ ‘କ୍ୱାଡ୍’ ସମ୍ପର୍କକୁ ସମ୍ପ୍ରସାରଣ ଏବଂ ସୁଦୃଢ଼ କରିବାର ସୁଯୋଗ ବିଷୟରେ ଆଲୋଚନା କରିବେ।
ଏ ସଂପର୍କରେ ହ୍ଵାଇଟ୍ ହାଉସ୍ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଗାମୀ ଗସ୍ତ ଆମେରିକା ଏବଂ ଭାରତ ମଧ୍ୟରେ ଘନିଷ୍ଠ ଭାଗିଦାରୀକୁ ସୁନିଶ୍ଚିତ କରିବ। ଏହି ଗସ୍ତ ଏକ ମୁକ୍ତ, ସମୃଦ୍ଧ ଏବଂ ସୁରକ୍ଷିତ ଭାରତ-ପ୍ରଶାନ୍ତ ମହାସାଗର ପାଇଁ ଦୁଇ ଦେଶର ମିଳିତ ପ୍ରତିବଦ୍ଧତାକୁ ସୁଦୃଢ଼ କରିବ। ଏଥିସହ ପ୍ରତିରକ୍ଷା, ସ୍ୱଚ୍ଛ ଶକ୍ତି ଏବଂ ମହାକାଶ ବିଜ୍ଞାନ ସମେତ ଆମର ରଣନୈତିକ ଜ୍ଞାନକୌଶଳ ଭାଗିଦାରୀକୁ ବୃଦ୍ଧି କରିବା ପାଇଁ ମିଳିତ ସଂକଳ୍ପକୁ ସୁଦୃଢ଼ କରିବ।