୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାରର କାରଣ କଣ
ଭୁବନେଶ୍ବର : ବଜାରରୁ ୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର ପାଇଁ ରିଜର୍ଭ ବ୍ୟାଙ୍କ ଆଜି ଏକ ବଡ଼ ଘୋଷଣା କରିଛି । ଲୋକମାନେ ଆସନ୍ତା ମେ ୨୩ରୁ ସେପ୍ଟେମ୍ବର ୩୦ ମଧ୍ୟରେ ବ୍ୟାଙ୍କ ଶାଖା କିମ୍ବା ରିଜର୍ଭ ବ୍ୟାଙ୍କ ଆଞ୍ଚଳିକ ଶାଖାରେ ଏହି ନୋଟ ବଦଳାଇପାରିବେ । ତେବେ ରିଜର୍ଭ କାହିଁକି ଏପରି ନିଷ୍ପତ୍ତି ନେଲା ?
ଏହି ନିଷ୍ପତ୍ତି ସଂପର୍କରେ ରିଜର୍ଭ ବ୍ୟାଙ୍କ କେତେକ କାରଣ ଦର୍ଶାଇଛି । ୨୦୧୬, ନଭେମ୍ବର ମାସରେ ହୋଇଥିବା ବିମୁଦ୍ରିକରଣ ପରେ ଲୋକମାନଙ୍କ ବର୍ଦ୍ଧିତ ନୋଟ ଚାହିଦା ମେଣ୍ଟାଇବାକୁ ୨ ହଜାର ଟଙ୍କିଆ ନୋଟ ଛଡ଼ାଯାଇଥିଲା । କିନ୍ତୁ ଏବେ ବଜାରରେ ୫୦୦ ଟଙ୍କିଆ ଓ ଅନ୍ୟ ପରିମାଣର ନୋଟ ଯଥେଷ୍ଟ ପରିମାଣରେ ଉପଲବ୍ଧ ଥିବାରୁ ସାଧାରଣ ଲୋକଙ୍କ ପାଇଁ ୨ ହଜାର ଟଙ୍କିଆ ନୋଟର ଆବଶ୍ୟକତା ହ୍ରାସ ପାଇଛି । ରିଜର୍ଭ ବ୍ୟାଙ୍କ ୨୦୧୮-୧୯ରୁ ୨ ହଜାର ଟଙ୍କିଆ ନୋଟ ଛାପା ବନ୍ଦ କରିଦେଇଛି । ଏବେ ବଜାରରେ ଥିବା ଅଧିକାଂଶ ୨ ହଜାର ଟଙ୍କିଆ ନୋଟ ୨୦୧୭ ପୂର୍ବରୁ ଛପା ହୋଇଥିଲା । ଏଣୁ ନୋଟଗୁଡ଼ିକର ସ୍ବାଭାବିକ ଜୀବନ ସମୟ ୪ରୁ ୫ ବର୍ଷ ଅତିକ୍ରମ ହୋଇଯାଇଛି । ପୁଣି ଏବେ ନେଣଦେଣରେ ଏହି ନୋଟ ସେତେଟା ବ୍ୟବହାର ହେଉନାହିଁ । ଏଣୁ ଏହାର ପ୍ରତ୍ୟାହାର ପାଇଁ ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ନେଇଛି ।
ଅନ୍ୟପକ୍ଷରେ ଏହି ପଦକ୍ଷେପ ପଛରେ ସରକାରଙ୍କ ଆଉ କିଛି ଉଦ୍ଦେଶ୍ୟ ଥିବା ମନେକରାଯାଉଛି । ପ୍ରଥମତଃ କଳାଧନ ଠୁଳହେବାକୁ ରୋକିବା । ଆଉ ଏକ କାରଣ ହେଲା ନିର୍ବାଚନ ବେଳେ ୨ ହଜାର ଟଙ୍କିଆ ନୋଟ ଅଧିକ ସଂଖ୍ୟାରେ ବଣ୍ଟାଯାଉଥିବା ଲକ୍ଷ୍ୟ କରାଯାଉଛି । ଆଗକୁ ୫ଟି ରାଜ୍ୟରେ ନିର୍ବାଚନ ଥିବାରୁ ଓ ୨୦୨୪ରେ ସାଧାରଣ ନିର୍ବାଚନ ଥିବାରୁ ସରକାର ଏପରି ପଦକ୍ଷେପ ନେଇଥାଇ ପାରନ୍ତି ବୋଲି ମନେକରାଯାଉଛି ।