ଆଇପିଏଲ୍: ରାଜସ୍ଥାନକୁ ୧୧୨ ରନରେ ହରାଇଲା ବାଙ୍ଗାଲୋର
ଜୟପୁର: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍) ୧୬ତମ ସଂସ୍କରଣର ୬୦ତମ ମ୍ୟାଚରେ ରବିବାର ରାଜସ୍ଥାନ ରୟାଲ୍ସକୁ ରୋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୧୨ ରନରେ ପରାସ୍ତ କରିଛି। ଜୟପୁରସ୍ଥିତ ସୱାଇ ମାନସିଂହ ଷ୍ଟାଡିୟମରେ ୧୭୨ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ରାଜସ୍ଥାନ ଟିମ୍ ୧୦.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୫୯ ରନରେ ଅଟକି ଯାଇଛି।
ବାଙ୍ଗାଲୋର ସମସ୍ତ ବୋଲର ଭଲ ପ୍ରଦର୍ଶନ କରିଥିଲେ। ୱେନି ପର୍ନେଲ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ। ମିଚେଲ ବ୍ରାସୱେଲ ଓ କର୍ନ ଶର୍ମାଙ୍କୁ ୨ଟି ଲେଖାଏଁ ୱିକେଟ୍ ମିଳିଥିଲା। ମହମଦ ସିରାଜ ଓ ଗ୍ଲେନ ମେକ୍ସୱେ ୧-୧ ୱିକେଟ୍ ନେଇଥିଲେ।
ରାଜସ୍ଥାନକୁ ଆରମ୍ଭରୁ ଝଟକା ଲାଗିଥିଲା। ଉଭୟ ପ୍ରାରମ୍ଭିକ ବ୍ୟାଟର ଯଶସ୍ବୀ ଜୟସ୍ବାଲ ଓ ଜୋସ ବଟଲର ଖାତା ଖୋଲିପାରି ନଥିଲେ। ସେହିପରି ଅଧିନାୟକ ସଂଜୁ ସାମସନ ଓ ଦେବଦୂତ ପଡ୍ଡିକଲ ୪-୪ ରନ୍ କରିଥିଲେ। ସିବରନ ହେଟମେୟର ଦଳ ପାଇଁ ସର୍ବାଧିକ ୩୫ ରନ୍ କରିଥିଲେ। ସେ ୧୯ଟି ବଲ ସାମ୍ନା କରିଥିଲେ। ଏଥିରୁ ଗୋଟିଏ ଚୌକା ଓ ୪ଟି ଛକା ଅମଳ ହୋଇଥିଲା।
ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ବାଙ୍ଗାଲୋର। ଟିମ୍ ୨୦ ଓଭରରେ ୫ ୱିକେଟ୍ ହରାଇ ୧୭୧ ରନ୍ କରିଥିଲା। ବାଙ୍ଗାଲୋର ପାଇଁ ଅଧିନାୟକ ଫାଫ୍ ଡୁ’ପ୍ଲେସିସ ସର୍ବାଧିକ ୫୫ ରନ୍ ସଂଗ୍ରହ କରିଥିଲେ। ସେ ୪୪ଟି ବଲ୍ ଖେଳି ୩ଟି ଚୌକା ଓ ୨ଟି ଛକା ମାରିଥିଲେ। ଗ୍ଲେନ ମେକ୍ସୱେଲଙ୍କ ବ୍ୟାଟରୁ ୫୪ ରନ୍ ଅମଳ ହୋଇଥିଲା। ସେ ୩୩ଟି ବଲ୍ ଖେଳି ୫ଟି ଚୌକା ଓ ୩ଟି ଛକା ମାରିଥିଲେ। ସେହିପରି ଅନୁଜ ରାୱତ ୧୧ଟି ବଲ୍ ଖେଲି ୩ଟି ଚୌକା ଓ ୨ଟି ଛକା ମାଧ୍ୟମରେ ୨୯ ରନ୍ ସଂଗ୍ରହ କରିଥିଲେ। ବିରାଟ କୋହଲି ୧୯ଟି ବଲ୍ ଖେଳି ୧୮ ରନ୍ କରିଥିଲେ। ଏଥିରେ ଗୋଟିଏ ଚୌକା ସାମିଲ ଥିଲା।