କମ ଦୂରତ୍ୱର ଯାତ୍ରା ପାଇଁ ହେଲିକପ୍ଟର ବ୍ୟବହାର କରି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ସମାଲୋଚନାର ଶିକାର
ଇଂଲଣ୍ଡ: ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ଏକ କମ ଦୂରତ୍ୱର ଯାତ୍ରା ପାଇଁ ହେଲିକପ୍ଟର ବ୍ୟବହାର କରି ଅଡୁଆରେ ପଡ଼ି ଯାଇଛନ୍ତି। ପ୍ରଧାନମନ୍ତ୍ରୀ ଋଷି ସୁନକ ହେଲିକପ୍ଟର ସାହାଯ୍ୟରେ ଲଣ୍ଡନରୁ ସାଉଥମ୍ପଟନ ଯାଇ ଫେରିବା ପରେ ତାଙ୍କର ଏହି ସ୍ୱଳ୍ପ ଦୂରତା ବିଶିଷ୍ଟ ବିମାନ ଯାତ୍ରାକୁ ନେଇ ସମାଲୋଚନା ଆରମ୍ଭ ହୋଇଛି। ଏହି ଘଟଣା ତାଙ୍କର ବିମାନ ଯାତ୍ରା ପ୍ରତି ଆଗ୍ରହର ସଦ୍ୟତମ ଉଦାହରଣ ବୋଲି ତାଙ୍କର ବିରୋଧୀମାନେ କହିଛନ୍ତି।
ପ୍ରଧାନମନ୍ତ୍ରୀ ତାଙ୍କର ଏକ ସ୍ୱାସ୍ଥ୍ୟ ନୀତିକୁ ପ୍ରୋତ୍ସାହିତ କରିବା ପାଇଁ ହେଲିକପ୍ଟରରେ ଯାତ୍ରା କରି ସାଉଥମ୍ପଟନର ଏକ ଫାର୍ମାସୀ ପରିଦର୍ଶନ କରିଥିଲେ। ଡାଉନିଂ ଷ୍ଟ୍ରିଟ୍ ନିଶ୍ଚିତ କରିଛି ଯେ ଏହି ବିମାନ ଯାତ୍ରା ପାଇଁ ଟିକସଦାତାଙ୍କ ପାଣ୍ଠି ବିନିଯୋଗ ହୋଇଥିଲା। କିନ୍ତୁ, ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ମଧ୍ୟ ସମର୍ଥନ କରିଛି।
ଅନ୍ୟପକ୍ଷରେ ‘ଦ ଗାର୍ଡିଆନ୍’ କହିଛି ଯେ ୱାଟରଲୁ ଷ୍ଟେସନରୁ ୧୬୦ ମାଇଲ (୨୫୭ କିଲୋମିଟର) ରାଉଣ୍ଡ ଟ୍ରିପ୍ ପାଇଁ ଟ୍ରେନରେ ଯାଇଥିଲେ ୩୦ ପାଉଣ୍ଡ୍ (୩,୧୦୫ ଟଙ୍କା) ଖର୍ଚ୍ଚ ହୋଇଥାନ୍ତା। କିନ୍ତୁ, ପ୍ରଧାନମନ୍ତ୍ରୀ ସୁନକ ବିମାନରେ ଯାତ୍ରା କରିବାକୁ ପସନ୍ଦ କରିଥିଲେ। ଏହି ରୁଟରେ ବିମାନ ଯାତ୍ରା ପାଇଁ ୬,୦୦୦ ପାଉଣ୍ଡ (୬.୨୧ ଲକ୍ଷ ଟଙ୍କା) ଖର୍ଚ୍ଚ ହୋଇଛି। ୭୩୦ ନିୟୁତ ପାଉଣ୍ଡ (୭,୫୫୬ କୋଟି ଟଙ୍କା) ସମ୍ପତ୍ତିର ଅଧିକାରୀ ଥିବା ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଲୋକଙ୍କ ସମସ୍ୟା ସହ ଜଡ଼ିତ ହେବାରୁ ଦୂରେଇ ରହିଛନ୍ତି ବୋଲି ଏହି ହେଲିକପ୍ଟର ଯାତ୍ରା ଜନସାଧାରଣଙ୍କ ଧାରଣା ଦେବ।
ତେବେ, ପ୍ରଧାନମନ୍ତ୍ରୀ ସୁନକଙ୍କ ମୁଖପାତ୍ରଙ୍କ କହିବା ଅନୁଯାୟୀ, ଟ୍ରେନ୍ରେ ଯିବା ପରିବର୍ତ୍ତେ ହେଲିକପ୍ଟରରେ ଯାତ୍ରା କରିବା ପରେ ତାଙ୍କ ଉପରେ ବହୁତ ଚାପ ପଡ଼ୁଛି। ତେବେ, ଅପରାହ୍ନରେ ପ୍ରଧାନମନ୍ତ୍ରୀଙ୍କର ଏକାଧିକ ବୈଠକ ଥିଲା। ଯେଉଁଥିରେ ସେ ଯୋଗ ଦେବାର ଆବଶ୍ୟକତା ଥିଲା। ସେ କହିଛନ୍ତି ଯେ ତାଙ୍କର ସମୟ ଏବଂ ଟିକସଦାତାଙ୍କ ସ୍ୱାର୍ଥ ଦୃଷ୍ଟିରୁ ସେ କିଭଳି ସମୟର ସର୍ବୋତ୍ତମ ଉପଯୋଗ କରିବାକୁ ଯାଉଛନ୍ତି ତାହା ଉପରେ ନିର୍ଭର କରି ତାଙ୍କର ଯାତ୍ରା ପରିବହନ ଯୋଜନା ଭିନ୍ନ ଭିନ୍ନ ହେବ।
ସ୍ଥାନୀୟ ନିର୍ବାଚନରେ ତାଙ୍କ କଞ୍ଜରଭେଟିଭ୍ ପାର୍ଟି ୧୦ରୁ ଅଧିକ କାଉନସିଲ ଆସନ ହରାଇବାର ସପ୍ତାହକ ପରେ ପ୍ରଧାନମନ୍ତ୍ରୀ ସୁନକଙ୍କ ଏହି ହେଲିକପ୍ଟର ଗସ୍ତ ହୋଇଛି। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୁନକ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଫଳାଫଳ ନିଶ୍ଚିତ ଭାବେ ନୈରାଶ୍ୟଜନକ କିନ୍ତୁ ତାଙ୍କ ପ୍ରାଥମିକତା ଦେଶ ପାଇଁ ଠିକ୍।