ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ‘ମୋ ସରକାର’ ସମୀକ୍ଷା: ଲୋକଙ୍କ ଫିଡ୍‌ବ୍ୟାକକୁ ଭିତ୍ତିକରି ଭଲ କାମ ପାଇଁ ପ୍ରଶଂସା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସଂଧ୍ୟାରେ ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା କରି ଅଧିକାରୀମାନଙ୍କୁ ନିୟମିତ ଫିଡବ୍ୟାକ ସଂଗ୍ରହ କରିବାକୁ ପରାମର୍ଶ ଦେବା ସହିତ ଭଲ ଫିଡ୍‌ବ୍ୟାକକୁ ଭିତ୍ତିକରି ଅଧିକାରୀମାନଙ୍କୁ  ପ୍ରଶଂସାପତ୍ର ପ୍ରଦାନ କରିବା ସହିତ ଅବହେଳା ପାଇଁ ଦଣ୍ଡ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜିର ସମୀକ୍ଷାରେ ସ୍ବାସ୍ଥ୍ୟ, ରାଜସ୍ବ, ଗୃହ, କୃଷି ଓ ଅନ୍ୟାନ୍ୟ ବିଭାଗ ସେମାନଙ୍କ ମୋ ସରକାର କାର୍ଯ୍ୟକ୍ରମ ଉପରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନା ରଖିଥିଲେ।

ରାଜସ୍ବ ବିଭାଗରେ ଫିଡବ୍ୟାକ ଭିତ୍ତିରେ ୬ ଜଣ ଓଏଏସ୍‌ ଅଧିକାରୀଙ୍କୁ ସମୟ ପୂର୍ବରୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବାବେଳେ, ୩୨ ଜଣ ଓଏଏସ୍‌ ଅଧିକାରୀ ଓ ୧୪ ଜଣ ଓଆରଏସ୍‌ ଅଧିକାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି । ୪ ଜଣ ଓଏଏସ୍‌ ଅଧିକାରୀଙ୍କୁ ବରଖାସ୍ତ କରାଯାଇଛି। ୧୧ ଜଣ ଓଏଏସ୍‌ ଅଧିକାରୀଙ୍କ ଗ୍ରାଚ୍ୟୁଇଟି ଓ ପେନ୍‌ସନ୍ ବନ୍ଦ କରାଯାଇଛି । ସେହିପରି ୬୭ ଜଣ  ଓଏଏସ୍‌ ଅଧିକାରୀ ଓ ୩୦ ଜଣ ଓଆରଏସ୍‌ ଅଧିକାରୀଙ୍କ ବିରୁଦ୍ଧରେ ବିଭାଗୀୟ  ପଦକ୍ଷେପ ଗ୍ରହଣ କରାଯାଇଛି ।

ସ୍ବାସ୍ଥ୍ୟ ବିଭାଗର ୯୯ ପ୍ରତିଶତରୁ ଅଧିକ ଫିଡବ୍ୟାକ ଆଉଟଷ୍ଟାଣ୍ଡିଂ ବା ଅତି ଭଲ ଅଛି ବୋଲି ଜଣାଯାଇଛି । ସରକାରୀ ହସ୍‌ପିଟାଲରେ ମାଗଣା ଚିକିତ୍ସା ମିଳୁଥିବା ବେଳେ, ବେସରକାରୀ ହସ୍‌ପିଟାଲ ଗୁଡିକରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ରୂପାୟନ କ୍ଷେତ୍ରରେ ସାମାନ୍ୟ ଅବହେଳା ହେଲେ, ତୁରନ୍ତ ପଦକ୍ଷେପ ନିଆଯାଉଛି। ପେନ୍‌ସନ ପ୍ରଦାନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସବୁ ବ୍ୟବସ୍ଥା ସତ୍ତ୍ବେ ଅବସରପ୍ରାପ୍ତ କର୍ମଚାରୀମାନେ ଠିକ୍‌ ସମୟରେ ପେନ୍‌ସନ୍‌ ପାଉନାହାନ୍ତି।  ତେଣୁ ପ୍ରତ୍ୟେକ ବିଭାଗ ଏହାକୁ ସମୀକ୍ଷା କରି ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ପଦୋନ୍ନତି କ୍ଷେତ୍ରରେ ମଧ୍ୟ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭିକେ ପାଣ୍ଡିଆନ କହିଲେ ଯେଉଁସବୁ କ୍ଷେତ୍ରରେ ନିୟମିତ ଭାବରେ ଭଲ ଫିଡବ୍ୟାକ ମିଳୁନାହିଁ, ସେ ସବୁ କ୍ଷେତ୍ରରେ ଯୋଜନାର ବ୍ୟବସ୍ଥାକୁ ପରିବର୍ତ୍ତନ କରି ସେଥିରେ ଅଧିକ ଉନ୍ନତି ଆଣିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ରାଜ୍ୟ ସରକାରଙ୍କ ସବୁ କାର୍ଯ୍ୟକ୍ରମ ଓ ଯୋଜନାକୁ ଦକ୍ଷ ଭାବରେ କାର୍ଯ୍ୟକାରୀ କରିବାର ଉଦ୍ଦେଶ୍ୟ ନେଇ ମୋ ସରକାର ଫିଡ୍‌ବ୍ୟାକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ସେ କହିଥିଲେ। ଉନ୍ନୟନ କମିସନର ଅନୁ ଗର୍ଗ ସ୍ବାଗତ ଭାଷଣ ଦେଇଥିଲେ।

Leave a Reply

Your email address will not be published. Required fields are marked *