ମନ୍ତ୍ରୀପଦ ପାଇଁ ଦେଲେ ଇସ୍ତଫା, ଖୁବଶୀଘ୍ର ହେବ ମନ୍ତ୍ରୀମଣ୍ଡଳ ଅଦଳବଦଳ !!
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଇସ୍ତଫା ଦେଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ । ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିବା କହିଛନ୍ତି ବିକ୍ରମ ଆରୁଖ । ଉପବାଚସ୍ପତିଙ୍କୁ ଇସ୍ତଫା ପତ୍ର ପଠାଇଥିବା ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ବିକ୍ରମ । ବିଶେଷ ସୂତ୍ରରୁ ସୂଚନା ଅନୁଯାୟୀ ଝାରସୁଗୁଡା ଉପନିର୍ବାଚନ ଫଳାଫଳ ଘୋଷଣା ପରେ ମନ୍ତ୍ରୀମଣ୍ଡଳରେ ଅଦଳବଦଳ ହେବା ଏକ ପ୍ରକାର ସ୍ଥିର କରାଯାଇଛି । ଏହି ଅଦଳ ବଦଳରେ ବିକ୍ରମ ସାମିଲ ହେବା ସମ୍ଭାବନା ରହିଛି । ବିକ୍ରମଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିବା ନେଇ ଚର୍ଚ୍ଚା ଜୋର ଧରିଛି । ସେହିପରି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏବଂ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ମଧ୍ୟ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ନିକଟରେ ଅନେକ ବିବାଦରେ ଛନ୍ଦି ହୋଇଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ସେଥିମଧ୍ୟରୁ ଜିଲ୍ଲା ପରିଷଦ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ମାମଲାରେ ସମୀରଙ୍କୁ ସିଧାସଳଖ ଭାବରେ ଦାୟୀ କରିଥିଲେ ଧର୍ମେନ୍ଦ୍ରଙ୍କ ପରିବାର ଲୋକ । ପରବର୍ତ୍ତୀ ସମୟରେ ସମୀରଙ୍କ ଜିଲ୍ଲାର ୧୧ନଂ ଜୋନର ଜିଲ୍ଲା ପରିଷଦ ଉପନିର୍ବାଚନରେ ବିଜେଡି ନିଜ ଅସ୍ତିତ୍ବ ହରାଇଥିଲା ଯାହାକୁ ନେଇ ସମୀରଙ୍କ ଲୋକପ୍ରିୟତା କ୍ଷୀଣ ହେବା ସୂଚନା ପାଇଥିଲା ବିଜେଡି । ଫଳରେ ଉକ୍ତ ସ୍ଥାନରେ ନିଜ ଲୋକପ୍ରିୟତା ଫେରିପାଇବାକୁ ଚେଷ୍ଟା ଆରମ୍ଭ କରିଛି ଶାସକ ଦଳ । ଅପରପକ୍ଷରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୁଦ୍ଧରେ ଜଣେ ବିଜେଡି ନାରୀ ନେତ୍ରୀ ଅସଦାଚରଣ ଅଭିଯୋଗ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ଶଙ୍ଖ ଭବନ ଉଦ୍ଘାଟନ ଉତ୍ସବ ସମୟରେ ଉକ୍ତ ନାରୀନେତ୍ରୀ ରାସ୍ତାରେ କାନ୍ଦିକାନ୍ଦି ଯାଇଥିବା ଦେଖିବାକୁ ମିଳିଥିଲା । ଯାହାକି ବିଜେଡିର ପ୍ରତିଷ୍ଠା ଉପରେ ଆଞ୍ଚ ଆଣିଥିଲା । ଏହାକୁ ଗମ୍ଭୀରତା ସହ ମୁଖ୍ୟମନ୍ତ୍ରୀ ନେଇଥିବା ଚର୍ଚ୍ଚା ହେଉଛି । ସେହିପରି ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ସୁପୁତ୍ରୀ ଦୀପାଳି ଦାସଙ୍କୁ ମଧ୍ୟ ଦାୟିତ୍ୱ ଦିଆଯିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି ।
ସୂଚନା ଅନୁଯାୟୀ, ବର୍ଷେ ପୂର୍ବେ ବିକ୍ରମ ଆରୁଖ ସୂର୍ଯ୍ୟନାରାୟଣ ପାତ୍ରଙ୍କ ସ୍ଥାନରେ ଓଡ଼ିଶା ବିଧାନସଭାର ବାଚସ୍ପତି ହୋଇଥିଲେ । ବର୍ଷେ ନପୂରୁଣୁ ସେ ଇସ୍ତପା ଦେବା ଆଗାମୀ ଦିନରେ ରାଜ୍ୟ ସରକାରରେ ତାଙ୍କୁ ଏକ ବଡ଼ ଦାୟିତ୍ୱ ଦେବାନେଇ ଆଶଙ୍କା ପ୍ରକାଶ ପାଇଛି ।