ଶିକ୍ଷା ଓ ମାନବାଧିକାର ସୁରକ୍ଷା ଲାଗି ଡ଼ ଆମ୍ବେଦକରଙ୍କ ଅବଦାନ ଅତୁଳନୀୟ
ନୂଆଦିଲ୍ଲୀ: ଭାରତୀୟ ସମାଜରେ ସମସ୍ତଙ୍କୁ ଶିକ୍ଷା ଏବଂ ନାଗରିକଙ୍କ ମାନବାଧିକାର ସୁରକ୍ଷା ଲାଗି ସମ୍ବିଧାନ ନିର୍ମାତା ଭୀମରାଓ ଆମ୍ବେଦକରଙ୍କ ଅବାଦନ ଅତୁଳନୀୟ ବୋଲି ବରିଷ୍ଠ ସାମ୍ବାଦିକ ତଥା ଦୈନିକ ଓଡ଼ିଆ ଖବରକାଗଜ ‘ପର୍ଯ୍ୟବେକ୍ଷକ’ର ସଂପାଦକ ଡ଼ ପବିତ୍ର ମୋହନ ସାମନ୍ତରାୟ କହିଛନ୍ତି । ସ୍ଥାନୀୟ କନ୍ଷ୍ଟିଚ୍ୟୁସନ କ୍ଲବ ଠାରେ ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟର, ଭୂବନେଶ୍ୱର ଦ୍ୱାରା ଆୟୋଜିତ ପୁସ୍ତକ ଉନ୍ମୋଚନ ଓ ପୁରସ୍କାର ବିତରଣ ସମାରୋହର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ସାମନ୍ତରାୟ ସୁସ୍ଥ ଭାରତୀୟ ସମାଜ ଏବଂ ଆଦର୍ଶ ଗଣତନ୍ତ୍ର ଗଠନ ଦିଗରେ ଡ଼ ଆମ୍ବେଦକରଙ୍କ ଅବଦାନକୁ ମନେପକାଇଥିଲେ । ପୂର୍ବତନ ଅତିରିକ୍ତ ପୁଲିସ ମହାନିର୍ଦେଶକ ଗୋପବନ୍ଧୁ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜେଏନୟୁର ଆସିଷ୍ଟାଣ୍ଟ ପ୍ରଫେସର ପ୍ରଦୀପ କୁମାର ଚୌଧୁରୀ ଓ ଶିକ୍ଷାବିତ୍ ସୁଶାନ୍ତ ଦାସ ସମ୍ମାନିତ ଅତିଥି ଭାବେ ସାମିଲ ହୋଇଥିଲେ । ଏହି ଅବସରରେ ମୋନାଲିସା ପରିଡ଼ାଙ୍କ ଦ୍ୱାରା ରଚିତ ପୁସ୍ତକ ଡ଼ ବି ଆର ଆମ୍ବେଦକର- ଏ କ୍ରୁସେଡ଼ର ଅଫ ହ୍ୟୁମାନ ରାଇଟ୍ସ, ରାଷ୍ଟ୍ରପତି ଦ୍ରୌପଦୀ ମୁମ୍ମୁଙ୍କ ଉପରେ ରଚିତ ପୁସ୍ତକ ବିୟଣ୍ଡ ଗରଜିଅସ, କବିତା ପୁସ୍ତକ ପାରାଡିଜମ ଏବଂ ସୌମ୍ୟା ଶର୍ମିଷ୍ଠା ଓ ସଂସ୍କୃତି ସୁମେଧାଙ୍କ ଦ୍ୱାରା ରଚିତ ପୁସ୍ତକ ହ୍ୟୁମାନ ରାଇଟ୍ସ ଆଣ୍ଡ ଚ୍ୟାଲେଞ୍ଜସ ପୁସ୍ତକ ଉନ୍ମୋଚିତ ହୋଇଥିଲା । ଏଥିସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ‘ଭାରତୀୟ ସେବା ରତ୍ନ ସମ୍ମାନ ୨୦୨୩’ ନିମନ୍ତେ ଶକ୍ତି ପ୍ରସାଦ ନାୟକ, ଚିନ୍ମୟ କୁମାର ମହାପାତ୍ର, ଭଗବାନ ଦାଶ, ଅମିତ କୁମାର ପରିଜା, ଟୁନା ଜେନା, ଦିଲ୍ଳୀପ କୁମାର ଦାସ, ଚିତ୍ତରଞ୍ଜନ ବାଗ, ଉକ୍ରଳ କେଶରୀ ବିଶ୍ୱାଳ, ସୁଧାଂଶୁ ରଞ୍ଜନ ପ୍ରଧାନ, ଆଶିଷ କୁମାର ପତ୍ରୀ, ରାଜକିରଣ ପାଣିଗ୍ରାହୀ, ଚିନ୍ମୟ ରଞ୍ଜନ ମହାରଣା, ସତ୍ୟଜିତ ସେନାପତିଙ୍କୁ ସମ୍ମାନୀତ କରାଯାଇଥିଲା ।